ପ୍ରହସନ ପାଲଟିଛି ବସୁଧା ଯୋଜନା, ଡମ୍ବଡିହ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି ଦୁଷିତ ଝରଣା ଜଳ

ମୋହନା: ପାହାଡ଼ ଶିଖରରେ ଗାଁ କିନ୍ତୁ ଅପହଞ୍ଚ ଇଲାକା ନୁହେଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହୋଇଛି । ହେଲେ ପାହାଡ ତଳେ ବସୁଧା ଯୋଜନାରେ ନିର୍ମାଣ ହୋଇଛି ପାଣି ଟାଙ୍କି। ନିର୍ମାଣ କାର୍ଯ୍ୟ ସାରିଦେଇ ନିଦାବିଷ୍ଣୁ ପାଲଟିଛି ବିଭାଗ। ଫଳରେ ପାହାଡ଼ ଉପରେ ଥିବା ଗାଁକୁ ପହଞ୍ଚି ପାରୁନି ପାଣି। ଫଳରେ ଏବେବି ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି ଚହଲା ପାଣି। ପାଣି ପାଇଁ ପରିତ୍ୟକ୍ତ ଚହଲା ନିକଟରେ ଲୋକଙ୍କ ଭିଡ଼ ଜମୁଛି। ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଚହଲା ଉପରେ ଠିଆ ହୋଇ ବାଲଟି ସାହାଯ୍ୟରେ ପାଣି ସଂଗ୍ରହ କରୁଛନ୍ତି ଗାଁ ଲୋକେ। ଏଠାରେ ରାଜ୍ୟ ସରକାରଙ୍କ ବସୁଧା ଯୋଜନା ପ୍ରହଶନ ପାଲଟିଛି। ଏଭଳି ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରୁ ଲୋକେ ପିଇବା ପାଇଁ ପାଣି ସଂଗ୍ରହ କରୁଥିବା ବେଳେ ସେଠାରେ ହିଁ ସ୍ନାନ କରୁଛନ୍ତି ଗ୍ରାମବାସୀ। କାହା ହାତରେ ବାଲଟି ତ ଆଉ କିଏ ପାଣି ଭାର କରି ନେଊଛି । ଆଉ କିଏ କୋମଳମତି ଶିଶୁକୁ କାନ୍ଧରେ କାନ୍ଧେଇ ତ କିଏ ଶିଶୁକୁ କାଖେଇ ଲମ୍ବା ଧାଡ଼ିରେ ପାଣି ନେଇ ଯାଉଛନ୍ତି । ସେମାନେ ଗାଁ ଠାରୁ ପ୍ରାୟ ଦେଢ଼ କିମି ଦୂର ପାହାଡ଼ ତଳକୁ ଯାଇ ପାଣି ପାଇଁ ଏଭଳି ସଂଘର୍ଷ କରୁଛନ୍ତି ଦୈନନ୍ଦିନ।

 

prayash

ଆଉ ଏହି ଦୂଷିତ ଝରଣା ଜଳ ହିଁ ଏମାନଙ୍କ ଜୀବନ। ଏଭଳି ଦୀର୍ଘ ବର୍ଷ ଧରି ଏମିତି ଜଳକଷ୍ଟ ଭୋଗୁଛନ୍ତି ଗଜପତି ଜିଲା ରା. ଉଦୟଗିରି ବ୍ଲକ୍ ଅବାରସିଂ ପଞ୍ଚାୟତ ଡମ୍ବଡିହ ଉପର ସାହିର ଲୋକେ। ଗାଁ ଠାରୁ ଅଧାକିମି ଦୂର ପାହାଡ଼ ତଳେ ଗୋଟିଏ ନଳକୂପ ସରକାର ନିର୍ମାଣ କରିଛନ୍ତି, ହେଲେ ତାହା ବି ଅଚଳ। ଫଳରେ ଏହି ଗାଁର ୩ ଶହରୁ ଊର୍ଦ୍ଧ୍ବ ଆଦିବାସୀ ଲୋକେ ଦୀର୍ଘ ବର୍ଷ ହେବ ଏମିତି ଜଳକଷ୍ଟ ଭୋଗୁଥିବା ବେଳେ ନାନା ରୋଗରେ ମଧ୍ୟ ଆକ୍ରାନ୍ତ ହୁଅନ୍ତି ।ପାନୀୟ ଜଳ ସମସ୍ୟା ଦୂରକରିବା ପାଇଁ ଗାଁର କିଛି ସ୍ଥାନରେ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯିବା ସହ କିଛି ଘର ସମ୍ମଖରେ ପାଇପ୍ ମଧ୍ୟ ବିଛାଯାଇଛି। ଏଠି ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଅନେକ ସ୍ଥାନରେ ଷ୍ଟାଣ୍ଡ ପୋଷ୍ଟ ଗୁଡିକ ଭାଙ୍ଗିରୁଜି ଗଲାଣି । ଗାଁଟି ପାହାଡ଼ ଉପରେ ଥିବା ବେଳେ ପାଣିଟାଙ୍କି ନିର୍ମାଣ କରାଯାଇଛି ପାହାଡ ତଳେ । ଫଳରେ ବର୍ଷ ବର୍ଷ ଧରି ପାଣି ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ । ସେମାନଙ୍କ ଗାଁ ପାହାଡ ଶିଖରରେ ଥିବା ବେଳେ ପାହାଡ଼ ତଳେ କେମିତି ପାଣି ଟାଙ୍କି ନିର୍ମାଣ କଲେ ବିଭାଗୀୟ ଅଧିକାରୀ ବୋଲି ପ୍ରଶ୍ନ କରିବା ସହ ସମସ୍ୟାର ସମାଧାନ କରିବା ପାଇଁ ନେତା ଓ ସରକାରୀ ବାବୁଙ୍କୁ ଜଣାଇଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରୁଛନ୍ତି ଗ୍ରାମବାସୀ।
ଏନେଇ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ପ୍ରହଲ୍ଲାଦ ସାହୁୂ କହିଛନ୍ତି ଯେ ସେଠାକୁ କର୍ମଚାରୀଙ୍କୁ ପଠାଇ ତଦାରଖ କରି ଯଥାଶୀଘ୍ର ସେହି ଗାଁର ଜଳସଂକଟ ଦୂର କରାଯିବ।

kalyan agarbati

Comments are closed.