ନୱାଜ ସରିଫ ଆଜିକା ଯୁଗର ମିର୍ଜାଫର : ଇମ୍ରାନ ଖାନ

0

ଇସଲାମାବାଦ : ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନ ଆତଙ୍କବାଦୀ ସମ୍ପୃକ୍ତ ଥିଲେ ବୋଲି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ସ୍ୱୀକାର କରିବା ପରେ ତହରିକ୍‌-ଏ-ଇନସାଫ (ପିଟିଆଇ) ପ୍ରତିଷ୍ଠାତା ତଥା ରାଜନେତା ଇମ୍ରାନ ଖାନ ତାଙ୍କ ଉପରେ ବର୍ଷିଛନ୍ତି । ଇମ୍ରାନ କହିଛନ୍ତି ଯେ ଅସଦ ଉପାୟରେ ଆୟ କରିଥିବା ଅର୍ଥକୁ ଲୁଚାଇବା ଏବଂ ନିଜ ପୁଅର କମ୍ପାନୀଗୁଡ଼ିକୁ ଫାଇଦା ପହଞ୍ଚାଇବା ପାଇଁ ନୱାଜ ସରିଫ ନରେନ୍ଦ୍ର ମୋଦିଙ୍କ ଭାଷା କହୁଛନ୍ତି । ଏହାସହ ନୱାଜଙ୍କୁ ସେ ଆଧୁନିକ ଯୁଗର ମିର୍ଜାଫର ବୋଲି ଅଭିହିତ କରିଛନ୍ତି । ଉଲ୍ଲେଖ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଡନ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ମୁମ୍ବଇ ଆକ୍ରମଣରେ ପାକିସ୍ତାନର ହାତ ଥିଲା ବୋଲି ସ୍ୱୀକାର କରିଥିଲେ । ଏହାପରେ ଇମ୍ରାନ ଟ୍ୱିଟ୍‌ କରି ନୱାଜ ସରିଫଙ୍କୁ ଆଜିର ଯୁଗର ମିର୍ଜାଫର, ଯିଏ ବ୍ୟକ୍ତିଗତ ଲାଭ ପାଇଁ ଦେଶକୁ ଗୋଲାମ କରିବାରେ ଇଂରେଜଙ୍କୁ ସହଯୋଗ କରିଥିଲା ବୋଲି କହିଥିଲେ । ନୱାଜ ଅସଦଉପାୟରେ ଆୟ କରିଥିବା ୩୦୦ କୋଟି ଟଙ୍କା ଏବଂ ବିଦେଶରେ ଥିବା ନିଜ ପୁଅର କମ୍ପାନୀ ପାଇଁ ପାକିସ୍ତାନ ବିରୋଧରେ ମୋଦିଙ୍କ ଭାଷା କହୁଛନ୍ତି ବୋଲି ଟ୍ୱିଟ୍‌ କରିଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ ମିର୍ଜାଫର ବଙ୍ଗ ନବାବ ସିରାଜୁଦଲ୍ଲାଙ୍କ ସେନାଧ୍ୟକ୍ଷ ଥିଲା । ୧୭୫୭ର ପ୍ରସିଦ୍ଧ ପଲାସି ଯୁଦ୍ଧ ସମୟରେ ମିର୍ଜାଫର ବିଶ୍ୱାସଘାତ କରି ଇଷ୍ଟ ଇଣ୍ଡିଆ କମ୍ପାନୀକୁ ସହଯୋଗ କରିବା ସହ ଯୁଦ୍ଧ କ୍ଷେତ୍ରରୁ ନିଜ ସେନାକୁ ନେଇ ଚାଲିଯାଇଥିଲା । ଫଳରେ ଏହି ଯୁଦ୍ଧରେ ସିରାଜୁଦଲ୍ଲାଙ୍କ ପରାଜୟ ବରଣ କରିଥିଲେ ଓ ଭାରତର କିଛି ଅଂଶ ଇଂରେଜଙ୍କ ହାତକୁ ଚାଲିଯାଇଥିଲା।

Leave A Reply