ନବନିର୍ମାଣ ସ୍ୱରାଜ ସରକାର ପକ୍ଷରୁ ପ୍ରାୟଶ୍ଚିତ ସତ୍ୟାଗ୍ରହ

କେନ୍ଦୁଝରଗଡ : ନବନିର୍ମାଣ ସ୍ୱରାଜ ସରକାର କେନ୍ଦୁଝର ଜିଲା ଶାଖା ପକ୍ଷରୁ ଜିଲାପାଳ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନିକିଆ ପ୍ରାୟଶ୍ଚିତ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଜିଲା ସଂଯୋଜକ ଲକ୍ଷ୍ମୀଧର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସହସଂଯୋଜକ ଉମାକାନ୍ତ ଭାରତ ଯୋଗଦେଇ ଚାଷୀମାନଙ୍କୁ ଭୁବନେଶ୍ୱରରେ ପ୍ରବେଶ ଅନୁମତି ଦିଆନଯାଇ ସେମାନଙ୍କୁ ଯେଭଳି ଭାବେ ଅଗଣତାନ୍ତ୍ରିକ ଭାବେ ଗିରଫ କରାଯାଇ ଆନ୍ଦୋଳନକୁ ଭଣ୍ଡୁର କରାଯାଉଛି ଆଗାମୀ ଦିନରେ ସଙ୍ଗଠନ ତା’ର ଉଚିତ୍‌‌ ଜବାବ ଦେବ ବୋଲି ଉପସ୍ଥିତ ଚାଷୀ ମାନଙ୍କୁ ଆହ୍ୱାନ ଦେଇ ଏହା କହିଥିଲେ । ୨୩ବର୍ଷର ଅପାରଗ ଓ କୁଶାସନ ବିରୋଧରେ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଅଗଷ୍ଟ ୯ କ୍ରାନ୍ତୀ ଦିବସରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଲୋୟର ପିଏମଜି ଛକରେ ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ସାମିଲ ପରିପ୍ରେକ୍ଷୀରେ ରାଜ୍ୟବ୍ୟାପୀ ଏହି ପ୍ରାୟଶ୍ଚିତ ସତ୍ୟାଗ୍ରହ ସମସ୍ତ ଜିଲା ମୁଖ୍ୟାଳୟରେ ଆୟୋଜିତ ହେଉଥିବା ଶ୍ରୀ ଭାରତ କହିଥିଲେ। ଖଣି କମ୍ପାନୀ ମାନଙ୍କ ଠାରୁ ଖଣି ଦୁର୍ନୀତି ବାବଦ ଆଦାୟ ୬୦ହଜାର କୋଟି ଟଙ୍କାକୁ ୧୫,୫୭୬କୋଟି ଟଙ୍କାରେ ପରିଣତ କରି ଏହି ଅର୍ଥକୁ ଆତ୍ମସାତ୍‌‌ କରି ଖଣି କମ୍ପାନୀମାନଙ୍କୁ କେନ୍ଦୁଝର ଜିଲାରେ ରାଜ୍ୟ ସରକାର ଯେଭଳି ଭାବେ ପ୍ରୋତ୍ସାହନ କରି ଆସୁଛନ୍ତି ତାହାର ଉଚିତ ଜବାବ ଚାଷୀ ମାନେ ଦେବେ ବୋଲି ଶ୍ରୀ ଭାରତ କହିଥିଲେ । ଖଣି ଓ ଶିଳ୍ପରେ ଭରପୁର କେନ୍ଦୁଝର ଜିଲାରେ ବେକାରୀ ସମସ୍ୟା ବୃଦ୍ଧି, ବିକାଶ ନାମରେ ମଦର ବନ୍ୟା କରାଯାଇ ଯୁବସମାଜକୁ ପଥଭ୍ରଷ୍ଟ କରିବା, ଚାଷୀଙ୍କ ଜମିକୁ ଜଳ ଯୋଗାଣ ପରିବର୍ତ୍ତେ ଖଣି କମ୍ପାନୀକୁ ପାଇପ ଯୋଗେ ଲୁହାପଥର ପରିବହନ ପାଇଁ ନଦୀ ଜଳକୁ ଅନୁମତି ଦେବା, ଚାଷୀଙ୍କ ପାଇଁ ସାର ଗୋଦାମ ଗୃହ ଓ ଶୀତଳ ଭଣ୍ଡାର କାର୍ଯ୍ୟକାରୀ ହୋଇନପାରିବା, ଧାନ ମଣ୍ଡିରେ ଚାଷୀଙ୍କ ଠାରୁ କଟନୀ ଛଟନୀ ବାବଦକୁ କ୍ୟୁଣ୍ଟାଲ ପ୍ରତି ୫କି.ଗ୍ରା. ଧାନ କାଟିବା ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ଶ୍ରୀ ଭାରତ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ସହସଂଯୋଜକ ଖଗେଶ୍ୱର ମହାନ୍ତ, ସଙ୍ଗଠକ ଶୁଭଶ୍ମୀତା ଭାରତ, ଇନ୍ଦ୍ରମଣୀ ବିଶ୍ୱାଳ, ବିଳାସିନୀ ମହାନ୍ତ, ଶ୍ୟାମସୁନ୍ଦର ମହାନ୍ତ, ଯତୀନ୍ଦ୍ର ମହାନ୍ତ, ଉମାକାନ୍ତ ମହାନ୍ତ, କୁଶଧ୍ୱଜ ମହାନ୍ତ, ମାଧବୀ ମହାନ୍ତ, ପୂର୍ଣ୍ଣଚନ୍ଦ୍ର ସାହୁ, ସୁମିତ୍ରା ମାରାଣ୍ଡି, କେଶବ ନାୟକ, ରାଜବଲ୍ଲଭ ମିଶ୍ର, ବୀରେନ୍ଦ୍ର ମହାନ୍ତ, ରୁନୁ ବେହେରା ପ୍ରମୁଖ ଯୋଗଦେଇ ଏହି ସତ୍ୟାଗ୍ରହରେ ସାମିଲ ହେବା ସହ କେନ୍ଦୁଝର ଜିଲାର ଚାଷୀ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଡିଏମଏଫ୍‌‌ ପାଣ୍ଠିକୁ ଚାଷୀଙ୍କ କଲ୍ୟାଣ ପାଇଁ ମଧ୍ୟ ବିନିଯୋଗ କରାଯାଉ ବୋଲି ଦାବି କରିଥିଲେ।

Comments are closed.