ମାଲ୍ୟାଙ୍କ ସମ୍ପତ୍ତି ବିକି ୯୬୩ କୋଟି ଟଙ୍କା ଆଦାୟ ହୋଇଛି : ଏସ୍‍ବିଆଇ

0

ଲଣ୍ଡନ : ଭାରତର ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୯୦୦୦କୋଟି ଟଙ୍କା ଋଣ ଠକି ଲଣ୍ଡନ ପଳାଇ ଯାଇଥିବା ବିଶିଷ୍ଟ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଭାରତସ୍ଥିତ ସମ୍ପତ୍ତି ବିକ୍ରି କରି ୯୬୩ କୋଟି ଟଙ୍କା ଆଦାୟ କରାଯାଇଛି ବୋଲି ଶୁକ୍ରବାର ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କ (ଏସ୍‍ବିଆଇ) ପରିଚାଳନା ନିର୍ଦେଶକ (ଏମ୍‍ଡି) ଅରଜିତ ବସୁ ସୂଚନା ଦେଇଛନ୍ତି। ବାକି ଋଣ ଅର୍ଥ ଆଦାୟ ପାଇଁ ବ୍ରିଟେନ୍‍ ସରକାରୀ ସଂସ୍ଥାଗୁଡ଼ିକ ସହ ମିଶି କାର୍ଯ୍ୟ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି। ବସୁ କହିଛନ୍ତି ଯେ ବୁଧବାର ବ୍ରିଟେନର ଏକ ଅଦାଲତ ମାଲ୍ୟାଙ୍କ ଠାରୁ ଋଣ ଅର୍ଥ ଆଦାୟ ପାଇଁ ତାଙ୍କ ସମ୍ପତ୍ତିର ଯାଞ୍ଚ ଏବଂ ବ୍ୟାଜ୍ୟାପ୍ତ ପାଇଁ ନିର୍ଦେଶ ଦେଇଛନ୍ତି। ଏହି ରାୟ ଭାରତୀୟ ବ୍ୟାଙ୍କଙ୍କ ସପକ୍ଷରେ ଆସିଛି। ଏହାଦ୍ୱାରା ଋଣର ଏକ ବଡ଼ ଭାଗ ଆଦାୟ ହୋଇପାରିବ। ଏହା ପୂର୍ବରୁ ବ୍ରିିଟନ୍‍ ହାଇକୋର୍ଟ ମାଲ୍ୟାଙ୍କ ବିଶ୍ୱ ବ୍ୟାପୀ ଥିବା ସମ୍ପତ୍ତି ବ୍ୟାଜ୍ୟାପ୍ତ ପାଇଁ ରାୟ ଦେଇଥିଲେ। ଏଭଳି ହେଲେ ଭାରତୀୟ ବ୍ୟାଙ୍କଗୁଡ଼ିକ ପୂର୍ଣ୍ଣ ଋଣ ଅର୍ଥ ଆଦାୟ କରିପାରିବେ। ୨୦୧୪ ଜାନୁଆରୀ ୩୧ ସୁଦ୍ଧା ମାଲ୍ୟାଙ୍କ ଉପରେ ୧୩ ଭାରତୀୟ ବ୍ୟାଙ୍କର ୬,୯୬୩ କୋଟି ଟଙ୍କା ଋଣ ଖିଲାପ ଥିଲା। ୨୦୧୬ ସୁଦ୍ଧା ଋଣ ମୂଳ ଏବଂ ସୁଧ ମିଶି ୯୦୦୦ କୋଟି ଟଙ୍କା ହୋଇଯାଇଥିଲା। ଋଣ ଚାପ ବଢିବା ପରେ ମାଲ୍ୟା ୨୦୧୬ ମାର୍ଚ୍ଚରେ ଭାରତ ଛାଡ଼ି ଲଣ୍ଡନ ପଳାଇଯାଇଥିଲେ।
ପ୍ରକାଶ ଯେ ମାଲ୍ୟାଙ୍କଠାରୁ ୧୦ହଜାର କୋଟି ଟଙ୍କା ଋଣ ଆଦାୟ ପାଇଁ ଭାରତର ଆଇଡିବିଆଇ ବ୍ୟାଙ୍କ ସମେତ ଅନ୍ୟ ବ୍ୟାଙ୍କମାନେ ମାମଲା ରୁଜୁ କରିଛନ୍ତି। ମାଲ୍ୟା ତାଙ୍କର କିଙ୍ଗଫିସର ଏୟାର ଲାଇନ୍ସ ପାଇଁ ୧୪୦କୋଟି ଡଲାର ଋଣ ନେଇ ପରିଶୋଧ କରିନଥିଲେ।

Leave A Reply