ତିନି ଅବସରପ୍ରାପ୍ତ ବିଚାରପତି କରିବେ ତଦାରଖ
ମଣିପୁର ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି
ନୂଆଦିଲ୍ଲୀ : ମାନବୀୟ ଦୃଷ୍ଟିକୋଣରୁ ମଣିପୁରରେ ଥଇଥାନ ଓ ସହାୟତା କାର୍ଯ୍ୟ ତଦାରଖ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ସୋମବାର ଏକ ତିନି ଜଣିଆ ମହିଳା ସଂଗୋଷ୍ଠୀ ଗଠନ କରିଛନ୍ତି। ଜାମ୍ମୁ-କାଶ୍ମୀର ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ଗୀତା ମିତ୍ତଲଙ୍କ ସହ ଅବସରପ୍ରାପ୍ତ ବମ୍ବେ ଉଚ୍ଚ ନ୍ୟାୟାଳୟ ବିଚାରପତି ଶାଳିନୀ ପି. ଜୋଷୀ ଓ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଆଶା ମେନନ୍ଙ୍କୁ ନେଇ ଏହି ସଂଗୋଷ୍ଠୀ ଗଠନ କରାଯାଇଛି। ସେମାନେ ମହିଳାଙ୍କ ପ୍ରତି ଘଟିଥିବା ଅମାନବୀୟ ଘଟଣାର ତଦନ୍ତ ସହ କ୍ଷତିପୂରଣ ରାଶି ପ୍ରଦାନ ଆଦି ମଧ୍ୟ ତଦାରଖ କରିବେ। ଆଇନର ଶାସନ ପ୍ରତି କିପରି ସେମାନେ ବିଶ୍ବାସ ଓ ଆସ୍ଥା ପ୍ରକଟ କରିବେ ସେ ଦିଗରେ ମଧ୍ୟ ଏହି ତିନି ଅବସରପ୍ରାପ୍ତ ବିଚାରପତି ଉଦ୍ୟମ କରିବେ ବୋଲି ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ପୀଠ କହିଛନ୍ତି। ଏହି ପୀଠରେ ବିଚାରପତି ଜେ.ବି ପାର୍ଡିୱାଲା ଓ ବିଚାରପତି ମନୋଜ ମିଶ୍ର ସଦସ୍ୟ ଅଛନ୍ତି।
ଏତଦ୍ ବ୍ୟତୀତ ଚାଲିଥିବା ସିବିଆଇ ତଦନ୍ତ ସମ୍ପର୍କରେ ରିପୋର୍ଟ ପ୍ରଦାନ ପାଇଁ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଦତ୍ତାତ୍ରେୟ ପଡ଼ସଲଗିକରଙ୍କୁ ସ୍ବତନ୍ତ୍ର ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ଅଧୀନରେ ଅନ୍ୟ ରାଜ୍ୟର ଅନ୍ୟୂନ ଉପଆରକ୍ଷୀ ଅଧୀକ୍ଷକ ପାହ୍ୟାର ୫ ଅଧିକାରୀଙ୍କୁ ନିଯୁକ୍ତ କରାଯିବ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ବାହାର ରାଜ୍ୟର ୬ ଡିଆଇଜି ପାହ୍ୟା ପୁଲିସ ଅଧିକାରୀ ୪୨ଟି ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସ୍ଆଇଟି)ଙ୍କ କାର୍ଯ୍ୟକୁ ଅନୁଧ୍ୟାନ କରିବେ ଏବଂ ପ୍ରତି ଏସ୍ଆଇଟିରେ ରାଜ୍ୟ ବାହାରର ଜଣେ ଆରକ୍ଷୀ ନିରୀକ୍ଷକ ରହିବେ ବୋଲି ପୀଠ ପ୍ରସ୍ତାବ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ପୀଠ ମଣିପୁର ବାହାରେ ମାମଲାଗୁଡ଼ିକର ବିଚାର ପାଇଁ ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ବର୍ତ୍ତମାନ ସେଭଳି ସ୍ଥିତି ଉପୁଜି ନାହିଁ; ମାମଲା ତଦନ୍ତ ଅବସ୍ଥାରେ ରହିଛି। ତିନି ଜଣିଆ ସଂଗୋଷ୍ଠୀଠାରୁ ରିପୋର୍ଟକୁ ଅପେକ୍ଷା କରାଯିବ ବୋଲି ପ୍ରଧାନ ବିଚାରପତି କହିଛନ୍ତି।
ମଣିପୁର ହିଂସାକାଣ୍ଡ ଓ ମହିଳାଙ୍କୁ ନିର୍ଯାତନା ସଂକ୍ରାନ୍ତ ପ୍ରାୟ ୧୦ଟି ମାମଲା ଉପରେ ସୋମବାର ଶୁଣାଣି ହୋଇଥିଲା। ସରକାର ଅତ୍ୟନ୍ତ ଦକ୍ଷତାର ସହ ଓ ପରିପକ୍ବ ଭାବେ ପରିସ୍ଥିତି ସମ୍ଭାଳୁଛନ୍ତି ଏବଂ ପର୍ଯ୍ୟାୟକ୍ରମେ ପଦକ୍ଷେପ ନେଉଛନ୍ତି ବୋଲି ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣୀ ପୀଠକୁ ଜଣାଇଥିଲେ। ଅଗଷ୍ଟ ୧ରେ ପୀଠ ମାଗିଥିବା ରିପୋର୍ଟ ଦାଖଲ ସହ ସବୁ ମାମଲାକୁ ଏକତ୍ର କରାଯାଇଥିବାର ସତ୍ୟପାଠ ଦାଖଲ କରିଥିଲେ। ସଲିସିଟର ଜେନେରାଲ ତୁଷାର ମେହତା କହିଥିଲେ ଯେ ବର୍ତ୍ତମାନ ସ୍ଥିତିରେ ପୁଲିସ ଉପରୁ ସମ୍ପୂର୍ଣ୍ଣ ଭାବେ ଆସ୍ଥା ତୁଟାଇଦେବା ଅନୁଚିତ। ହିଂସାକାଣ୍ଡ ପାଇଁ ଜିଲାସ୍ତରରେ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନର ବ୍ୟବସ୍ଥା ହୋଇଥିବା ମଣିପୁର ସରକାର ଜଣାଇଥିଲେ। ଅଦାଲତ ପରିଚାଳିତ ତଦନ୍ତ ସଂକ୍ରାନ୍ତ ଆବେଦନ ଉପରେ ପୀଠ କୌଣସି ନିଷ୍ପତ୍ତି ଶୁଣାଇ ନାହାନ୍ତି। ଏହି ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶମତେ ମଣିପୁର ପୁଲିସ ମହାନିର୍ଦେଶକ ରାଜୀବ ସିଂହ ହାଜିର ହୋଇଥିଲେ। ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ଘଟିଥିବା ଘଟଣାର ତଦନ୍ତ ଓ ଆଗକୁ କିପରି ଏହାର ପୁନରାବୃତ୍ତି ନ ଘଟିବ ସେହି ଆଧାରରେ ଦୁଇ ପର୍ଯ୍ୟାୟ ପଦକ୍ଷେପ ପାଇଁ ପ୍ରସ୍ତାବ ଦେଇଥିଲାବେଳେ ପ୍ରଶାନ୍ତ ଭୂଷଣ ଉପଦ୍ରବକାରୀଙ୍କୁ ମାରଣାସ୍ତ୍ର ଉପଲବ୍ଧ କରାଯିବା ସଂକ୍ରାନ୍ତରେ ସ୍ବାଧୀନ ଭାବେ ତଦନ୍ତ କରାଇବାକୁ ନିବେଦନ କରିଥିଲେ।
Comments are closed.