ସେସୁଠାରୁ ମହିଳା ଏସଏଚଜିଙ୍କ ବକେୟା ପ୍ରାପ୍ୟ ଦାବି

ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର, ଆନ୍ଦୋଳନ ଚେତାବନୀ

ଆଠଗଡ : ରାଜ୍ୟ ସରକାର ମିଶନଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବା ପାଇଁ ବହୁ ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ମହିଳା ଏସଏଚଜି ଗୁଡିକ ତାର ସୁଫଳ ପାଇପାରୁ ନାହାଁନ୍ତି । ଏହିପରି ଏକ ଘଟଣା ଆଠଗଡରେ ଦେଖିବାକୁ ମିଳିଛି । ବିଦ୍ୟୁତ୍‌‌ ବଣ୍ଟନ କରୁଥିବା ସେସୁ କର୍ତ୍ତୃପକ୍ଷ ଆଠଗଡ ଅଞ୍ଚଳରେ ବିଦ୍ୟୁତ୍‌‌ ବିଲ୍‌‌ ଦେବା ଓ ଦେୟ ଆଦାୟ କରିବା ଦାୟିତ୍ୱ ବିଭିନ୍ନ ସ୍ଥାନରେ ଅଲଗା ଅଲଗା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଦାନ କରିଥିଲେ। ମହିଳା ଏସଏଚଜିର ସଦସ୍ୟମାନେ ଖରା, ବର୍ଷା, ଶୀତ କାକରକୁ ଖାତିର ନକରି ବିଦ୍ୟୁତ୍‌‌ ବିଲ୍‌‌ ଗ୍ରାହକଙ୍କୁ ଦେଇ ଦେୟ ଆଦାୟ କରି ଚାଲିଥିଲେ ଏବଂ ସେମାନଙ୍କ ପ୍ରାପ୍ୟ ମଧ୍ୟ ମିଳୁଥିଲା। ତେବେ ପରେ ଶ୍ୟାମ୍‌‌ ପାୱାର କମ୍ପାନୀ ଅଧିନ ଆରୟୁପିଏଲ ଆଠଗଡର ବିଦ୍ୟୁତ୍‌‌ ବଣ୍ଟନ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେବା ପରେ ମଧ୍ୟ ସଂପୃକ୍ତ ମହିଳା ସ୍ୱୟଂସହାୟକ ଗୋଷ୍ଠୀଗୁଡିକ ପୂର୍ବପରି ବିଦ୍ୟୁତ୍‌‌ ବିଲ୍‌‌ ଆଦାୟ କରୁଥିଲେ। ତେବେ ୨୦୧୯ମସିହାରେ ଆରୟୁପିଏଲ ହାତରୁ ବିଦ୍ୟୁତ୍‌‌ ବଣ୍ଟନ ଚାଲିଯିବା ଏବଂ ଟାଟା ପାୱାର ଦାୟିତ୍ୱ ନେବା ପରେ ସଂପୃକ୍ତ ଏସଏଚଜି ଗୁଡିକର ୩ମାସର ପ୍ରାପ୍ୟ ସହିତ ସେମାନଙ୍କର ଅମାନତ ଜମା ଅର୍ଥ ଫେରିପାଇଲେ ନାହିଁ । ପ୍ରତି ଏସଏଚଜି ୨୫-୩୦ହଜାର ଟଙ୍କା ଲେଖାଏଁ ଅମାନତ ଜମା ଦେଇଥିବାବେଳେ ସେମାନଙ୍କର ୩ମାସର ପ୍ରାପ୍ୟ ପ୍ରାୟ ପ୍ରତି ଏସଏଚଜିର ୧.୫୦ଲକ୍ଷ ଟଙ୍କାରୁ ୨.୦୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବକେୟା ପଡିଛି । ଗତ ୪ବର୍ଷ ମଧ୍ୟରେ ସେମାନେ ବାରମ୍ବାର ଆଠଗଡ, କଟକ ଓ ଭୁବନେଶ୍ୱରସ୍ଥିତ ସେସୁ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେବା ପରେ ମଧ୍ୟ ସେମାନଙ୍କର ନାଯ୍ୟ ପ୍ରାପ୍ୟ ପାଇପାରିଲେ ନାହିଁ । ଏପରିକି ସେମାନେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କୁ ମଧ୍ୟ ତାଙ୍କ ସମସ୍ୟା ସଂପର୍କରେ ଅବଗତ କରାଇଥିଲେ ମଧ୍ୟ ସେଠାରୁ ମଧ୍ୟ ସେମାନେ ନ୍ୟାୟ ପାଇଲେ ନାହିଁ। ଆଠଗଡ ମା ବାଉତୀ ଏସଏଚଜି, ନୂଆପାଟଣାର ମା କଳାପାଟ, କଙ୍କଡାଯୋଡିର ଲକ୍ଷ୍ମୀନାରାୟଣ ଏସଏଚଜି, ଅଭିମାନପୁରର ଭବାନୀ, ବିନ୍ଧାଣିମାର ଜୟଗୁରୁ ଏସଏଚଜି ପ୍ରମୁଖ ୬ଟି ସ୍ୱୟଂସହାୟକ ଗୋଷ୍ଠୀର ପ୍ରାୟ ୧୨ଲକ୍ଷ ଟଙ୍କା ପ୍ରାପ୍ୟ ବକେୟା ରହିଛି । ଏ ସଂପର୍କରେ ଏକ ସ୍ମାରକପତ୍ର ସଂପୃକ୍ତ ଏସଏଚଜି ଗୁଡିକର କର୍ମକର୍ତ୍ତା ରଞ୍ଜିତା ଦାସ, ମାମି ଜେନା, କୁମୁଦିନି ଶତପଥି, ସ୍ନେହଲତା ଦାସ, ମଞ୍ଜୁଲତା ସାହୁ ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସହକାରୀ ଜିଲ୍ଲାପାଳ ମାନସ ରଞ୍ଜନ ବେହେରାଙ୍କୁ ପ୍ରଦାନ କରିଥିଲେ। ଆଗାମୀ ୭ଦିନ ମଧ୍ୟରେ ସେମାନଙ୍କର ବକେୟା ପ୍ରାପ୍ୟ ନମିଳିଲେ ସେମାନେ ସେସୁ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାଇ ଦେଇଛନ୍ତି ।

Comments are closed.