ମଠକରଗୋଳା ମହାବିଦ୍ୟାଳୟରେ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ
କାମାକ୍ଷାନଗର : ସ୍ଥାନୀୟ ମଠକରଗୋଳା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସ୍ବାଧିନତାର ୭୫ ତମ ଅମୃତ ମହୋତ୍ସବ ପାଳନ ଅବସରରେ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମକୁ ସେବା ନିବୃତ୍ତ ସେନା ଅଧିକାରୀ ଜୟନ୍ତ କୁମାର ନାୟକ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତ ରଞ୍ଜନ ଦାଶ ସଭାପତିତ୍ୱ କରି ଦେଶ ମାତୃକାର ସେବା ନିମନ୍ତେ ଉତ୍ସର୍ଗୀକୃତ ଜୀବନ ଶୈଳୀ ଓ ଦୃଢ଼ ଇଛା ଶକ୍ତିର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ତିନି ଜଣ ସେବା ନିବୃତ୍ତ ସେନାଧିକାରୀ ଜୟନ୍ତ କୁମାର ନାୟକ, ଅଶୋକ କୁମାର ନାୟକ ଓ ରାଜେନ୍ଦ୍ରନାଥ ନନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନାର ଉତ୍ତରରେ ସେମାନେ ଛାତ୍ରଛାତ୍ରୀ ମାନଙ୍କୁ ଦେଶଭକ୍ତି, ସମାଜ ସେବା ଓ ସତ୍ୟମେବ ଜୟତେ ସମ୍ପର୍କରେ ପ୍ରେରଣା ପ୍ରଦାନ କରିଥିଲେ । ଆଲୋଚନାଚକ୍ର ଅନ୍ତେ ମହାବିଦ୍ୟାଳୟ ପରିସରରେ ୮୨ଗୋଟି ଚାରା ଗଛ ରୋପଣ ସହ, ସ୍ଵେଚ୍ଛାସେବୀମାନେ ମାଟି ଛୁଇଁ ଦେଶ ପ୍ରତି ନିଜର କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହୋଇ ଦେଶର ଉନ୍ନତି ପାଇଁ ଶପଥ ପାଠ କରିଥିଲେ। ଅଧ୍ୟକ୍ଷ ଶ୍ରୀ ଦାଶ ସ୍ଵେଚ୍ଛାସେବୀ ଓ ଛାତ୍ରଛାତ୍ରୀଙ୍କୁ ଗଛ ଲଗାଇବାର ଗୁରୁତ୍ଵ, ଦେଶ ପ୍ରତି ଛାତ୍ର ସମାଜର କର୍ତ୍ତବ୍ୟ ଓ ମାଟି ମା’ର ମହତ୍ତ୍ବ ସମ୍ପର୍କରେ ନିଜର ବହୁମୂଲ୍ୟ ଉପଦେଶ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରଦ୍ଧାଞ୍ଜଳି ସ୍ଵାଇଁ, ଅଧ୍ୟାପିକା ସ୍ଵପ୍ନିତା ରାଉତ, ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ, ଅଧ୍ୟାପକ ସୁଧାଂଶୁ ଶେଖର ପାତ୍ର, ପ୍ରଶାନ୍ତ କୁମାର ମିଶ୍ର, ଅର୍ଚ୍ଚିତା ମହାମାନସିଂ ପ୍ରମୁଖ ଏବଂ ଜାତୀୟ ସେବା ଯୋଜନାର ସମସ୍ତ ସ୍ଵେଚ୍ଛାସେବୀ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଧ୍ୟାପକ ସୋମନାଥ ପଣ୍ଡା ପରିଚାଳନା କରିଥିଲେ।
Comments are closed.