ମହିଳା ସଶକ୍ତୀକରଣ ଡବଲ ଇଞ୍ଜିନର ପରିଭାଷା: ନବୀନ
ଭୁବନେଶ୍ୱର : ଚଳିତ ନିର୍ବାଚନ ପ୍ରଚାରରେ ‘ଡବଲ ଇଞ୍ଜିନ’ ବିଜେପିର ଏକ ବହୁ ଚର୍ଚ୍ଚିତ ସ୍ଲୋଗାନ ପାଲଟିଛି। ଏପରିକି ବିଜେପିର ତୁଙ୍ଗ ନେତୃବୃନ୍ଦ ଏହି ସ୍ଲୋଗାନକୁ ପ୍ରତିଟି ସଭାରେ ଦୋହରାଇବା ସହ ରାଜ୍ୟର ଶାସନ ଡୋରିରେ ପରିବର୍ତ୍ତନ ଆବଶ୍ୟକ ବୋଲି କହୁଛନ୍ତି। ଓଡ଼ିଶାକୁ ଘନ ଘନ ନିର୍ବାଚନ ପ୍ରଚାରରେ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବିଜେପିକୁ ଭୋଟଦେଇ କେନ୍ଦ୍ର ଓ ରାଜ୍ୟରେ ‘ଡବଲ ଇଞ୍ଜିନ’ର ସରକାର ଗଠନ ପାଇଁ ଆହ୍ବାନ ଦେଉଛନ୍ତି। ଏହାଦ୍ବାରା ବିକାଶ ତ୍ବରାନ୍ବିତ ହୋଇପାରିବ ବୋଲି ସେମାନେ ପ୍ରକାଶ କରିଛନ୍ତି। ଏହି ସ୍ଲୋଗାନକୁ ନେଇ ବିଜେଡି ବିରୋଧରେ ବିଜେପି ଆରମ୍ଭ କରିଛି ଛାୟାଯୁଦ୍ଧ। ଏହାର ଉତ୍ତର ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ସେ କହିଛନ୍ତି ଯେ ଏ ପ୍ରସଙ୍ଗରେ ବିଜୁ ଜନତା ଦଳ ପାଇଁ ଡବଲ ଇଞ୍ଜିନର ପରିଭାଷା ଭିନ୍ନ। ଭାରତକୁ ଯଦି ବିକାଶର ଶିଖରରେ ପହଞ୍ଚାଇବାର ଅଛି ତେବେ ଦେଶର ରାଜନୈତିକ ଦୃଶ୍ୟପଟ୍ଟରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ମହିଳା ସଶକ୍ତୀକରଣ ଜରୁରୀ। ଏହା ହେଉଛି ଆମ ଦେଶ ଆବଶ୍ୟକ କରୁଥିବା ପ୍ରକୃତ ଡବଲ ଇଞ୍ଜିନ ଏବଂ ଏହାଦ୍ବାରା ବିକାଶ ଓ ସମତା ଆସିପାରିବ। ନବୀନ କହିଛନ୍ତି ଯେ ବିଜୁ ଜନତା ଦଳ ହେଉଛି ଦେଶରେ ପ୍ରଥମ ରାଜନୈତିକ ଦଳ ଯିଏ ପ୍ରଥମ କରି ୩୩ପ୍ରତିଶତ ମହିଳାଙ୍କୁ ଲୋକସଭାକୁ ପଠାଇବା ପାଇଁ ନିଷ୍ପତ୍ତି ଇେଛି। ଏହି ନିଷ୍ପତ୍ତି ଦଳ ପାଇଁ ସ୍ମରଣୀୟ। ବିଜେଡି ସଭାପତି ଭାବେ ଏହା ଥିଲା ମୋ ପାଇଁ ସବୁଠାରୁ ଖୁସିର ମୁହୂର୍ତ୍ତ। ଦେଶର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣ କ୍ଷେତ୍ରରେ ଯେଉଁ ଦେଶ ମହିଳାଙ୍କ ଉପଯୁକ୍ତ ପ୍ରତିନିଧିତ୍ବ ପାଇଁ ସୁଯୋଗ ସୃଷ୍ଟି କରେ ନାହିଁ ତାହା ସିଙ୍ଗଲ ଇଞ୍ଜିନରେ ଚାଲିବା ପରି ହୋଇଥାଏ। ବିଜେପି ଓ କଂଗ୍ରେସ ଉଦ୍ଦେଶ୍ୟରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଉଭୟ ଜାତୀୟ ଦଳ ସେମାନଙ୍କ ଇସ୍ତାହାରରେ ମହିଳା ସଶକ୍ତୀକରଣ ବିଷୟ କହିଆସୁଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଉଦ୍ଦେଶ୍ୟମୂଳକ ନିରବତା ଅବଲମ୍ବନ କରୁଛନ୍ତି। ସେମାନଙ୍କ ନିରବତା ଭାଙ୍ଗିବାକୁ ବିଜେଡ଼ି ତା’ର ଭୂମିକା ତୁଲାଉଛି। ବିଜେଡିର ୭ ମହିଳା ପ୍ରାର୍ଥୀଙ୍କ ସ୍ବର ଲୋକସଭାରେ ପ୍ରତିଧ୍ବନିତ କରିବା ପାଇଁ ଓଡ଼ିଶାବାସୀ ସୁଯୋଗ ଦେବେ ବୋଲି ଆମର ଭରସା ଅଛି। ଓଡ଼ିଶାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଜାତୀୟ ଦଳମାନଙ୍କୁ ନିଶ୍ଚୟ ପ୍ରଭାବିତ କରିବ। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାରେ ସାମାଜିକ ଓ ଅର୍ଥନୈତିକ ସୂଚକାଙ୍କରେ ଯେଉଁ ପରିବର୍ତ୍ତନ ଆସିଛି ତାହା ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ଆମ ମହିଳା ନେତ୍ରୀମାନଙ୍କର। ମିଶନ ଶକ୍ତି ଆନ୍ଦୋଳନରେ ସାମିଲ ହୋଇଥିବା ୭୦ଲକ୍ଷ ମା’ମାନଙ୍କୁ ସେ ଏହାର ଶ୍ରେୟ ଦେଇଛନ୍ତି। ସେ କହିଛନ୍ତି ଯେ ବିଜୁବାବୁ ମହିଳା ସଶକ୍ତୀକରଣର ଜଣେ ଅଗ୍ରଗଣ୍ୟ ସାରଥି ଥିଲେ। ମହିଳାଙ୍କ ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନରେ ସେ ୩୩ପ୍ରତିଶତ ସଂରକ୍ଷଣ ଆରମ୍ଭ କରିଥିବାବେଳେ ଆମେ ତାକୁ ୫୦ପ୍ରତିଶତକୁ ବୃଦ୍ଧି କରିଥିଲୁ। ଆରମ୍ଭରୁ ଏହାକୁ ବହୁତ ସମାଲୋଚନା କରାଯାଇଥିଲା। ଆଜି ୬୦ହଜାର ମହିଳା ଓଡ଼ିଶାରେ ସରପଞ୍ଚ, ୱାର୍ଡ଼ ମେମ୍ବର, ସମିତି ସଭ୍ୟା, ଜିଲା ପରିଷଦ ସଭ୍ୟା ଓ ସଭାନେତ୍ରୀ ଭାବେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। ନବୀନ କହିଛନ୍ତି, ଯଦି ରାଜନୀତି ହେଉଛି କ୍ଷମତା, ତେବେ ଏହାର ପରିପ୍ରକାଶରେ ମହିଳାମାନେ ଅଧିକ ମାନବୀୟ ସ୍ପର୍ଶ ଦେଇପାରିବେ। ଯଦି ରାଜନୀତି ଗୋଟିଏ ଦେଶର ମୂଲ୍ୟବୋଧକୁ ନିର୍ଦ୍ଧାରଣ କରିପାରେ ତେବେ ଲୋକସଂଖ୍ୟାର ଅର୍ଦ୍ଧେକଙ୍କୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ପାଇଁ ସୁଯୋଗ ନଦେବା କ’ଣ ବିଜ୍ଞତାର ପରିଚାୟକ ବୋଲି ସେ ପ୍ରଶ୍ନ କରିଛନ୍ତି।
Comments are closed.