ନିଟ୍ ପରୀକ୍ଷାର୍ଥୀଙ୍କୁ ତାମିଲନାଡୁ ସରକାର ଦେବେ ଗସ୍ତ ଖର୍ଚ୍ଚ
ଚେନ୍ନଇ : ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ହେଉଥିବା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍)ର ପରୀକ୍ଷାର୍ଥୀଙ୍କୁ ତାମିଲନାଡୁ ସରକାର ଭତ୍ତା ଦେବାର ବ୍ୟବସ୍ଥା କରିଛନ୍ତି। ଶୁକ୍ରବାର ରାଜ୍ୟ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ କରିଥିବା ଘୋଷଣା ଅନୁଯାୟୀ ଯେଉଁ ନିଟ୍ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ଦେବା ଲାଗି ବାହାର ରାଜ୍ୟକୁ ଯିବାକୁ ପଡିବ ସେମାନଙ୍କୁ ରାଜ୍ୟ ସରକାର ଗସ୍ତ ଖର୍ଚ୍ଚ ଦେବେ। ଉଭୟ ପରୀକ୍ଷାର୍ଥୀ ଓ ସହଯାତ୍ରୀଙ୍କୁ ଗସ୍ତ ବାବଦ ଭତ୍ତା ପ୍ରଦାନ କରାଯିବ। ପରୀକ୍ଷାର୍ଥୀ ଓ ସହଯାତ୍ରୀଙ୍କୁ ଦ୍ୱିତୀୟ ଶ୍ରେଣୀ ରେଳଯାତ୍ରା କିମ୍ବା ବସ ଭଡା ଅନୁଯାୟୀ ଭତ୍ତା ପ୍ରଦାନ କରାଯିବ। ଏହା ସହିତ ପରୀକ୍ଷାର୍ଥୀଙ୍କୁ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୧୦୦୦ଟଙ୍କା ପ୍ରଦାନ କରାଯିବ। ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବାକୁ ଯିବା ପୂର୍ବରୁ ଏହି ଭତ୍ତା ପାଇପାରିବେ। ଜିଲା ଶିକ୍ଷା ଅଧିକାରୀଙ୍କ ଠାରୁ ଏହି ଭତ୍ତା ଅର୍ଥ ପାଇପାରିବେ। ଅଥବା ପରୀକ୍ଷାରୁ ଫେରିବା ପରେ ଆବଶ୍ୟକ କାଗଜପତ୍ର ଉପସ୍ଥାପନ ପୂର୍ବକ ଅର୍ଥ ପାଇପାରିବେ। ଯେଉଁ ପିଲାମାନେ ଆଗୁଆ ଅର୍ଥ ନେଇଥିବେ ସେମାନେ ପରୀକ୍ଷାରୁ ଫେରିବା ପରେ କାଗଜପତ୍ର ଜମା ଦେବେ। ନିଜର ଘୋଷଣା ବାବଦରେ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ କହିଛନ୍ତି ଯେ ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅନ୍ୟ ରାଜ୍ୟରେ ହେଉଥିବା ପ୍ରତିଯୋଗିତା ମୂଳକ ପରୀକ୍ଷା ଦେବାରେ କେତେକ ପିଲା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ସେମାନଙ୍କ ପାଇଁ ଏପରି ସହାୟତା ବ୍ୟବସ୍ଥା କରାଯାଇଛି। ପରୀକ୍ଷା ଦେବାରେ ଯଦି କୌଣସି ପିଲା ଅସୁବିଧାର ସମ୍ମୁଖୀନ ହୁଏ ତେବେ ସେମାନେ ଟୋଲ ଫ୍ରି ନମ୍ବରକୁ ଫୋନ କରି ସହାୟତା ଲୋଡି ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।