ମାଣିକେଶ୍ବରୀଙ୍କ ଛତର ଯାତ୍ରା ସମ୍ପନ୍ନ

ଭବାନୀପାଟଣା: କଳାହାଣ୍ଡିବାସୀଙ୍କ ଆରାଧ୍ୟା ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆଜି ପାରମ୍ପରିକ ବିଧିବିଧାନ ଓ ରୀତିନୀତିରେ ସମ୍ପନ୍ନ ହୋଇଯାଇଛି। ସେହିପରି ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ପଶୁବଳିରେ ରକ୍ତରଞ୍ଜିତ ହୋଇଛି ଯାତ୍ରାପଥ। ଶନିବାର ରାତିରେ ମା’ଙ୍କ ମନ୍ଦିରରେ ବିଧି ମୁତାବକ ସନ୍ଧି ପୂଜା ଶେଷହେବା ପରେ ମା’ଙ୍କ ପ୍ରତୀକ ବା ଚଳନ୍ତି ସ୍ବରୂପ ଛତରକୁ ସହର ଉପକଣ୍ଠସ୍ଥିତ ଜେନାଖାଲକୁ ନିଆଯାଇଥିଲା। ସେଠାରେ ପୂଜାର୍ଚ୍ଚନା ପରେ ଛତରରୂପୀ ମା’ ବିଭିନ୍ନ ପାରମ୍ପରିକ ବାଦ୍ୟ ଓ ଭକ୍ତଙ୍କ ବିରାଟ ପଟୁଆର ଗହଣରେ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ଏହି ଯାତ୍ରା ଜେନାଖାଲରୁ ଆରମ୍ଭ ହୋଇ ଆରଇଓ କଲୋନୀ, ଜେଲଖାନାଛକ, ଘୋଡ଼ାଘାଟଛକ ଓ ଶ୍ରୀଜଗନ୍ନାଥ ମନ୍ଦିର ଦେଇ ପହଞ୍ଚିଥିଲା। ପ୍ରାୟ ତିନି କିଲୋମିଟର ବ୍ୟାପୀ ଏହି ଯାତ୍ରାପଥ ଅତିକ୍ରମ କରିବା ପାଇଁ ୮ଘଣ୍ଟା ସମୟ ଲାଗିଥିଲା। ଏହି ଅବସରରେ ହୁଳହୁଳି ସହ ଘୁମୁରା, ନିଶାନ, ଦୁଲ୍‌ଦୁଲି, ଘଣ୍ଟ ଆଦି ବାଦ୍ୟର ମିଳିତ ଝଙ୍କାରରେ ଭବାନୀପାଟଣାର ଗଗନପବନ ପ୍ରକମ୍ପିତ ହୋଇଥିଲା।

prayash

ଯାତ୍ରାରେ ଅନେକ ଲୋକନୃତ୍ୟ ଦଳ ଓ କଳାକାର ପାରମ୍ପରିକ ବେଶପୋଷାକରେ ସାମିଲ ହୋଇ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନୃତ୍ୟ ପରିବେଷଣ କରିଥିଲେ। ଜିଲା ତଥା ଜିଲାବାହାରୁ ଆସିଥିବା ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଥିଲେ। ଏପରିକି ପଡୋଶୀ ଛତିଶଗଡ ରାଜ୍ୟ ଅନ୍ତର୍ଗତ ଦେଭୋଗ ଅଞ୍ଚଳର ବହୁ ସଂଖ୍ୟକ ମହିଳା ଓ ପୁରୁଷ ମା’ଙ୍କ ଏହି ପାରମ୍ପରିକ ତଥା ବିରଳ ଯାତ୍ରା ଦର୍ଶନ କରିବା ପାଇଁ ଛୁଟି ଆସିଥିଲେ। ବର୍ଷର ଏଇ ଗୋଟିଏ ଦିନ ମା’ ମାଣିକେଶ୍ବରୀ ଭକ୍ତଙ୍କୁ ଦର୍ଶନ ଦେବା ସହ ସେମାନଙ୍କ ମନୋବାଞ୍ଛା ପୂରଣ କରିବା ପାଇଁ ରାଜରାସ୍ତାକୁ ଆସନ୍ତି। ତେଣୁ ଏହି ସୁଯୋଗ ହାତଛଡ଼ା ନକରିବା ପାଇଁ ଏ ବର୍ଷ ମଧ୍ୟ ଭକ୍ତମାନେ ବିଭିନ୍ନ ସ୍ଥାନରୁ ଆସି ମା’ଙ୍କ ଦର୍ଶନ କରିଥିଲେ। ଏମାନଙ୍କ ମଧ୍ୟରୁ କେହିକେହି ମୁଆଁ, ନଡ଼ିଆ ଦେଇ ମା’ଙ୍କୁ ପୂଜା କରିଥିଲେ ତ ଆଉ କିଏ ପାରା ଉଡ଼ାଇ ମା’ଙ୍କ ଆରାଧନା କରିଥିଲେ। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବହୁସଂଖ୍ୟକ ମାନସିକଧାରୀ ଭକ୍ତ ଶହଶହ ସଂଖ୍ୟାରେ କୁକୁଡ଼ା ଓ ଛାଗବଳି ଦେଇଥିଲେ। ଯାହାଫଳରେ ଯାତ୍ରାପଥ ରକ୍ତରଞ୍ଜିତ ହୋଇଉଠିଥିଲା।

ମଧ୍ୟାହ୍ନ ୧୨ଟା ୨୦ମିନିଟରେ ମନ୍ଦିରରେ ପ୍ରବେଶ କରିବାପରେ କଳାହାଣ୍ଡି ରାଜା ଅନନ୍ତପ୍ରତାପ ଦେଓ ଛତରକୁ ସ୍ବାଗତକରି ଗର୍ଭଗୃହକୁ ନେଇଯାଇଥିଲେ। ସେଠାରେ ସ୍ବତନ୍ତ୍ର ପୂଜାପରେ ମା’ ମାଣିକେଶ୍ବରୀ ନୂଆଁ ଗ୍ରହଣ କରିଥିଲେ। ପରେପରେ କଳାହାଣ୍ଡି ରାଜ ପରିବାର ଏବଂ ବାବୁ ପରିବାର ନୂଆଁ ଖାଇଥିଲେ। ଯଦିଓ ଏହି ଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା, ତଥାପି ପ୍ରଶାସନ ଓ ପୁଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଜେନାଖାଲଠାରୁ ମନ୍ଦିର ପର୍ଯ୍ୟନ୍ତ ୧୨ ପ୍ଲାଟୁନ ପୁଲିସ କର୍ମଚାରୀଙ୍କ ସହ ଜିଲାର ୧୯ଟି ଥାନାର କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା। ସେହିପରି ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଘୋଡ଼ାଘାଟ ଛକ ଏବଂ ମନ୍ଦିର ନିକଟରେ ଧାରାବିବରଣୀ ପ୍ରଦାନର ବ୍ୟବସ୍ଥା କରାଯାଇଥିଲା। ପଣ୍ଡିତ ମଙ୍ଗୁଳୁ ମିଶ୍ର, ଡ. ଉମେଶ ଚନ୍ଦ୍ର ଶତପଥୀ, ସତ୍ୟନାରାୟଣ ମହାପାତ୍ର, ସତ୍ୟନାରାୟଣ ମୁଣ୍ଡଛିନା, ସ୍ନେହଲତା ଷଡ଼ଙ୍ଗୀ, ଡ. ତପନ କୁମାର ରଥ, ବିରଞ୍ଚିନାରାୟଣ ମୁଣ୍ଡ ଓ ମିନତି କୁମାରୀ ପ୍ରଧାନ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ।

Comments are closed.