ଲୋକପାଳ ନିଯୁକ୍ତି ମାମଲା : ଚୟନ କମିଟିରେ ମୁକୁଲ ରୋହତଗୀ

0

ନୂଆଦିଲ୍ଲୀ : ଲୋକପାଳ ନିଯୁକ୍ତି ମାମଲାରେ ଆଉ ଏକ ପାଦ ଆଗକୁ ବଢାଇ କେନ୍ଦ୍ର ସରକାର ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀଙ୍କୁ ନାମକରା ବ୍ୟକ୍ତି ଭାବେ ଚୟନ କମିଟିରେ ସାମିଲ କରିଛନ୍ତି। ମେ’ ୧୧ରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତିି ନିଆଯାଇଛି ବୋଲି ଆଟର୍ଣ୍ଣି ଜେନେରାଲ କେକେ ଭେଣୁକୋପାଳ ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ଲୋକପାଳ ନିଯୁକ୍ତି ପାଇଁ ଆଉ କେତେ ସମୟ ଲାଗିବ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ। ଏହା ଉପରେ ଉତ୍ତର ରଖି ଭେଣୁଗୋପାଳ କହିଥିଲେ ଯେ ଆଉ କିଛି ସମୟ ଲାଗିବ। ଏହି ମାମଲାର ଆସନ୍ତା ଶୁଣାଣି ଜୁଲାଇରେ ହେବ। ଲୋକପାଳ ନିଯୁକ୍ତି ମାମଲାରେ ଗତ ଅପ୍ରେଲ ମାସରେ ସୁପ୍ରିମକୋର୍ଟ ଆଶା ବ୍ୟକ୍ତ କରିଥିଲେ ଯେ କେନ୍ଦ୍ର ସରକାର ଖୁବଶୀଘ୍ର ଲୋକପାଳ ନିଯୁକ୍ତି ଦେବେ। ଏ କ୍ରମରେ ସରକାର ନାମକରା ବ୍ୟକ୍ତିଙ୍କ ଏକ ଚୟନ ତାଲିକା ପ୍ରସ୍ତୁତ କରିଛନ୍ତି ଓ ପ୍ରକ୍ରିୟା ଜାରି ରହିଛି ବୋଲି ଆଟର୍ଣ୍ଣି ଜେନେରାଲ ବେଣୁଗୋପାଳ କହିଛନ୍ତି। ସେପଟେ କମନ୍‍ କଜ ପକ୍ଷରୁ ମାଲା ଲଢୁଥିବା ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ସରକାର ଜାଣିଶୁଣି ନିଯୁକ୍ତିକୁ ଝୁଲାଇ ରଖିଛନ୍ତି। ୪ ବର୍ଷ ପରେ ସରକାର ଚୟନ ପ୍ୟାନେଲ ନିଯୁକ୍ତ କରିଛନ୍ତି। ଏହି କମିଟି ନିଜ କାର୍ଯ୍ୟ ଆରମ୍ଭ କଲେ ୭ ସଦସ୍ୟ ବିଶିଷ୍ଟ ଏକ ସ୍କ୍ରିନିଂ କମିଟି ଗଠନ କରିବାକୁ ପଡିବ। ଏଥିପାଇଁ ବି ସଦସ୍ୟ ଖୋଜିବାକୁ ପଡ଼ିବ ଓ ସରକାର ଅନ୍ୟୁନ୍‍ ଆଉ ୭ ବର୍ଷ ନେବେ ବୋଲି ସେ କଟାକ୍ଷ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଲୋକପାଲ ବିଲ୍‍ ୨୦୧୩ ଡିସେମ୍ବର ୧୩ରେ ରାଜ୍ୟସଭାରେ ଆଗତ କରାଯାଇଥିଲା ଓ ୧୭ ଡିସେମ୍ବରରେ ପାରିତ ହୋଇଥିଲା। ୧୮ ଡିସେମ୍ବରରେ ଏହା ଲୋକସଭାରେ ପାରିତ ହୋଇଥିଲା।

Leave A Reply