ନ୍ୟୁଜ୍କ୍ଲିକ୍ ମାଧ୍ୟମରେ ଚୀନ ବିଚାରଧାରା ଭାରତରେ ପ୍ରସାରିତ ହେଉଛି
ନୂଆଦିଲ୍ଲୀ : ନ୍ୟୁଜ୍ କ୍ଲିକ୍ ମାଧ୍ୟମରେ ଚୀନର ରାଜନୈତିକ ବିଚାରଧାରା ଭାରତରେ ପ୍ରସାରିତ ହେଉଛି। ଚୀନର କମ୍ୟୁନିଷ୍ଟ ପାର୍ଟି ସରକାରର ବିଚାରଧାରାକୁ ଭାରତରେ ପ୍ରସାରିତ କରିବା ଲାଗି ନ୍ୟୁଜ୍ କ୍ଲିକ୍କୁ ଆମେରିକାର ବ୍ୟବସାୟୀ ନେଭିଲ ରାୟ ସିଙ୍ଘମ୍ ଆର୍ଥିକ ସହଯୋଗ କରିଥିବା ଜଣାଯାଇଛି। ନ୍ୟୁଜ୍ କ୍ଲିକ୍ ମାଧ୍ୟମରେ ଭାରତରେ ଚୀନର ବିଚାରଧାରା ପ୍ରସାରିତ ହେଉଥିବା ନେଇ ଏକ ନ୍ୟୁୟର୍କ ଟାଇମ୍ସରେ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ କେବେଳ ଭାରତ ନୁହେଁ ସମଗ୍ର ବିଶ୍ବରେ ଚୀନର ବିଚାରାଧାରାକୁ ପ୍ରସାରିତ କରିବା ଲାଗି ସିଙ୍ଘମ୍ ଆର୍ଥିକ ସହାୟତା ପ୍ରଦାନ କରିଆସୁଥିବା ଜଣାଯାଇଛି। ଚୀନର ବିଚାରଧାରା ଭାରତରେ ପ୍ରସାରିତ ହେବାରେ କଂଗ୍ରେସର ସମ୍ପୃକ୍ତି ନେଇ ବିଜେପି ଅଭିଯୋଗ ଉଠାଇଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଆଧାରରେ ବିଜେପି ସାଂସଦ ନିଶିକାନ୍ତ ଦୁବେ କଂଗ୍ରେସକୁ ନିଶାଣ କରିଛନ୍ତି। ସୋମବାର ନିଶିକାନ୍ତ ଏହି ପ୍ରସଙ୍ଗ ସଂସଦରେ ଉଠାଇବା ସହ କଂଗ୍ରେସକୁ ସମାଲୋଚନା କରିଛନ୍ତି। ଚୀନ ସରକାରଙ୍କ ବିଚାରଧାରାକୁ ନ୍ୟୁଜ୍ କ୍ଲିକ୍ ମାଧ୍ୟମରେ ଭାରତରେ ପ୍ରସାର କରିବା ଲାଗି ନେଭିଲ ସିଙ୍ଘମ ଉକ୍ତ ମିଡିଆ ପୋର୍ଟାଲଙ୍କୁ ଆର୍ଥିକ ସହାୟତା ଯୋଗାଇ ଆସୁଥିଲେ। ତେବେ ୨୦୨୧ରେ ନ୍ୟୁଜ୍ କ୍ଲିକ୍ରେ ବିଦେଶୀ ପୁଞ୍ଜିନିବେଶକୁ ନେଇ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତଦନ୍ତ କରିଥିଲା। ତେବେ ଇଡିର ଏପରି ତଦନ୍ତକୁ କଂଗ୍ରେସ ସେତେବେଳେ ବିରୋଧ କରିବା ସହିତ ନ୍ୟୁଜ୍ କ୍ଲିକ୍ ସପକ୍ଷରେ ବାହାରିଥିଲା। ଇଡି ଏହାର ତଦନ୍ତରୁ ଜାଣିପାରିଥିଲା ଯେ ନ୍ୟୁଜ୍ କ୍ଲିକ୍ ବିଦେଶରୁ ପ୍ରାୟ ୩୮ କୋଟି ଟଙ୍କାର ଅନୁଦାନ ସଂଗ୍ରହ କରିଥିଲା। ଏହାର ପ୍ରମୁଖ ପାଣ୍ଠି ଯୋଗାଣକାରୀ ହେଉଛନ୍ତି ସିଙ୍ଘମ୍।
କେବଳ ନ୍ୟୁଜ୍ କ୍ଲିକ୍ ନୁହେଁ ଚୀନର ବିଚାରଧାରାକୁ ବିଶ୍ବରେ ପ୍ରସାରିତ କରିବା ଲାଗି ନେଭିଲ୍ ସିଙ୍ଘମ୍ ବିଶ୍ବର ବିଭିନ୍ନ ମିଡିଆ ନେଟୱର୍କ, ଏନଜିଓ, ସାମାଜିକ ସଂଗଠନ, ଜାଲ୍ କମ୍ପାନୀ ଆଦିକୁ ପାଣ୍ଠି ଯୋଗାଇ ଆସୁଥିବା ଜଣାଯାଇଛି। ନ୍ୟୁୟର୍କ ଟାଇମ୍ସର ବହୁ ପୂର୍ବରୁ ଭାରତ ଜାଣିପାରିଥିଲା ଯେ ନ୍ୟୁଜ୍ କ୍ଲିକ୍ ଏକ ବିପଜ୍ଜନକ ୱେବ ଚାନେଲ ଯାହା ବିଶ୍ବବ୍ୟାପୀ ଚୀନର ବିଚାରଧାରାକୁ ପ୍ରସାର କରୁଛି। ଆଉ ଏହି ପ୍ରସାର ଦିଗରେ ନେଭିଲ ସିଙ୍ଘମଙ୍କ ଭଳି ଭାରତ ବିରୋଧୀ ତତ୍ତ୍ବ ସହଯୋଗ କରିଆସୁଛନ୍ତି। ନ୍ୟୁଜ୍ କ୍ଲିକ୍କୁ ସିଙ୍ଘମ୍ଙ୍କ ପାଣ୍ଠି ଯୋଗାଣ ସମ୍ପର୍କିତ ତଥ୍ୟ କର୍ପୋରେଟ ଫାଇଲିଙ୍ଗରୁ ଜଣାଯାଇଛି। ନ୍ୟୁଜ୍ କ୍ଲିକ୍ ହେଉଛି ନୂଆଦିଲ୍ଲୀସ୍ଥିତ ଏକ ଅନଲାଇନ ଭିଡିଓ ନ୍ୟୁଜ୍ ନେଟୱର୍କ। ୨୦୦୯ରେ ଏହା ପ୍ରତିଷ୍ଠା ହୋଇଥିଲା। ପରବୀର ପୁରକାୟସ୍ଥ ହେଉଛନ୍ତି ଏହାର ମାଲିକ। ଏହା ସରକାରଙ୍କ ଠାରୁ କିମ୍ବା କୌଣସି କର୍ପୋରେଟ ସଂସ୍ଥା ଠାରୁ ବିଜ୍ଞାପନ ଆକାରରେ ଅର୍ଥ ଗ୍ରହଣ କରି ନଥାଏ। ଅର୍ଥ ଆବଶ୍ୟକତା ନିମନ୍ତେ ଏହା ନିଜର ସମର୍ଥକଙ୍କ ଅନୁଦାନ ଉପରେ ନିର୍ଭର କରିଥାଏ। ଏହା ରାଜନେତା, ଅର୍ଥନୀତିଜ୍ଞ, ବୈଜ୍ଞାନିକ, ବୈଷୟିକ ବିଶେଷଜ୍ଞ ଓ ନୀତି ନିର୍ଦ୍ଧାରକଙ୍କ ସାକ୍ଷାତକାର ନିୟମିତ ପ୍ରକାଶ କରିଥାଏ। ଏହାର ୱେବସାଇଟ୍ରେ ବିଭିନ୍ନ ପ୍ରକାର ମତାମତ ଆଧାରିତ ପ୍ରବନ୍ଧ ପ୍ରକାଶ ପାଇଥାଏ।
Comments are closed.