ଡେସ୍କ: ଚଳିତ ମାସ ୨୮ ଓ ୨୯ରେ ଦିଲ୍ଲୀରେ ହେବାକୁ ଥିବା ମୁଖ୍ୟ ଶାସନ ସଚିବମାନଙ୍କର ତୃତୀୟ ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ। ଏଥିରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି, ମୁଖ୍ୟ ଶାସନ ସଚିବ ଏବଂ ସମସ୍ତ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ମିଶାଇ ୨୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରି ଉଭୟ ଗ୍ରାମୀଣ ଏବଂ ସହରାଞ୍ଚଳ ଜନସାଧାରଣଙ୍କ ଉନ୍ନତ ମାନର ଜୀବନ ଧାରଣ ପାଇଁ ସହଯୋଗୀ କାର୍ଯ୍ୟ ପାଇଁ ଭିତ୍ତିଭୂମି ସ୍ଥାପନ କରିବା ନେଇ ଆଲୋଚନା ହେବ।
ଚଳିତ ବର୍ଷ ଏହି ଜାତୀୟ ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ହେଉଛି ‘ଇଜ୍ ଅଫ୍ ଲିଭିଂ’। ବିଶେଷ ଭାବେ କଲ୍ୟାଣମୂଳକ ଯୋଜନାଗୁଡ଼ିକର ସହଜ ଉପଲବ୍ଧତା ଏବଂ ସେବା ଯୋଗାଣରେ ଗୁଣବତ୍ତା ଉପରେ ସମ୍ମିଳନୀରେ ୫ଟି ଉପ-ବିଷୟ ବସ୍ତୁ ଉପରେ ଆଲୋଚନା କରାଯିବ। ସେଗୁଡିକ ହେଉଛି ଭୂମି ଓ ସମ୍ପତ୍ତି, ବିଜୁଳି, ପିଇବା ପାଣି, ସ୍ଵାସ୍ଥ୍ୟ ଏବଂ ବିଦ୍ୟାଳୟ ଶିକ୍ଷା। ଏହାବ୍ୟତୀତ ସାଇବର ସିକ୍ୟୁରିଟି: ନୂତନ ଚ୍ୟାଲେଞ୍ଜ ଉପରେ ମଧ୍ୟ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ।



