ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଦାବିରେ ମୁକ୍ତିକାନ୍ତଙ୍କ ଅନଶନ ଆରମ୍ଭ

0

ନୂଆଦିଲ୍ଲୀ : ପୂର୍ବ ପ୍ରତିଶ୍ରୁତି ମୁତାବକ ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଏବଂ ଆଇଜିଏଚକୁ ସୁପର ସ୍ପେଶାଲିଟି ହସପିଟାଲ ଭାବେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଦାବିରେ ସ୍ଥାନୀୟ ସଂସଦ ମାର୍ଗରେ ଅନଶନରତ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଆଜି ସଂଧ୍ୟାରେ ଦିଲ୍ଲୀ ପୋଲିସ ଉଠାଇନେଇ ରାମମନୋହର ଲୋହିଆ ହସପିଟାଲରେ ଭର୍ତ୍ତି କରିଥିଲା। ଡାକ୍ତରଖାନାର ଆଶୁ ଚିକିତ୍ସା ବିଭାଗର ଡାକ୍ତରୀ ଦଳ ମୁକ୍ତିକାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବା ପରେ ଛାଡ଼ି ଦେଇଥିଲେ। ଅନଶନ ଜାରି ରଖିବା ପାଇଁ ମୁକ୍ତିକାନ୍ତ ଡାକ୍ତରଖାନାରୁ ବାହାରି ସିଧାସଳଖ ସ୍ଥାନୀୟ ରାମଲୀଳା ମୈଦାନରେ ପହଞ୍ଚିଥିଲେ। ରାମଲୀଳା ମୈଦାନରେ ମୁକ୍ତିକାନ୍ତ ଅନଶନ ଜାରି ରଖିଥିବାର ଜଣାପଡ଼ିଛି। ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଅନୁମତି ପାଇବା ପରେ ଅନଶନ ଭଙ୍ଗ କରିବି ବୋଲି ମୁକ୍ତିକାନ୍ତ ‘ସମାଜ’କୁ କହିଛନ୍ତି।
ପୂର୍ବରୁ ସଂସଦ ମାର୍ଗରେ ଅନଶନ କରିବା ପାଇଁ ଦିଲ୍ଲୀ ପୁଲିସ ଅନୁମତି ଦେଇନଥିଲା। ରାମଲୀଲା ମୈଦାନରେ ମୁକ୍ତିକାନ୍ତ ଅନଶନ କରିବାକୁ ଚାହିଁଥିଲେ ମଧ୍ୟ ପୋଲିସ ତାଙ୍କ ଆବେଦନ ପତ୍ରକୁ ଗ୍ରହଣ କରିବାକୁ ମନା କରିଦେଇଥିଲା। ଫଳରେ ବାଧ୍ୟହୋଇ ଆଜି ସକାଳେ ସ୍ଥାନୀୟ ସଂସଦ ମାର୍ଗରେ ମୁକ୍ତିକାନ୍ତ ଅନଶନରେ ବସିଥିଲେ। ମୁକ୍ତିକାନ୍ତଙ୍କ ଅନଶନ ବିଷୟରେ ଜାଣିବା ପରେ ଦିଲ୍ଳୀ ପୁଲିସର ଏକ ଟିମ୍‌ ତୁରନ୍ତ ଅନଶନସ୍ଥଳକୁ ଆସି ଉଠିଯିବା ପାଇଁ ତାଗିଦା କରିଥିଲେ। ଏକ ସାଦା କାଗଜରେ ଦସ୍ତଖତ କରିବା ପାଇଁ ମୁକ୍ତିକାନ୍ତଙ୍କ ଉପରେ ବାରମ୍ବାର ଚାପ ପ୍ରୟୋଗ କରିଥିଲେ। ଅନଶନସ୍ଥଳରେ ଡାକବାଜି ଯନ୍ତ୍ର ବ୍ୟବହାର କରାଯାଉନାହିଁ, ଯାତାୟାତରେ ତାଙ୍କ ଅନଶନ ବାଧାସୃଷ୍ଟି କରୁନାହିଁ। ଏପରିସ୍ଥଳେ ଅନଶନରୁ ଉଠିଯିବାର ପ୍ରଶ୍ନ ଉଠୁନାହିଁ ବୋଲି ଦିଲ୍ଲୀ ପୁଲିସକୁ ରୋକ୍‌ଠୋକ ଭାବେ ଅନଶନରତ ମୁକ୍ତିକାନ୍ତ ଜଣାଇଦେଇଥିଲେ। ମୁକ୍ତିକାନ୍ତ ଏବଂ ପୁଲିସଙ୍କ ମଧ୍ୟରେ ବହୁ ସମୟ ଧରି କଥା କଟାକଟି ହୋଇଥିଲା।
ଘଟଣାସ୍ଥଳରେ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧି ମୁକ୍ତିକାନ୍ତଙ୍କୁ ସମର୍ଥନ କରି ପୁଲିସ ଅଧିକାରୀଙ୍କ ସହ ଯୁକ୍ତିତର୍କ କରିବାରୁ ଘଟଣାସ୍ଥଳରୁ ଦିଲ୍ଲୀ ପୁଲିସ ଟିମ୍‌ ଫେରିଯାଇଥିଲ। ଦିନତମାମ୍‌ ମୁକ୍ତିକାନ୍ତଙ୍କ ଅନଶନକୁ ସମର୍ଥନ କରି ବହୁ ଓଡ଼ିଆ ସଂଗଠନର ପ୍ରତିନିଧି ଏବଂ ବ୍ୟକ୍ତିବିଶେଷ ଅନଶନସ୍ଥଳରେ ପହଞ୍ଚିଥିଲେ। ଜାତୀୟ ମାନବାଧିକାର ଆୟୋଗ କୋର କମିଟି ସଦସ୍ୟ ମନୋଜ ଜେନା ଅନଶନସ୍ଥଳରେ ମୁକ୍ତିକାନ୍ତଙ୍କୁ ସମର୍ଥନ କରି ଧାରଣା ଦେଇଥିଲେ।

kalyan agarbati
Leave A Reply