ଓଡ଼ିଶା ସମେତ ୫ ରାଜ୍ୟ ଓ କେନ୍ଦ୍ରକୁ ଏନଜିଟି ନୋଟିସ୍‌

0

ନୂଆଦିଲ୍ଲୀ: ବିନା ଜଙ୍ଗଲ ଓ ପରିବେଶ ମଞ୍ଜୁରୀରେ ଚାଲିଥିବା ପୁରୁଷୋତ୍ତମପଟ୍ଟନମ୍‍ ଉଠା ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ୟ୍ୟ ବନ୍ଦ କରିବା ପାଇଁ ଏକ ଆବେଦନର ଶୁଣାଣି କରି ଜାତୀୟ ହରିତ ପ୍ରାଧିକରଣଙ୍କ ପ୍ରଧାନପୀଠ କେନ୍ଦ୍ର ଜଙ୍ଗଲ ଓ ପରିବେଶ, କେନ୍ଦ୍ର ଜଳସଂପଦ ମନ୍ତ୍ରଣାଳୟ, ପୋଲାଭରମ ପ୍ରକଳ୍ପ ପ୍ରାଧିକରଣ ଏବଂ ଓଡ଼ିଶା ସମେତ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ପାଞ୍ଚଟି ରାଜ୍ୟକୁ ନୋଟିସ ଜାରି କରିଛନ୍ତି। ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ଏନଜିଟିର କାର୍ୟ୍ୟକାରୀ ଅଧ୍ୟକ୍ଷ ଜାଭେଦ ରହିମଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ସମସ୍ତ ପକ୍ଷଙ୍କୁ ନିର୍ଦେଶ
ଦେଇଛନ୍ତି।
ସୋମବାର ମାମଲାର ଶୁଣାଣି ବେଳେ ପିଟିସନକାରୀ ମାଡିଚାରଲା ସତ୍ୟନାରାୟଣଙ୍କ ଓକିଲ ଶ୍ରବଣ କୁମାର ଦର୍ଶାଇଥିଲେ ଯେ ପୋଲାଭରମ ପ୍ରକଳ୍ପର ମୂଳ ଯୋଜନାରେ ପୁରୁଷୋତ୍ତମପଟ୍ଟନମ୍‍ ପ୍ରକଳ୍ପ ବିଷୟରେ ଉଲ୍ଲେଖ ନାହିଁ। ପୋଲାଭରମ ପ୍ରକଳ୍ପ ପ୍ରାଧିକରଣ ପକ୍ଷରୁ ୨୦୧୭ରେ ଆରମ୍ଭ ଏହି ପ୍ରକଳ୍ପ ପାଇଁ ଅଦ୍ୟାବଧି ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ନିଆଯାଇନାହିଁ। କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଣଳୟ ଏପର୍ୟ୍ୟନ୍ତ ଏହି ପ୍ରକଳ୍ପ ନିର୍ମାଣ ଅନୁମତି ଦେଇନାହିଁ। ପୋଲାଭରମ ପ୍ରକଳ୍ପ ପ୍ରାଧିକରଣ ଏବଂ ଆନ୍ଧ୍ରପ୍ରଦେଶ ସରକାର ଏହି ପ୍ରକଳ୍ପକୁ ପୋଲାଭରମ ପ୍ରକଳ୍ପର ଅଂଶ ବିଶେଷ ଦର୍ଶାଇ ବେନିୟମ ଭାବେ ନିର୍ମାଣ
କାର୍ୟ୍ୟ ଜାରି ରଖିଛନ୍ତି ବୋଲି ଶ୍ରୀ କୁମାର ଏନଜିଟିରେ ଯୁକ୍ତି ଦର୍ଶାଇଥିଲେ। ପୋଲାଭରମ ପ୍ରକଳ୍ପର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର)କୁ ଅନୁଧ୍ୟାନକରି ପୁରୁଷୋତ୍ତମପଟ୍ଟନମ୍‍ ପ୍ରକଳ୍ପର ଭବିଷ୍ୟତ ନିର୍ଦ୍ଧାରଣ କରିବାକୁ ପକ୍ଷ ରଖିଥିଲେ। ନିୟମ ଉଲ୍ଲଙ୍ଗନ କରି ୨୦୦୬ରୁ ଏହି ପ୍ରକଳ୍ପ ନିର୍ମାଣ କାର୍ୟ୍ୟ ଜାରି ରଖିଥିବା ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ୟ୍ୟାନୁଷ୍ଠାନ ପାଇଁ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ। ପିଟିସନରେ ଅଭିଯୋଗ ଅନୁଯାୟୀ ପୁରୁଷୋତ୍ତମପଟନମ ପ୍ରକଳ୍ପ ନିର୍ମାଣ ପାଇଁ ସରକାରୀ ସ୍ତରରେ ୧୪ ଅକ୍ଟୋବର ୨୦୧୬ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲ। ପୋଲାଭରମ୍‍ ପ୍ରକଳ୍ପ ନିର୍ମାଣ ପାଇଁ ପୂର୍ବରୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ୨୫ ଅକ୍ଟୋବର ୨୦୦୫ରେ ପରିବେଶ ଅନୁମତି ପ୍ରଦାନ କରିଥିଲେ। ସେତେବେଳେ ପୁରୁଷୋତ୍ତମପଟନମ ପ୍ରକଳ୍ପ ମୂଳ ପ୍ରକଳ୍ପର ଅଂଶ ବିଶେଷ ନଥିଲା। ପୂର୍ବ ଗୋଦାବରୀ ଜିଲାରେ ଅବସ୍ଥିତ ଏହି ପ୍ରକଳ୍ପର ପ୍ରଥମ ପର୍ୟ୍ୟାୟରେ ୨.୫ ଲକ୍ଷ ହେକ୍ଟର ଜମି ଜଳସେଚନର ସୁବିଧା ପାଇପାରିବ। ଦୁଇଟି ପମ୍ପ ମାଧ୍ୟମରେ ଅସ୍ଥାୟୀ ଭାବେ ପ୍ରତିଦିନ ୭୦୦ କ୍ୟୁସେକ ଜଳ ପୋଲାଭରମ ବାମ କେନାଲରେ ଛଡ଼ା ଯାଉଛି। ପ୍ରକଳ୍ପରେ ସମୁଦାୟ ୧୦ଟି ପମ୍ପ ସ୍ଥାପନ କରିବା ପାଇଁ ପୋଲାଭରମ ପ୍ରକଳ୍ପ ପ୍ରାଧିକରଣ ଯୋଜନା କରିଛନ୍ତି ବୋଲି ଏନଜିଟିଙ୍କୁ ଦର୍ଶାଯାଇଥିଲା। ସବୁଜାଣି ସୁଦ୍ଧା ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା ଏବଂ ମହାରାଷ୍ଟ୍ର ଚୁପ୍‍ ରହିବା ବିଷୟ ଶୁଣାଣି ବେଳେ ଏନଜିଟିରେ ଆବେଦନକାରୀ ଓକିଲ ଉଠାଇଥିଲେ।
ଓଡ଼ିଶା ସମେତ ୫ ରାଜ୍ୟ…

Leave A Reply