କୌପୀନଧାରୀ ମହିମା ସମାଜ ପକ୍ଷରୁ ନୂତନ ଉପାସନା ପୀଠର ଶିଳାନ୍ୟାସ
ଢେଙ୍କାନାଳ ସଦର : କୌପୀନଧାରୀ ମହିମା ସମାଜ ପକ୍ଷରୁ ଆଞ୍ଚଳିକ ବିକାଶ ପରିଷଦର ସହଯୋଗରେ ଶୁକ୍ରବାର ପୁଷ୍କରିଣୀ ପାର୍ଶ୍ବ ଦଲକ ପଡିଆର ୧ଏକର ଜମି ଉପରେ ଆନୁଷ୍ଠାନିକ ଭାବେ ଉପାସନା ପୀଠ ଅଖଣ୍ଡ ବତୀ ମନ୍ଦିର, ଧୂନି ମନ୍ଦିର ଓ ଭେକ ମନ୍ଦିରର ଶୁଭ ଶିଳାନ୍ୟାସ କରାଯାଇଛି। ଏଥିପାଇଁ ମହିମା ଭଜନ କୀର୍ତ୍ତନ, ଘଣ୍ଟଘଣ୍ଟା, ହୁଳହୁଳି ଓ ଅଲେଖ ମହିମା ଧୂନି ମଧ୍ୟରେ ଅନୁକୂଳ ସମୟ ପୂର୍ବାହ୍ନ ୧୧ଟା ବେଳକୁ ସହସ୍ରାଧିକ ନଡିଆ ଭଙ୍ଗାଯାଇ ପବିତ୍ର ଗୋମୟ ଜଳ ସିଞ୍ଚନ କରି ପ୍ରସ୍ତାବିତ ଧୂନୀ ମନ୍ଦିର ଗର୍ତ୍ତ ପୂରଣ କରାଯାଇଥିଲା। ୨୯ଟି ପଞ୍ଚାୟତର ପ୍ରତିନିଧିଙ୍କ ସହ ସୂଦୁର ମାଲକାନଗିରି ଓ ନବରଙ୍ଗପୁରରୁ ବସ୍ ଯୋଗେ ସୁଧାଭକ୍ତ ମଣ୍ଡଳୀଙ୍କ ପୀଠକୁ ଆଗମନ ହୋଇଥିଲା। କୌପୀନଧାରୀ ମହିମା ସମାଜର ଶ୍ରୀମଦ୍ ରଘୁନାଥ ବାବା, ସୁଶାନ୍ତ ବାବା, ଅବିନାଶୀ ବାବା, ରମେଶ ବାବା, ଅଭୟ ବାବା, କରୁଣାକର ବାବା(କ ଓ ଖ), ମହିମା ଜ୍ୟୋତିଯାତ୍ରା ସଂଯୋଜକ ପ୍ରଦ୍ୟୁମ୍ନ ରଥ, ଯୋରନ୍ଦା ବିକାଶ ପରିଷଦ ସଭାପତି ବିପିନ ବିହାରୀ ସିଂହ, ପିତବାସ ରାଉତ, ସମିତି ସଭ୍ୟ ପ୍ରତ୍ୟୁଷ ହରି ପ୍ରଧାନ, ଦେବେନ୍ଦ୍ର ବାବା, ତପୋବନ ପତ୍ରିକା ସମ୍ପାଦକ ପ୍ରଶାନ୍ତ ମହାପାତ୍ର, ବରିଷ୍ଠ ସଭ୍ୟ ନିରଞ୍ଜନ ପତି, ବିଣାକାର ବାବା, ଚନ୍ଦ୍ରମଣୀ ବାବା, ସନ୍ୟାସୀ ବାବା, ଶ୍ରୀଧର ବାବା, ଯଶୋବନ୍ତ ବାବା, ଗୋବର୍ଦ୍ଧନ ବାବା, ବିମ୍ବାଧର ବାବା, ରବି ବାବା, ଲମ୍ବୋଦର ବାବା, ଦୁଃଖବନ୍ଧୁ ବାବା, ସାରଙ୍ଗଧର ବାବା, ସଦାନନ୍ଦ ବାବା, ବିରଞ୍ଚି ବାବା, କିଣୁ ବାବା, ସୁରେଶ ବାବା (କ ଓ ଖ), ଧ୍ରୁବାନନ୍ଦ ବାବା, କନ୍ଦର୍ପ ବାବା, ଅକ୍ଷୟ ବାବା ଓ ସଞ୍ଜୟ ବାବା(କ,ଖ ଓ ଗ) ପ୍ରମୁଖ ଏହି ଶିଳାନ୍ୟାସ ସମାରୋହରେ ଭାଗ ନେଇଥିଲେ । ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ ବ୍ୟକ୍ତିଗତ ଭାବେ ଉପସ୍ଥିତ ହୋଇନଥିଲେ ମଧ୍ୟ ସମସ୍ତ ସହଯୋଗ କରିଥିଲେ ଏବଂ ତାଙ୍କର ବହୁ ସମର୍ଥକ ଓ କର୍ମୀ ଶିଳାନ୍ୟାସ ଉତ୍ସବରେ ଯୋଗ ଦେଇଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥକ ଓ କର୍ମୀ ବୃନ୍ଦ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।
ସୂଚନା ଯୋଗ୍ୟଯେ,ସ୍ୱର୍ଗତ ବଡ କୃପାସିନ୍ଧୁ ବାବାଙ୍କ ଦ୍ୱାରା ପ୍ରାୟ ୧୦୦ବର୍ଷ ତଳେ ପ୍ରତିଷ୍ଠିତ ଶୂନ୍ୟମନ୍ଦିର ମାହାଳମୂଳସ୍ଥିତ ବାବାଙ୍କ ଟୁଙ୍ଗି ଘର, ବତୀ ମନ୍ଦିର ଓ ଧୂନି ମନ୍ଦିର ଆଦିକୁ ଏକ ନ୍ୟାୟିକ ପ୍ରକ୍ରିୟାରେ ଗତ ୨୨ ନଭେମ୍ବର ୨୦୨୨ରେ ପ୍ରଶାସନ ଦ୍ୱାରା ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଥିଲା । ଏହା ପୂର୍ବରୁ ଉପଜିଲାପାଳଙ୍କ ଇଜଲାସରେ ଯୋରନ୍ଦା ମୌଜାସ୍ଥିତ ବିଜେ ମହିମା ସ୍ୱାମୀଙ୍କ ନାମରେ ଥିବା ଭୂସମ୍ପତି ଉପରେ ଉଭୟ ବକ୍କଳଧାରୀ ଓ କୌପୀନଧାରୀ ଗୋଷ୍ଠୀର ସମ ଅଧିକାର ନେଇ ଉଚ୍ଚ ନ୍ୟାୟାଳୟର ସ୍ପଷ୍ଟ ନିର୍ଦେଶ ଥିବା ସତ୍ୱେ ଏହାର ସତ୍ୱ ସଂଶୋଧନ କରାନଯାଇ ମାମଲାକୁ ବର୍ଷାଧିକ କାଳ ପକାଇ ରଖାଯାଇଥିଲା। ରେକର୍ଡରେ ସମ ଅଧିକାର ଦିଆଯାଇଥିଲେ ବିବାଦୀୟ ସ୍ଥଳ ମଧ୍ୟ ଏହାର ପରିସରକୁ ଆସିଥାନ୍ତା ଏବଂ ଉଚ୍ଛେଦ ସମ୍ଭବ ହୋଇପାରିନଥାନ୍ତା । ପରବର୍ତି ସମୟରେ ବିବାଦୀୟ ସ୍ଥଳରେ ଥିବା ସମସ୍ତ ଐତିହ୍ୟ ଉପସନା ପୀଠକୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯିବାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ପଡୋଶୀ ଆନ୍ଧ୍ର ପ୍ରଦେଶ, ଛତିଶଗଡ, ଝାଡଖଣ୍ଡ, ପଶ୍ଚିମବଙ୍ଗ, ବିହାର ଓ ଆସାମ ଆଦି ପ୍ରଦେଶ ସମେତ ଓଡିଶାର କୋରାପୁଟ, ନବରଙ୍ଗପୁର, ମାଲକାନଗିର ଓ କଳାହାଣ୍ଡି ଆଦି ଜିଲାରେ ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇ ଉପସନା ପୀଠ ଭଙ୍ଗାର ତୀବ୍ର ନିନ୍ଦା କରାଯାଇଥିଲା।
ଗତ ମାଘମେଳା ସମୟରେ ମେଳା ନହେବା ଭଳି ପରିସ୍ଥିତି ଉପୁଜିଥିଲା । ଉପସନା ପୀଠ ନିର୍ମାଣ ପାଇଁ ବିକଳ୍ପ ସ୍ଥାନ ଦିଆଯିବା ଏବଂ ଭୂସମ୍ପତି ସତ୍ୱଲିପିରେ ଉଭୟେ ଗୋଷ୍ଠୀଙ୍କ ମାର୍ଫତଦାର ସତ୍ୱ ଅକ୍ଷୁର୍ଣ୍ଣ ରଖାଯାଇ ରେକର୍ଡ ସଂଶୋଧନ କରାଯିବା ପରେ ଅଚଳ ଅବସ୍ଥାରେ ସମାଧାନ ହୋଇ ମହିମା ମାଘମେଳା ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା। ମେଳା ପରେ ପ୍ରଶାସନର ଅନୁରୋଧକୁ ବକ୍କଳଧାରୀ ସମାଜ କର୍ଣ୍ଣପାତ କରିନଥିଲେ । ଶେଷରେ ଗଁଦିଆ ବ୍ଲକର ୨୯ଟି ପଂଚାୟତକୁ ନେଇ “ଯୋରନ୍ଦା ମହିମାଗାଦୀ ଧର୍ମଧାମ ବିକାଶ ପରିଷଦ” ମହିମାଗାଦୀର ଐତିହ୍ୟ ଓ ସମ୍ମାନ ରକ୍ଷା ପାଇଁ ଗଠନ କରାଯାଇଥିଲା। ଏହାର ଅନ୍ୟତମ ଆବାହକ ନିରଞ୍ଜନ ପତି ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକରେ ଉପାସନା ପୀଠ ପୁନଃ ନିର୍ମାଣରେ ବକ୍କଳଧାରୀଙ୍କ ସହଯୋଗ କାମନା କରିଥିଲେ । ବକ୍କଳଧାରୀ ସମାଜ ଦୀର୍ଘ ଦୁଇମାସ ସମୟ ମଧ୍ୟରେ ନିଜର ମତ ସ୍ପଷ୍ଟ ନକରିବାରୁ ପ୍ରଶାସନର ଜ୍ଞାତସାରରେ ନୂତନ ଧୂନି ମନ୍ଦିର ପାଇଁ ଭୂମିପୂଜନ କରାଯାଇଛି ।
Comments are closed.