ବିଜେପି ସହ ଭଲ ସମୟ ମନେ ପକାଇବାକୁ ମାୟାବତୀଙ୍କୁ ପରାମର୍ଶ

0

ନୂଆଦିଲ୍ଲୀ : ଫୁଲଫୁରି, କୈରାନା ଓ ଗୋରଖପୁର ଉପନିର୍ବାଚନରେ ସଫଳତା ପରେ ଆଗାମୀ ଲୋକସଭା ନିର୍ବାଚନ ନିମନ୍ତେ ଏସ୍‌ପି-ବିଏସ୍‌ପି ମେଣ୍ଟ କରିବା ଘଟଣା ସମ୍ଭବତଃ ବିଜେପିକୁ ବ୍ୟଥିତ କରୁଛି। ଏହି ମେଣ୍ଟ ରାଜନୈତିକ ସମୀକରଣ ପରିବର୍ତ୍ତନ କରିବାର କ୍ଷମତା ବହନ କରୁଥିବା ହୃଦ୍‌ବୋଧ କରି ଦଳ ଏବେ ମାୟାବତୀଙ୍କୁ ପୁରୁଣା ଦିନର କଥା ସ୍ମରଣ କରାଇବାର ଉଦ୍ୟମ ଚଳାଇଥିବା ମନେହେଉଛି। ଏହି ପରିପ୍ରେକ୍ଷୀରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ସହଯୋଗୀ ଦଳ ରିପବ୍ଲିକ ପାର୍ଟି ଅଫ୍‌ ଇଣ୍ଡିଆ (ଆରପିଆଇ)ର ନେତା ତଥା କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ କହିଛନ୍ତି ବି​‌େଜପି ସମର୍ଥନରେ ମାୟାବତୀ ତିନିଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଅନ୍ୟପଟେ ଏସ୍‌ପି-ବିଏସ୍‌ପି ମେଣ୍ଟକୁ ନେଇ ଉଭୟ ଦଳର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଏସ୍‌ପି ସହିତ ମେଣ୍ଟରୁ ଆଶାନୁଯାୟୀ ନିର୍ବାଚନୀ ଫଳାଫଳ ମିଳିବାର ସମ୍ଭାବନା ନାହିଁ। ଏଣୁ ବିଏସ୍‌ପି ମୁଖ୍ୟ ଏସ୍‌ପି ପରିବର୍ତ୍ତେ ବିଜେପି ସହିତ ହାତ ମିଳାଇବା ଉଚିତ। ମାୟାବତୀଙ୍କ ପ୍ରତି ବିଜେପି ନେତା ସାଧନା ସିଂହଙ୍କ ଆପତ୍ତିଜନକ ମନ୍ତବ୍ୟକୁ ସେ ନିନ୍ଦା କରିଛନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ଉତ୍ତରପ୍ରଦେଶରେ ୮୦ରୁ ୭୧ଟି ଆସନ ଜିତିଥିଲା। ରାଜ୍ୟର ଦଳିତ ସମ୍ପ୍ରଦାୟ ମଧ୍ୟରେ ବିଏସ୍‌ପିର ଖୁବ ଲୋକପ୍ରିୟତା ସତ୍ତ୍ବେ ଆରପିଆଇ ନିଜ ପାଇଁ ଆଖିଦୃଷ୍ଟିଆ ସମର୍ଥନ ଲାଭ କରିଛି। ଏଣୁ ଦଳିତ ଭୋଟରଙ୍କୁ ସନ୍ତୁଷ୍ଟ କରିବା ଲାଗି ଆଗାମୀ ନିର୍ବାଚନ ନିମନ୍ତେ ଆରପିଆଇକୁ ତିନୋଟି ଆସନ ଦେବାକୁ ଅଠାୱଲେ ବିଜେପିକୁ ନିବେଦନ କରିଛନ୍ତି।

Leave A Reply