ରାତି ୩ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଶୁଣାଣି କଲେ ମୁମ୍ବଇ କୋର୍ଟ

0

ମୁମ୍ବଇ : ଦେଶର ବିଭିନ୍ନ ନ୍ୟାୟାଳୟରେ ଲକ୍ଷାଧିକ ମାମଲା ବିଚାର ନିମନ୍ତେ ପଡ଼ି ରହିଥିବା ବେଳେ ଯଥାଶୀଘ୍ର ସେଗୁଡିକର ବିଚାର ଲାଗି ନ୍ୟାୟପାଳିକାର ଉଦ୍ୟମ ସଫଳ ହୋଇପାରୁ ନାହିଁ। ଏଭଳି ସ୍ଥିତିରେ ମୁମ୍ବଇ ହାଇକୋର୍ଟ ବିଚାରପତି ଶାହରୁଖ ଜେ. କଥୱାଲା ଶୁକ୍ରବାର ରାତି ୩ଟା ୩୦ ପର୍ଯ୍ୟନ୍ତ ବିଭିନ୍ନ ମାମଲାର ଶୁଣାଣି କରି ବିଚାର ବିଭାଗ ନିମନ୍ତେ ଏକ ଉଦାହାରଣ ସୃଷ୍ଟି କରିଛନ୍ତି। ଗ୍ରୀଷ୍ମକାଳୀନ ଛୁଟି ପୂର୍ବରୁ ଶୁକ୍ରବାର କୋର୍ଟର ଶେଷ କାର୍ଯ୍ୟଦିବସ ଥିଲା। ଏଣୁ ବହୁ ଦିନରୁ ପଡି ରହିଥିବା ତଥା ଜରୁରୀକାଳୀନ ଶୁଣାଣି ନିମନ୍ତେ ଉଦ୍ଦିଷ୍ଟ ସମସ୍ତ ମାମଲାଗୁଡିକର ବିଚାର ଛୁଟି ପୂର୍ବରୁ ଶେଷ କରିବାକୁ ବିଚାରପତି କଥୱାଲା ଉଦ୍ୟମ କରିଥିଲେ। ଏନେଇ ସେ ଶୁକ୍ରବାର ଅନ୍ୟ ବିଚାରପତିମାନଙ୍କ ତୁଳନାରେ ଏକ ଘଣ୍ଟା ଆଗୁଆ ସକାଳ ୧୦ଟାରେ ଶୁଣାଣି ଆରମ୍ଭ କରିଥିଲେ। ଅନ୍ୟ ବିଚାରପତିମାନେ ସନ୍ଧ୍ୟା ୫ଟାରେ ଶୁଣାଣି ଶେଷ କରିଥିବା ବେଳେ ସେ ରାତି ୩ଟା ୩୦ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଜାରି ରଖିଥିଲେ। ଗୋଟିଏ ପରେ ଗୋଟିଏ ଆବେଦନର ଶୁଣାଣି କରି ସେ ରାୟ ଦେଇଥିଲେ। ଏହି ଶୁଣାଣି ବେଳେ ବରିଷ୍ଠ ଓକିଲ, ଆଇନଜୀବୀ ଏବଂ ମାମଲାର ପକ୍ଷମାନେ କୋର୍ଟ ଗୃହରେ ଉପସ୍ଥିତ ଥିଲେ। ଅନ୍ତରୀଣ ସୁରକ୍ଷା ପ୍ରଦାନ ସମ୍ବନ୍ଧୀୟ ୧୦୦ରୁ ଊର୍ଦ୍ଧ୍ବ ଆବେଦନ ଉପରେ ବିଚାର ହୋଇଥିଲା ବୋଲି କୋର୍ଟରେ ଉପସ୍ଥିତ ଥିବା ଜଣେ ବରିଷ୍ଠ ଓକିଲ କହିଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ କାର୍ଯ୍ୟ କରିବା ସତ୍ତ୍ୱେ ଶନିବାର ସକାଳେ ସେ ବଳକା କାମ ଶେଷ କରିବା ଲାଗି ନିଜ ଚ୍ୟାମ୍ବରରେ ପହଞ୍ଚିଥିଲେ ବୋଲି କୋର୍ଟର କର୍ମଚାରୀମାନେ କହିଛନ୍ତି। ତେବେ ବିଚାରପତି କଥୱାଲା ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୁଣାଣି କରିବା ପ୍ରଥମ ଘଟଣା ନୁହେଁ; ଗତ ସପ୍ତାହରେ ସେ ମଧ୍ୟରାତି ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ କରିଥିଲେ।

Leave A Reply