ସ୍ୱୟଂଶାସିତ ହେବ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ

0

କଟକ : କଟକ ବଡ଼ ଡାକ୍ତରଖାନା ଉତ୍କୃଷ୍ଟ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ରାଜ୍ୟ ସରକାର ସ୍ୱୟଂଶାସିତ ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଖୁବଶୀଘ୍ର ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଶେଷସୂତ୍ରରୁ ଜଣାପଡିଛି। ସ୍ୱୟଂଶାସିତ ମାନ୍ୟତା ପାଇବା ପରେ ବିଭିନ୍ନ ପାଠ୍ୟକ୍ରମରେ ପରୀକ୍ଷା ପରିଚାଳନାଠାରୁ ଆରମ୍ଭକରି କର୍ମଚାରୀ ନିଯୁକ୍ତି କାର୍ଯ୍ୟ ପ୍ରତିଷ୍ଠାନ ନିର୍ଦେଶକଙ୍କ ଦ୍ୱାରା ସମ୍ପାଦିତ ହେବ। ମେଡିକାଲ କାଉନସିଲ ଅଫ ଇଣ୍ଡିଆ(ଏମସିଆଇ) ନିୟମ ଅନୁଯାୟୀ କେବଳ ଗୋଟିଏ ୟୁନିଟ୍‍ ମେଡିକାଲ କଲେଜ ନିୟନ୍ତ୍ରଣରେ ରହିବ। ସ୍ୱୟଂଶାସିତ ମାନ୍ୟତା ମିଳିବା ପରେ ଉତ୍କୃଷ୍ଟ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ମାନସିକ ରୋଗୀଙ୍କ ଚିକିତ୍ସାଠାରୁ ଆରମ୍ଭକରି ଅନ୍ୟାନ୍ୟ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ। ଏଥିସହିତ ମାନସିକ ରୋଗୀଙ୍କ ତତ୍କାଳ ଚିକିତ୍ସା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଏକ ଟୋଲଫ୍ରି ନମ୍ବର ଜାରି କରିବେ। ଏସ୍‍ସିବିକୁ ନୋଡାଲ କେନ୍ଦ୍ରଭାବେ ନିଆଯାଇ ଟୋଲଫ୍ରି ନମ୍ବର ଦ୍ୱାରା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ସହାୟତା ପାଇପାରିବେ।
କେନ୍ଦ୍ର ସରକାରଙ୍କ ସହାୟତାରେ ଏସ୍‍ସିବି ମାନସିକ ବିଭାଗରେ ଏକ ଅତ୍ୟାଧୁନିକ ଉତ୍କୃଷ୍ଟ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଖୋଲାଯାଇଛି। ୭ମହଲା ବିଶିଷ୍ଟ ଏହି ଅଟ୍ଟାଳିକାରେ ମୋଟ ୧୨୦ ଶଯ୍ୟା ରହିଛି। ଏଥିସହିତ ୩୦ ଶଯ୍ୟା ବିଶିଷ୍ଟ ନିଶାମୁକ୍ତି କେନ୍ଦ୍ର ମଧ୍ୟ ଅଛି। ବିଭାଗରେ ୨ଜଣ ପ୍ରଫେସର, ୨ଜଣ ସହଯୋଗୀ ଓ ୪ଜଣ ସହକାରୀ ପ୍ରଫେସର ଏବଂ ୪ଜଣ ସିନିୟର ରେସିଡେନ୍ସ ରହିଛନ୍ତି। ଉତ୍କୃଷ୍ଟ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ କାର୍ଯ୍ୟକ୍ଷମ ହେବା ପରେ ଏଠାରେ କ୍ଲିନିକାଲ ସାଇକୋଲୋଜି, ସାଇକିଆଟ୍ରିକ ସୋସିଆଲ ୱାର୍କର, ସାଇକିଆଟ୍ରିକ ନର୍ସିଂ ପାଠ୍ୟକ୍ରମରେ ଶିକ୍ଷାଦାନ ଦିଆଯାଉଛି। ମାନିସକ ରୋଗୀଙ୍କୁ ଉନ୍ନତ ଚିକିତ୍ସା ସହିତ ଥଇଥାନ ପ୍ରତି ସରକାରଙ୍କ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଏସ୍‍ସିବିକୁ ଏକ ନୋଡାଲ କେନ୍ଦ୍ରଭାବେ ନିଆଯାଇଛି। ବିଭିନ୍ନ କାର୍ଯ୍ୟ ତ୍ୱରାନ୍ୱିତ କରିବା ସକାଶେ ସରକାର ଏସ୍‍ସିବିକୁ ସ୍ୱୟଂଶାସିତ ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ୱୟଂଶାସିତ
ସହିତ ମାନସିକ ରୋଗରୁ ଭଲ ହେଉଥିବା ବ୍ୟକ୍ତିଙ୍କୁ ଥଇଥାନ ପାଇଁ ସୁଧାର ଗୃହ ସୁବିଧା ଉପଲବ୍ଧ କରିବାକୁ ସ୍ୱାସ୍ଥ୍ୟ ବିଭାଗରେ ଅନୁଷ୍ଠିତ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି। ଏଥିସହିତ ମାନସିକ ବିଭାଗରେ ବହିର୍ବିଭାଗରେ କମ୍ପ୍ୟୁଟର ଟିକଟ ସୁବିଧା ମଧ୍ୟ କରାଯିବ। ମାନସିକ ରୋଗୀଙ୍କୁ ସହାୟତା ଓ ତତ୍କାଳ ଚିକିତ୍ସା ସେବା ଉପଲବ୍ଧ କରିବା ପାଇଁ ଖୁବଶୀଘ୍ର ଏକ ଟୋଲଫ୍ରି ନମ୍ବର ଜାରି ହେବ। ଚିକିତ୍ସାଧୀନ ଓ ଚିକିତ୍ସା ସକାଶେ ଆସୁଥିବା ସମସ୍ତ ରୋଗୀଙ୍କୁ ମାଗଣା ଔଷଧ ବିତରଣ କରାଯାଉଥିବା ଏସ୍‍ସିବି ମାନସିକ ରୋଗ ବିଭାଗୀୟମୁଖ୍ୟ ପ୍ରଫେସର ଡା. ସାରଦାପ୍ରସନ୍ନ ସ୍ୱାଇଁ ସୂଚନା ଦେଇଛନ୍ତି। ଏ ବାବଦରେ ସରକାର ଗତବର୍ଷ ଏକ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ନିରାମୟ କେନ୍ଦ୍ରରେ ମାନସିକ ରୋଗୀଙ୍କୁ ଏହି ମାଗଣା ଔଷଧ ମିଳୁଥିବା ସେ କହିଛନ୍ତି। ସରକାରଙ୍କ ପରାମର୍ଶକ୍ରମେ ଜିଲାରେ ଏକ ନିଶାମୁକ୍ତି କେନ୍ଦ୍ର ସ୍ଥାପନ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ଜିଲା ପ୍ରଶାସନକୁ ଜମି ଯୋଗାଇ ଦେବାକୁ କୁହାଯାଇଛି। ପ୍ରଶାସନ ଜମି ପ୍ରଦାନ କରିବା ପରେ ଏକ ଅତ୍ୟାଧୁନିକ ନିଶାମୁକ୍ତି କେନ୍ଦ୍ର ସ୍ଥାପନ କରାଯିବ। ଷ୍ଟେଟ ମେଣ୍ଟାଲ ହେଲଥ ଗଠନ ନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ମାଧ୍ୟମରେ ମାନସିକ ରୋଗୀଙ୍କ ଚିକିତ୍ସା, ଥଇଥାନ ଦିଗରେ ପଦକ୍ଷେପ ନିଆଯିବ।

Leave A Reply