ନୀଳଗିରି: ‘ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଶକ୍ତିକରଣ ପାଇଁ ସଦାସର୍ବଦା ଉଦ୍ୟମ କରି ଆସୁଛନ୍ତି। ମହିଳାଙ୍କୁ ୫ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ ଯୋଗାଉଛନ୍ତି ଏବଂ ମିଶନ ଶକ୍ତି ମହିଳାଙ୍କ ପାଇଁ ୧୦ଲକ୍ଷ ଯୋଗାଉଛନ୍ତି। ମା’ ମାନଙ୍କୁ ସଶକ୍ତିକରଣ କରି ଓଡ଼ିଶାକୁ ଆଗେଇ ନେବା ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ୫-ଟି ଜରିଆରେ ଯାହା ସବୁ ଟଙ୍କା ଓଡ଼ିଶାବାସୀଙ୍କ ହିତରେ ଖର୍ଚ୍ଚ କରାଯାଉଛି, ସେସବୁ ଆପଣଙ୍କ ଟଙ୍କା। ଏହାକୁ ନିଜର ଟଙ୍କା ଭାବି ସ୍ୱଛତାର ସହକାରେ କାର୍ଯ୍ୟ କଲେ ନିଶ୍ଚିତ ଓଡ଼ିଶା ବିକାଶ କ୍ଷେତ୍ରରେ ଆହୁରି ଆଗେଇବ’ ବୋଲି କହିଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ। ବାଲେଶ୍ୱର ଜିଲା, ନୀଳଗିରି ଉପଖଣ୍ଡ ଗସ୍ତରେ ଆସି ଶ୍ରୀ ପାଣ୍ଡିଆନ ପ୍ରଥମେ ଔପଦା ବ୍ଲକ ବାରହାକୋଇଲି-ବିଦୁ ରାସ୍ତାରେ ନିର୍ମାଣାଧୀନ କେନାଲ ପରିଦର୍ଶନ କରିଥିଲେ। ପରେ ବଉଳଗଡ଼ିଆରେ ରଘୁନାଥଜୀଉ ପଥର ଶୀଳ୍ପ ଓ ଟେରାକୋଟା କାର୍ଯ୍ୟ ଦେଖି ବିମୋହିତ ହୋଇ ପଡ଼ିଥିଲେ। ସେଠାରୁ ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରକୁ ଯାଇ ବାବାଙ୍କୁ ସ୍ପର୍ଶ କରିବା ସହ ପୂଜାର୍ଚ୍ଚନା କରିବା ପରେ ସ୍ଥାନୀୟ ପାର୍କିଂଷ୍ଟାଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଠାରେ ଏକ ମିଶନ ଶକ୍ତି କାଫେକୁ ସେ ଉଦଘାଟନ କରିଥିଲେ।
ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ଯେତେ ସବୁ ସମସ୍ୟା ଆସିଛି ଆସନ୍ତା ୨୯ତାରିଖ ସୁଧା ଅର୍ଥାତ ମାତ୍ର ୭ଦିନ ଭିତରେ ସମସ୍ତ ଅସୁବିଧା ଦୂର ହେବ। ତେବେ ଶ୍ରୀ ପାଣ୍ଡିଆନ ମଞ୍ଚ ତଳକୁ ଆସିବା ପରେ ତାଙ୍କଠାରେ ମହିଳାଙ୍କ ଭିଡ଼ ଲାଗି ଯାଇଥିବା ଦେଖିବାକୁ ମିଳିଛି। ମହିଳାମାନେ ପାଣ୍ଡିଆନଙ୍କ ସହ ସେଲ୍ଫି ନେଇ ବେଶ ଖୁସି ଥିବା ଦେଖିବାକୁ ମିଳିଛି। ଏପରିକି କେତେକ ମହିଳା ମିଶନ ଶକ୍ତିର ମୁଖ୍ୟ ତଥା ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା ସାହୁଙ୍କୁ କାହିଁକି ସାଙ୍ଗରେ ଆଣିଲେନି ବୋଲି ଅଳି କରିବା ଦେଖି ସେ ଭିଡ଼ିଓ କଲ ଜରିଆରେ ମହିଳାଙ୍କ ସହ କଥା କରାଇ ଦେଇଥିଲେ। ପରେ ନୀଳଗିରିରେ ଥିବା ଇନଡୋର ଷ୍ଟାଡ଼ିୟମକୁ ବୁଲି ଦେଖିବା ସହ ଥାନା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନୀଳଗିରିର ବିଭିନ୍ନ ପ୍ରକଳ୍ପର ଉନ୍ନତିକରଣ କରାଯିବା ନେଇ ଉପେନ୍ଦ୍ର ଦାସ, କୁଳମଣି ନାୟକ, ଉପେନ୍ଦ୍ର ନାୟକ, ନିରଞ୍ଜନ ବାରିକ, ରାଜେନ୍ଦ୍ର ଜେନା, ସୁଲେଖା ବେହେରା, ଶ୍ରୀକାନ୍ତ ନାୟକ, ଅରବିନ୍ଦ ଦାସ, ପୁରସ୍ତମ ସେଠୀ, ମନୋରଞ୍ଜନ ଦାସ ପ୍ରମୁଖ ପାଣ୍ଡିଆନଙ୍କ ହାତରେ ଦାବିପତ୍ର ଦେବା ପରେ ସେ ତୁରନ୍ତ ଦାବି ଗୁଡ଼ିକ ପୂରଣ କରିବେ ବୋଲି କହିଛନ୍ତି। ନୀଳଗିରି ଉପଖଣ୍ଡରେ ଆୟୋଜିତ ଉପରୋକ୍ତ କାର୍ଯ୍ୟକ୍ରମରେ ନୀଳଗିରି ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ, ନୀଳଗିରି ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଏନଏସି ଅଧ୍ୟକ୍ଷା ଅମ୍ବିକା ଦାସ, ଔପଦା ବ୍ଲକ ଅଧ୍ୟକ୍ଷା ବିସିବିପ୍ସା ପାତ୍ର, ରାଜ୍ୟ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ଜିଲା ଯୁବ ବିଜେଡି ସଭାପତି ତାପସ ପରିଡ଼ା ପ୍ରମୁଖ ଉପସ୍ଥିତ ରହିଥିବା ଦେଖାଯାଇଛି।



