କମିବ ଔଷଧ ଦର

0

ନୂଆଦିଲ୍ଲୀ: ଔଷଧର ବଜାର ମୂଲ୍ୟ ଉପରେ କେନ୍ଦ୍ର ସରକାର ଅଙ୍କୁଶ ଲଗାଇବାକୁ ଯାଉଛନ୍ତି। ଏହାଦ୍ୱାରା ଘରୋଇ ହସ୍ପିଟାଲ୍‍ ଓ ନର୍ସିଂ ହୋମ୍‍ଗୁଡ଼ିକ ଆଉ ରୋଗୀଙ୍କୁ ଶୋଷଣ କରିପାରିବେ ନାହିଁ। ଏହି ମର୍ମରେ ନିତି ଆୟୋଗ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛି।
ଏବେ ଅନେକ ଅତ୍ୟାବଶ୍ୟକ ଓ ଜୀବନରକ୍ଷାକାରୀ ଔଷଧକୁ କେନ୍ଦ୍ର ସରକାର ନିୟନ୍ତ୍ରଣାଧୀନ କରିଛନ୍ତି। ଏହାଦ୍ୱାରା ସେଗୁଡ଼ିକର ମୂଲ୍ୟ କମ୍‍ ରହିଛି। ଖୁଚୁରା ବିକ୍ରେତାମାନେ ଯେଉଁ ମୂଲ୍ୟରେ ଔଷଧ କିଣୁଛନ୍ତି ତାହାର ହାରାହାରି ମୂଲ୍ୟକୁ ନେଇ ସରକାର ଏକ ଆଧାର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ସେହି ମୂଲ୍ୟରେ କେବଳ ଖୁଚୁରା ବିକ୍ରେତାଙ୍କ ଲାଭାଂଶକୁ ବାଦ୍‍ ଦେଇ ଅନ୍ୟ ସବୁ ଖର୍ଚ୍ଚ ଓ ଲାଭାଂଶ ସାମିଲ୍‍ ହେଉଛି। ଖୁଚୁରା ବିକ୍ରେତାଙ୍କ ଲାଭାଂଶ ୧୬% ଥିବା ବେଳେ ପାଇକାରୀ ବିକ୍ରେତାଙ୍କ ଲାଭାଂଶ ୮% ରହିଛି। କିନ୍ତୁ ସେହି ସବୁ ନିୟନ୍ତ୍ରଣାଧୀନ ଔଷଧର ବଜାର ଅଂଶ ମାତ୍ର ୧୭% ରହିଛି। ନିତି ଆୟୋଗର ସୁପାରିସ ଅନୁଯାୟୀ ଏବେ ପାଇକାରୀ ବିକ୍ରେତାମାନେ ଯେଉଁ ଦରରେ ଔଷଧ କିଣୁଛନ୍ତି ସେହି ଦର ଆଧାରରେ ଔଷଧ ମୂଲ୍ୟ ନିର୍ଦ୍ଧାରଣ ହେବ।
ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ କମ୍ପାନୀ ବିଭିନ୍ନ ବିକ୍ରେତାଙ୍କ ପାଇଁ ଭିନ୍ନ ଭିନ୍ନ ଦର ନିର୍ଦ୍ଧାରଣ କରୁଥିବାରୁ ଘରୋଇ ହସ୍ପିଟାଲ୍‍ ଓ ନର୍ସିଂ ହୋମ୍‍ ରୋଗୀଙ୍କଠାରୁ ଔଷଧ ବାବଦରେ ଉଚ୍ଚା ମୂଲ୍ୟ ଆଦାୟ କରୁଛନ୍ତି।

Leave A Reply