ନୂଆଦିଲ୍ଲୀ: ପ୍ରବାସୀ ଓଡ଼ିଆଙ୍କ ଯୋଗୁଁଁ ଓଡ଼ିଶା ବାହାରେ ରାଜ୍ୟର ଖ୍ୟାତି ବଢ଼଼ିଛି। ‘ଜୟ ଜଗନ୍ନାଥ’ କହି ମୋତେ କେହି ସମ୍ବୋଧନ କଲେ ଛାତି କୁଣ୍ଢେମୋଟ ହୋଇଯାଏ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି।
ଓଡ଼ିଆ ସମାଜ ଦ୍ୱାରା ଦିଲ୍ଲୀର ଜବହାରଲାଲ ନେହେରୁ ଷ୍ଟାଡିଅମ ଠାରେ ଆୟୋଜିତ ‘ଓଡ଼ିଶା ପର୍ବ’ର ୭ମ ସଂସ୍କରଣର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭାରତକୁ ପଦ୍ମ ଫୁଲ ସହ ତୁଳନା କରି ଓଡ଼ିଶା ଏହାର ଏକ ପାଖୁଡ଼ା ବୋଲି ବର୍ଣ୍ଣନା କରିଥିଲେ। ଭାରତର ହୃଦୟ ଦିଲ୍ଲୀ ସହରରେ ଓଡ଼ିଶା ପର୍ବ ପାଳନ ଆମମାନଙ୍କ ପାଇଁ ଗର୍ବର ବିଷୟ। ଏଠାରେ ଆମେ ଓଡ଼ିଶାର ଅସ୍ମିତା, ସୌନ୍ଦର୍ୟ୍ୟ, ମହକ, ପ୍ରାଚୁର୍ୟ୍ୟ, କଳା ଓ ସଂସ୍କୃତିକୁ ପ୍ରଦର୍ଶିତ କରୁଛୁ। ପ୍ରବାସରେ ଓଡ଼ିଆ ଏବଂ ଓଡ଼ିଶା ବାହର ଲୋକ ଏସବୁ ବିଷୟରେ ଜାଣନ୍ତୁ। ଓଡ଼ିଶାର ସମୃଦ୍ଧ କଳା, ସାହିତ୍ୟ, ବ୍ୟଞ୍ଜନ ସହ ଭାରତବାସୀ ବିଶେଷ କରି ଦିଲ୍ଲୀବାସୀଙ୍କୁ ପରିଚିତ କରାଇବା ଏହି ଉତ୍ସବର ମୁଖ୍ୟ ଉଦେଶ୍ୟ। ପ୍ରତ୍ୟେକ ଓଡ଼ିଆ ଉଭୟ କର୍ମଭୂମି ଓ ଜନ୍ମଭୂମିକୁ ଭଲ ପାଇବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆହ୍ୱାନ କରିଥିଲେ। କଳିଙ୍ଗ ଯୁଦ୍ଧ ଓଡ଼ିଶା ଇତିହାସର ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଘଟଣା ବୋଲି ଉଲ୍ଲେଖ କରି କହିଥିଲେ ଯେ ଏହା କଳିଙ୍ଗବାସୀଙ୍କ ସାହସ ଓ ଶାଳୀନତାକୁ ପ୍ରଦର୍ଶିତ କରିଥିଲା। ଓଡ଼ିଶାର ମାଟି ଯୁଦ୍ଧ ନୁହେଁଟ୍ଟ ବରଂ ବୁଦ୍ଧଙ୍କ ବାର୍ତ୍ତା ଦେଇଥିଲା।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଓଡ଼ିଶା ପର୍ବ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଓଡ଼ିଶାର ଭାବାବେଗକୁ ପରିପ୍ରକାଶ କରିବାର ଉତ୍କୃଷ୍ଟ ମଞ୍ଚ। ଏହା ଓଡ଼ିଆଙ୍କ ସମୃଦ୍ଧ ଓ ସ୍ବତନ୍ତ୍ର ପରିଚୟକୁ ବିଶ୍ବବିଦିତ କରାଇବାରେ ବଡ଼ ଭୂମିକା ନେବ। ବିଶ୍ୱର ଅଧିକାଂଶ ସହରରେ ଏବେ ରଥଯାତ୍ରା ଭଳି ରାଜଧାନୀ ଦିଲ୍ଲୀ ଓ ଆଖପାଖ ଅଞ୍ଚଳର ୧୦ରୁ ଊର୍ଦ୍ଧ୍ବ ସ୍ଥାନରେ ରଥଯାତ୍ରା ଆୟୋଜିତ ହେଉଛି। ଏହାଦ୍ୱାରା ଦିଲ୍ଲୀରେ ଓଡ଼ିଆମାନେ ନିଜର ପରିଚୟ ତିଆରି କରିପାରିଛନ୍ତି। ଓଡ଼ିଶା ପର୍ବରେ ବଲାଙ୍ଗୀର ଝାଲ ମୁଢ଼ି, ବ୍ରହ୍ମପୁରର ଦାନ୍ତକିଲି ସହ ବିଭିନ୍ନ ପ୍ରକାର ଓଡ଼ିଆ ଖାଦ୍ୟ, ହସ୍ତତନ୍ତ, ପାରମ୍ପରିକ ନୃତ୍ୟ ଦେଖିବାକୁ ମିଳିବ। ପ୍ରବାସୀ ଓଡ଼ିଆ ଏହି ଉତ୍ସବକୁ ଆସନ୍ତୁ ଏବଂ ଅନ୍ୟ ରାଜ୍ୟର ଲୋକଙ୍କୁ ସାଥିରେ ଆଣି ଉତ୍ସବକୁ ଦେଖାଇବା ପାଇଁ ମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଆହ୍ୱାନ କରିଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ ଯେ, ଦିଲ୍ଳୀରେ ଅନୁଷ୍ଠିତ ଓଡ଼ିଶା ପର୍ବ ରାଜ୍ୟର ସାଂସ୍କୃତିକ ପରମ୍ପରା ଓ ଐତିହ୍ୟର ଏକ ମହାନ୍ ନିଦର୍ଶନ। ରାଜଧାନୀ ଦିଲ୍ଲୀରେ ରହି ଓଡ଼ିଶାକୁ ଅନୁଭବ କରିବାରେ ଏହା ଏକ ସୁନ୍ଦର ପ୍ରୟାସ। ରାଜ୍ୟ ବାହାରେ ପ୍ରବାସୀ ଓଡ଼ିଆ ମାନେ ଯେଭଳି ସମୃଦ୍ଧ ପରମ୍ପରାକୁ ପ୍ରଚାର ପ୍ରସାର କରୁଛନ୍ତି ତାହା ନିଶ୍ଚିତ ପ୍ରଶଂସନୀୟ। ଓଡ଼ିଶା ସରକାରଙ୍କ ଦ୍ୱାରା ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଲାଗି ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ମାଝୀ ଉଲ୍ଲେଖ କରିଥିଲେ। ଆଗାମୀ ପାଞ୍ଚ ବର୍ଷରେ ରାଜ୍ୟରେ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଏକ ଲକ୍ଷ କୋଟି ପୁଞ୍ଜି ବିନିଯୋଗ କରାଯିବ। ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ ଲାଗି ରାଜ୍ୟ ସରକାର ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଥିଲେ।
କାର୍ୟ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ଓଡ଼ିଶା ସମାଜ ଅଧ୍ୟକ୍ଷ ସିଦ୍ଧାର୍ଥ ପ୍ରଧାନ ଉପସ୍ଥିତ ଥିଲେ। ସଂଧ୍ୟାରେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଏବଂ ବାଜି ରାଉତଙ୍କ ଜୀବନାବଳୀ ଉପରେ ନାଟକ ପରିବେଶିତ ହୋଇଥିଲା। ଓଡ଼ିଶା ପର୍ବରେ ହସ୍ତତନ୍ତ ଏବଂ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ଲାଗି ୨୫ଟି ଷ୍ଟଲ ଏବଂ ଖାଦ୍ୟ ପଦାର୍ଥ ବିକ୍ରି ଲାଗି ୪୫ଟି ଷ୍ଟଲ ନିର୍ମାଣ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ପର୍ବର ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ।
ପ୍ରବାସୀ ବଢ଼ାଇଛନ୍ତି ଓଡ଼ିଶାର ଖ୍ୟାତି: ରାଷ୍ଟ୍ରପତି
Popular Categories



