ଓଡ଼ିଶା ପାଇଁ ଗୌରବ- ବିଶ୍ୱ ପାଣିପାଗ ସଙ୍ଗଠନର ଉପାଧ୍ୟକ୍ଷ ହେଲେ ମୃତ୍ୟୁଞ୍ଜୟ ମହାପାତ୍ର

ଡେସ୍କ: ବିଶ୍ବ ପାଣିପାଗ ସଙ୍ଗଠନ (ଡବ୍ଲ୍ୟୁଏମଓ) ଉପାଧ୍ୟକ୍ଷ ଭାବେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ନିର୍ବାଚିତ ହୋଇଛନ୍ତି। ଏ ସଂକ୍ରାନ୍ତରେ ଡବ୍ଲ୍ୟୁଏମଓ ଟ୍ବିଟ କରି ସୂଚନା ଦେଇଛନ୍ତି। ବିଶ୍ବ ପାଣିପାଗ ସଂସ୍ଥାନରେ ୧୪୮ଟି ଦେଶ ସଦସ୍ୟ ରହିଛନ୍ତି। ୧୪୮ଟି ଭୋଟ ମଧ୍ୟରୁ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୧୧୩ ଖଣ୍ଡ ଭୋଟ ମିଳିଥିଲା। ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ ଭଦ୍ରକ ମହାବିଦ୍ୟାଳୟରୁ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ସେ ଏମ.ଏସସି(ପଦାର୍ଥ ବିଜ୍ଞାନ) ଏବଂ ପଦାର୍ଥ ବିଜ୍ଞାନରେ ପିଏଚ.ଡି କରିଛନ୍ତି। ପାଣିପାଗ କେନ୍ଦ୍ର ପୁଣେ, ପାଣିପାଗ ମୁଖ୍ୟାଳୟ ଦିଲ୍ଲୀ, ଭୁବନେଶ୍ବର ପାଣିପାଗ କେନ୍ଦ୍ରରେ କାମ କରିବା ସହିତ ବାଲେଶ୍ବର ଜିଲା ଜଳେଶ୍ବର ଡି.କେ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନରେ ଅଧ୍ୟାପକ ଭାବେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଇଛନ୍ତି।

୧୨ ଅଗଷ୍ଟ, ୧୯୬୫ରେ ଅବିଭକ୍ତ ବାଲେଶ୍ୱର ଜିଲା ତଥା ଏବେର ଭଦ୍ରକ ଜିଲା ଅନ୍ତର୍ଗତ ରାଜଗୁରୁପୁର ଗାଁରେ ମୃତ୍ୟୁଞ୍ଜୟ ମହାପାତ୍ରଙ୍କର ଜନ୍ମ। ବାପା ପ୍ରଭାକର ମହାପାତ୍ର ଓ ମାଆ ପାଞ୍ଚାଳୀ ଦେବୀ। ସେ ଭଦ୍ରକ କଲେଜରୁ ୧୯୮୫ରେ ପଦାର୍ଥ ବିଜ୍ଞାନରେ ସମ୍ମାନ ସହ ସ୍ନାତକ ଡିଗ୍ରୀ ହାସଲ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ୧୯୮୭ରେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ମଧ୍ୟ ସେ ୨୦୦୭ରେ ପିଏଚ.ଡି ଡିଗ୍ରୀ ହାସଲ କରିଛନ୍ତି। ସେ ୧୯୮୮ରୁ ୯୦ ଯାଏ ଚାନ୍ଦିପୁରସ୍ଥିତ ଡିଆରଡିଓର ଆଇଟିଆରରେ କନିଷ୍ଠ ବିଜ୍ଞାନ ସହାୟକ ଭାବେ କାର୍ଯ୍ୟ କଲେ। ଏଠାରେ ଡ.ଏପିଜେ ଅବଦୁଲ କଲାମଙ୍କ ସଂସ୍ପର୍ଶରେ ଆସିଥିଲେ। ସେହି ସମୟରେ ଏଠାରେ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଥିଲା। ପରେ ମୃତ୍ୟୁଞ୍ଜୟ ମହାପାତ୍ର ଏକ ମହାବିଦ୍ୟାଳୟରେ ୨ ବର୍ଷ ଅଧ୍ୟାପନା କରିବା ପରେ ୧୯୯୨ରେ ଭାରତ ପାଣିପାଗ ବିଭାଗରେ ଯୋଗଦେଲେ। ବିଭାଗର ଭୁବନେଶ୍ୱର ଶାଖା ଅଫିସରେ ୧୦ ବର୍ଷ କାର୍ଯ୍ୟ କରିବା ପରେ ୨୦୦୨ରେ ଦିଲ୍ଲୀ ଅଫିସକୁ ବଦଳି ହୋଇଗଲେ। ଏଠାରେ ସେ ବିଭିନ୍ନ ପଦରେ କାର୍ଯ୍ୟ କରିବା ପରେ ଭାରତ ପାଣିପାଗ ବିଭାରର ମହା ନିର୍ଦ୍ଦେଶକ ହେଲେ। ପିଲାଦିନେ ଗୋଟିଏ ଭୟଙ୍କର ଘଟଣା ତାଙ୍କୁ ପାଣିପାଗ ବିଭାଗ ପ୍ରତି ଆକୃଷ୍ଟ କରାଇଥିଲା। ସେଦିନ ଥିଲା ୨୯ ଅକଟୋବର ୧୯୭୧। ପ୍ରବଳ ବର୍ଷା ସାଙ୍ଗକୁ ସମୁଦ୍ର ଜୁଆର ମାଡ଼ିଆସି ଲୋକଙ୍କ ଘର, ଧାନଚାଉଳ ସହ ସବୁ ଜିନିଷ ଭସାଇନେଲା। ତାଙ୍କ ପକ୍କା ଘରେ ଦେଢ଼ ଶହରୁ ଊର୍ଦ୍ଧ୍ବ ଲୋକ ଆଶ୍ରୟ ନେଇଥିଲେ। ଲୋକେ ଅନେକ ଦିନ ଭୋକରେ ଡହଳ ବିକଳ ହୋଇରହିଥିଲେ। ଏହି ଘଟଣାରୁ ଲୋକଙ୍କୁ ପ୍ରକୃତିର କୋପରୁ ରକ୍ଷା କରିବା ପାଇଁ କିଛି କରିବାକୁ ସେ ସଂକଳ୍ପ ନେଇଥିଲେ। ୧୯୮୨ ମସିହାର ଭୟଙ୍କର ବନ୍ୟା ମଧ୍ୟ ତାଙ୍କୁ ବିଚଳିତ କରିଥିଲା। ସମର୍ପିତ ମନୋଭାବର ସହ କାର୍ଯ୍ୟ ସମ୍ପାଦନରେ ବ୍ରତୀ ରହିଥିବାରୁ ଡ.ମହାପାତ୍ର ଜାତିସଂଘ ଅଧୀନ ବିଶ୍ୱ ପାଣିପାଗ ସଙ୍ଗଠନ ସମେତ ବହୁ ସଂସ୍ଥା ଦ୍ୱାରା ପୁରସ୍କୃତ ହୋଇଛନ୍ତି।

ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଓ ପିଏଚଡ଼ି ଡିଗ୍ରୀ ହାସଲ କରିଥିବା ଡଃ ମହାପାତ୍ର ରାଜ୍ୟ, ଦେଶ ଏବଂ ବିଶ୍ୱର ଅନେକ ସଙ୍ଗଠନରେ ବିଭିନ୍ନ ପଦବୀରେ ସଫଳତାର ସହ କାର୍ଯ୍ୟ କରିଛନ୍ତି।
୧୯୯୮-୧୯୯୦: ଡିଆରଡିଓ, ଆଇଟିଆରର ବୈଜ୍ଞାନିକ
୧୯୯୦-୧୯୯୨: ଡ଼ି. କେ. କଲେଜରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ
୧୯୯୨ରୁ ଏପର୍ଯ୍ୟନ୍ତ: ଭାରତୀୟ ପାଣିପାଗ ବିଭାଗ
୨୦୧୭ – ୧୮: ବିଶ୍ୱ ପାଣିପାଗ ସଂଗଠନ ପ୍ୟାନେଲର ଅଧ୍ୟକ୍ଷ
୨୦୧୯: ବିଶ୍ୱ ପାଣିପାଗ ସଂଗଠନରେ ଭାରତର ସ୍ଥାୟୀ ପ୍ରତିନିଧି
୨୦୧୯-୨୦୨୩: ବିଶ୍ୱ ପାଣିପାଗ ସଂଗଠନ ପରିଚାଳନା ପରିଷଦର ସଦସ୍ୟ

ଡ.ମହାପାତ୍ର ପୂର୍ବରୁ ବିଭିନ୍ନ ସାକ୍ଷାତକାରରେ କହିଛନ୍ତି ଯେ ଆମର ୩ଟି ପାଣିପାଗ ଉପଗ୍ରହ ପ୍ରତି ୧୫ ମିନିଟରେ ଭାରତ ଭୂଖଣ୍ଡର ପାଣିପାଗ ସମ୍ପର୍କରେ ଚିତ୍ର ପଠାଉଛନ୍ତି। ସେହିପରି ଉପକୂଳରେ ସ୍ଥାପିତ ହୋଇଥିବା ଡପଲର ରାଡାର ଷ୍ଟେସନଗୁଡ଼ିକ ବଙ୍ଗୋପସାଗର ଓ ଆରବ ସାଗରରେ ଲଘୁଚାପ ସମ୍ପର୍କରେ ସତର୍କ ଦୃଷ୍ଟି ରଖିଛନ୍ତି। ଦେଶର ୫୫୦ ପାଣିପାଗ କେନ୍ଦ୍ରରୁ ସୂଚନା ସଂଗ୍ରହ କରାଯାଉଛି। ଆମେ ୫ ଦିନ ଆଗରୁ ସ୍ଥଳଭାଗକୁ ବାତ୍ୟା ଛୁଇଁବାର ସମୟ, ସ୍ଥାନ, ପବନର ବେଗ ଓ ଜୁଆରର ଉଚ୍ଚତା ସମ୍ପର୍କରେ ସଠିକ ପୂର୍ବାନୁମାନ କରିପାରୁଛୁ। ଫଳରେ ବାତ୍ୟାବେଳେ ଲକ୍ଷ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ଉଠାଯିବା ସହ ସମସ୍ତ ସତକର୍ତା ବ୍ୟବସ୍ଥା ଗ୍ରହଣ କରାଯାଇପାରୁଛି।

ଅନ୍ୟପକ୍ଷରେ, ବିଶ୍ୱ ପାଣିପାଗ ସଂଗଠନର ଦ୍ଵିତୀୟ ଉପାଧ୍ୟକ୍ଷ ଭାବେ ଇଏନ ମୋରାନ ଓ ପ୍ରଥମ ଉପାଧ୍ୟକ୍ଷ ଭାବେ ଦଉଦା କୋନାଟେ ନିର୍ବାଚିତ ହୋଇଛନ୍ତି। ଡଃ ଅବଦୁଲ୍ଲାହ ଅଲ ମନଦୋସ ଆସନ୍ତା ୪ ବର୍ଷ ପର୍ଯ୍ୟନ୍ତ ଏହି ସଂଗଠନର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

Comments are closed.