ମନ୍ଦସର ଗଣବଳାତ୍କାର ଘଟଣା : ଅଭିଯୁକ୍ତକୁ ହତ୍ୟା ପାଇଁ ୫ଲକ୍ଷ ଟଙ୍କା ପୁରସ୍କାର
ଭୋପାଳ : ମଧ୍ୟପ୍ରଦେଶର ମନ୍ଦସର ଗଣବଳାତ୍କାର ଘଟଣାର ମୁଖ୍ୟ ଅଭିଯୁକ୍ତକୁ ହତ୍ୟା ପାଇଁ ବିଜେପି ନେତା ସଞ୍ଜୀବ ମିଶ୍ର ୫ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ବିଜେପି ନେତାଙ୍କ ଏହି ଘୋଷଣାକୁ ନେଇ ବିବାଦ ଦେଖାଯାଇଛି। ସଞ୍ଜୀବ କହିଛନ୍ତି ଯେ ଅଭିଯୁକ୍ତ ପ୍ରତି କଠୋର ଦଣ୍ଡ ବିଧାନ ହେବା ଦରକାର। ଅଦାଲତ କିମ୍ବା ପ୍ରଶାସନ ଯଦି ତାକୁ ଦଣ୍ଡିତ କରିବାରେ ଅକ୍ଷମ ମନେ କରୁଛନ୍ତି ତେବେ ଯେକୌଣସି ବ୍ୟକ୍ତି ତାର ମୁଣ୍ଡ କାଟ କରିବାକୁ ଆହ୍ୱାନ ଦେଉଛି। ଯେଉଁ ବ୍ୟକ୍ତି ଅଭିଯୁକ୍ତର ମୁଣ୍ଡକାଟ କରିବ ତାକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ। ଏହା ପୂର୍ବରୁ ବିଜେପି ବିଧାୟକ ଗୋପାଳ ପାରମାର କହିଥିଲେ ଯେ ଅଭିଯୁକ୍ତ ଜଣଙ୍କ ମୁସଲମାନ ସମ୍ପ୍ରଦାୟକୁ ନିନ୍ଦିତ କରିଛି।
ଜୁନ୍ ୨୬ ତାରିଖରେ ନିଚମ୍ ଜିଲା ଅନ୍ତର୍ଗତ ମନ୍ଦସରରେ ଜଣେ ୮ବର୍ଷର ନାବାଳିକାକୁ ଗଣବଳାତ୍କାର ଓ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କୁ ସ୍କୁଲରୁ ଅପହରଣ କରାଯାଇ ଗଣବଳାତ୍କାର କରାଯାଇଥିଲା। ପରେ ତା’ର ତଣ୍ଟିକାଟି ହତ୍ୟା ଉଦ୍ୟମ କରାଯାଇଥିଲା। ଏହି ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ ଏହି ଘଟଣାରେ ଦୁଇ ଜଣ ଇର୍ଫାନ ଖାଁ (୨୦ବର୍ଷ) ଓ ଆସିଫ (୨୪ବର୍ଷ) ଙ୍କୁ ଗିରଫ କରିଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପୀଡିତା ନାବାଳିକାର ବାପାଙ୍କୁ ୫ଲକ୍ଷ ଟଙ୍କା ସହାୟତା ଦେଇଛନ୍ତି। ମାତ୍ର ଏହି ସହାୟତାକୁ ସେ ଗ୍ରହଣ କରିବା ଲାଗି ମନା କରିଛନ୍ତି।