ମୁସଲମାନଙ୍କୁ ଭୋଟ ମାଗି ଫସିଲେ ମାୟାବତୀ, ରିପୋର୍ଟ ମାଗିଲା ନିର୍ବାଚନ ଆୟୋଗ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଦେଓବନ୍ଦଠାରେ ରବିବାର ଅନୁଷ୍ଠିତ ସମାଜବାଦୀ ପାର୍ଟି (ଏସ୍‍ପି)-ବହୁଜନ ସମାଜ ପାର୍ଟି (ବିଏସ୍‍ପି)-ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମେଣ୍ଟର ପ୍ରଥମ ନିର୍ବାଚନୀ ର‍୍ୟାଲି ବିବାଦ ଘେରକୁ ଆସିଛି। ର‍୍ୟାଲିରେ ବିଏସ୍‍ପି ଅଧ୍ୟକ୍ଷା ମାୟାବତୀ ବିଜେପି ଏବଂ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିବା ସହ ସିଧାସଳଖ ମୁସଲମାନଙ୍କୁ ଭୋଟ ମାଗିଥିଲେ। ଭାବନାରେ ଭାସି କଂଗ୍ରେସକୁ ଭୋଟ ଦେବା ବଦଳରେ ଏସ୍‍ପି-ବିଏସ୍‍ପି ମେଣ୍ଟକୁ ଭୋଟ ଦେଇ ବିଜେପିକୁ ହରାଇବା ପାଇଁ ସେ ମୁସଲମାନ ସମ୍ପ୍ରଦାୟଙ୍କୁ ନିବେଦନ କରିଥିଲେ। ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ ରବିବାର ସ୍ଥାନୀୟ ପ୍ରଶାସନଠାରୁ ରିପୋର୍ଟ ତଲବ କରିଛନ୍ତି। ମାୟାବତୀଙ୍କ ଭାଷଣ ଯାଞ୍ଚ ହେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଏହି ଜନସଭାରେ ଏସ୍‍ପି ଅଧ୍ୟକ୍ଷ ଅଖିଳେଶ ଯାଦବ, ବିଏସ୍‍ପି ଅଧ୍ୟକ୍ଷା ମାୟାବତୀ ଏବଂ ଆରଏଲଡି ଅଧ୍ୟକ୍ଷ ଚୌଧୁରୀ ଅଜିତ ସିଂହ ନିଜ ଅଭିଭାଷଣ ରଖିଥିଲେ। ମାୟାବତୀ ନିଜ ଉଦ୍‍ବୋଧନରେ ବିଜେପିକୁ ହରାଇବା ପାଇଁ ମେଣ୍ଟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ମୁସଲମାନଙ୍କ ନିକଟରେ ନିବେଦନ କରିଥିଲେ। ସେ କହିଥିଲେ ଯେ ମୁସଲମାନ ସମ୍ପ୍ରଦାୟର ଲୋକେ ଭାବନାର ବହି ଯାଇ କଂଗ୍ରେସକୁ ଭୋଟ ଦିଅନ୍ତୁ ନାହିଁ। ବିଜେପିକୁ କଂଗ୍ରେସ ଟକ୍କର ଦେଇପାରିବ ନାହିଁ। ମହାମେଣ୍ଟ ହିଁ ବିଜେପିକୁ ଟକ୍କର ଦେଇପାରିବ। ତେଣୁ କେବଳ ଏସ୍‍ପି-ବିଏସ୍‍ପି-ଆରଏଲଡି ମେଣ୍ଟ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ।
ପ୍ରକାଶଯୋଗ୍ୟ ଯେ ଲୋକସଭା ନିର୍ବାଚନ ବେଳେ ଜାତି, ଧର୍ମ, ଭାଷା ଏବଂ ଅଞ୍ଚଳ ନାମରେ ଭୋଟ ନମାଗିବାକୁ ନିର୍ବାଚନ ଆୟୋଗ କହିଥିଲେ। ଏବେ ମୁସଲମାନଙ୍କୁ ଧର୍ମ ନାମରେ ଭୋଟ ମାଗି ମାୟାବତୀ ଫସିଯାଇଛନ୍ତି। ଏଭଳି କରି ମାୟାବତୀ ସମାଜରେ ଭେଦଭାବ ଓ ଉତ୍ତେଜନା ବୃଦ୍ଧି କରୁଛନ୍ତି ବୋଲି ଅଭିଯୋଗ ହୋଇଛି।

Comments are closed.