ଅବଦୁଲ୍ଲା ଇବ୍‌ନି ମାଲେସିଆର ନୂଆ ରାଜା

0

କୁଆଲା ଲମ୍ପୁର : ମାଲେସିଆର ଷୋଡ଼ଶ ରାଜା ବା ‘ୟାଙ୍ଗ୍‌ ଦି-ପର୍ତ୍ତୁଆନ୍‌ ଆଗଙ୍ଗ୍‌’ ଭାବେ ସୁଲତାନ ଅବଦୁଲ୍ଲା ଇବ୍‌ନି ସୁଲତାନ ଅହମ୍ମଦ ଶାହାଙ୍କ ନାମ ଘୋଷଣା ହୋଇଛି। ପହାଙ୍ଗ ରାଜ୍ୟର ସୁଲତାନ ଥିବା ଅବଦୁଲ୍ଲା ଜାନୁଆରୀ ୩୧ରେ ନୂଆ ଦାୟିତ୍ବ ଗ୍ରହଣ କରିବେ। ସେ ସୁଲତାନ ମହମ୍ମଦ-୫ଙ୍କ ଉତ୍ତରାଧିକାରୀ ହେବେ। କେଲାଣ୍ଟନ୍‌ ରାଜ୍ୟର ସୁଲତାନ ମହମ୍ମଦ ଚଳିତ ମାସ ୬ ତାରିଖରେ ରାଜା ପଦରୁ ଇସ୍ତଫା ଦେବା ପରେ ଅବଦୁଲ୍ଲାଙ୍କୁ ଦେଶର ନୂଆ ରାଜା ବଛାଯାଇଛି। ପାଞ୍ଚ ବର୍ଷ ପାଇଁ ସେ ଦେଶର ରାଜା ରହିବେ। ରାଜପ୍ରାସାଦ ପରିଚାଳକଙ୍କ ପକ୍ଷରୁ ଗୁରୁବାର ଏ ସମ୍ପର୍କିତ ଘୋଷଣାନାମା ପ୍ରକାଶ ପାଇଛି। ଏହି ଉପଲକ୍ଷେ ଅବଦୁଲ୍ଲା ଗୁରୁବାର କୁଆଲା ଲମ୍ପୁରସ୍ଥିତ ଜାତୀୟ ରାଜପ୍ରାସାଦରେ ପହଞ୍ଚିଛନ୍ତି।
ନୂଆ ରାଜା ହେବାକୁ ଯାଉଥିବା ୫୯ବର୍ଷୀୟ ଅବଦୁଲ୍ଲା ଗତ ୧୧ତାରିଖରେ ପହାଙ୍ଗ୍‌ ସୁଲତାନ ଭାବେ ଅଭିଷିକ୍ତ ହୋଇଥିଲେ। ସ୍ବାସ୍ଥ୍ୟଗତ କାରଣରୁ ତାଙ୍କ ବାପା ୮୮ବର୍ଷୀୟ ଅହମ୍ମଦ ଶାହା ରାଜଗାଦି ଛାଡ଼ିବା ପରେ ସେ ଏହି ସୁଯୋଗ ପାଇଥିଲେ। ଅବଦୁଲ୍ଲା ଜଣେ କ୍ରୀଡ଼ା ସଂଗଠନ ଭାବେ ପରିଚିତ। ସେ ଆସିଆନ୍‌(ଏଏସ୍‌ଇଏଏନ୍‌) ଫୁଟବଲ ଫେଡେରେସନ୍‌ ଓ ଫିଫାର ପରିଷଦ ସଦସ୍ୟ ଅଛନ୍ତି। ସେ ମାଲେସିଆ ଫୁଟବଲ ସଂଘର ସଭାପତି ମଧ୍ୟ ରହିଥିଲେ। ମାଲେସିଆରେ ସାମ୍ବିଧାନିକ ରାଜତ୍ବ ପ୍ରବର୍ତ୍ତିତ। ଦେଶର ୯ଟି ରାଜ୍ୟର ସୁଲତାନମାନେ ସମ୍ପୃକ୍ତ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ତଥା ଧାର୍ମିକ ମୁଖ୍ୟ ଭାବେ ଦାୟିତ୍ବ ସମ୍ଭାଳିଥାଆନ୍ତି। ସେମାନଙ୍କ ମଧ୍ୟରୁ ପାଳିକରି ଜଣେ ଲେଖାଏଁ ୫ବର୍ଷ ପାଇଁ ଦେଶର ରାଜପଦରେ ଅଭିଷିକ୍ତ ହୋଇଥାଆନ୍ତି।

Leave A Reply