www.samajalive.in
Saturday, December 6, 2025
14.1 C
Bhubaneswar

ମଧୁତୀର୍ଥର ମୋହରେ ମହାତ୍ମା ଗାନ୍ଧୀ

ଭୁବନେଶ୍ଵର: ଶହେ ବର୍ଷ ତଳେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନିମନ୍ତ୍ରଣ କ୍ରମେ ମହାତ୍ମା ଗାନ୍ଧୀ କଟକ ଆସି ମଧୁବାବୁଙ୍କ ଘରେ ରହିଥିଲେ। ନିଜେ ମଧୁବାବୁ ରେଳ ଷ୍ଟେସନ୍‌‌ରୁ ଗାନ୍ଧୀଙ୍କୁ ସ୍ୱାଗତ କରି ତାଙ୍କ ଘରକୁ ସାଙ୍ଗରେ ଆଣିଥିଲେ ୧୯୨୫ ଅଗଷ୍ଟ ୧୯ ତାରିଖରେ। ଏଠାରେ ସେ ଦୁଇଦିନ ଅବସ୍ଥାନ କରିବା ସହ ଉତ୍କଳ ଟ୍ୟାନେରୀ, କୁଷ୍ଠାଶ୍ରମ ଆଦି ପରିଦର୍ଶନ କରିବା ସଂଗେ ସଂଗେ ଚରଖା ପ୍ରଦର୍ଶନୀ, ଖ୍ରୀଷ୍ଟିଆନ୍‌‌ମାନଙ୍କ ସମାବେଶ, ମହିଳା ସଭା ଓ ସାଧାରଣ ସଭା ଆଦିରେ ଯୋଗ ଦେଇଥିଲେ। ଯେଉଁ ଘରେ ମଧୁବାବୁଙ୍କ ଆତିଥେୟତା ଗ୍ରହଣ କରି ଗାନ୍ଧୀଜୀ ଦୁଇଦିନ କାଳ ବିତାଇଥିଲେ ତାହା ଏବେ ଶୈଳବାଳା ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟ ପରିସର ମଧ୍ୟରେ ଐତିହ୍ୟ କୋଠି ହୋଇ ରହିଛି। ଏଠାରେ ଉଲ୍ଲେଖନୀୟ ଯେ ଗାନ୍ଧୀଜୀଙ୍କ ଠାରୁ ମଧୁବାବୁ ଥିଲେ ବୟସରେ ବଡ଼।
ମଧୁବାବୁ ଅସହଯୋଗ ଆନ୍ଦୋଳନ ସମୟରେ ବିହାର-ଓଡ଼ିଶା ସରକାରରେ ପ୍ରଥମ ଓଡ଼ିଆ ମନ୍ତ୍ରୀ ଭାବେ ଯୋଗ ଦେବା ଘଟଣାକୁ ବିଭିନ୍ନ ମହଲରୁ ବିରୋଧ କରାଯାଉଥିବା ବେଳେ ଗାନ୍ଧୀଜୀ ସ୍ପଷ୍ଟ କରିଦେଇଥିଲେ ଯେ ମଧୁବାବୁଙ୍କ ଭଳି ବିଜ୍ଞ ଜାତିପ୍ରେମୀମାନେ ମନ୍ତ୍ରିପଦରେ ରହିଲେ ଦେଶର ଗୌରବ ବଢ଼଼ିବ। ସେ ଲେଖିଥିଲେ, ‘ଦେଶର ବିଭିନ୍ନ ରାଜ୍ୟର ମନ୍ତ୍ରୀମାନେ ଯଦି ମଧୁସୂଦନ ଦାସ ବା ଚିନ୍ତାମଣିଙ୍କ ପରି ସ୍ୱାଧୀନଚେତା ହୋଇ କାମ କରନ୍ତି ତେବେ ଭାରତୀୟମାନଙ୍କ ମନ୍ତ୍ରିତ୍ୱ ଗ୍ରହଣରେ ତାଙ୍କର କୌଣସି ଆପତ୍ତି ନାହିଁ।’ ବିଦ୍ୟାଳୟମାନଙ୍କରେ କୃଷି ଓ ଗ୍ରାମ୍ୟ ଶିଳ୍ପକୁ ବାଧ୍ୟତାମୂଳକ ପାଠ୍ୟକ୍ରମଭାବେ ରଖିବା ପାଇଁ ୧୮୯୭ ମସିହାରୁ ମଧୁବାବୁ ଦାବି କରିଆସୁଥିଲେ। ଶିକ୍ଷାକୁ ବୃତ୍ତିଭିତ୍ତିକ କରାଗଲେ ଛାତ୍ରଛାତ୍ରୀ ସ୍ୱାବଲମ୍ବୀ ହେବାସହ ଶିକ୍ଷା ବାବଦ ଖର୍ଚ୍ଚ ନିଜେ ମଧ୍ୟ ରୋଜଗାର କରିପାରିବେ। ମଧୁବାବୁଙ୍କ ଏହି ମନ୍ତବ୍ୟ ଥିଲା ଗାନ୍ଧୀଜୀଙ୍କ ପାଇଁ ଆପ୍ତ ବାଣୀ। ବିନା ବେତନରେ ମନ୍ତ୍ରୀଭାବେ କାମ କରିବା ଲାଗି ମଧୁବାବୁଙ୍କ ଜିଦ୍‌‌ ଗାନ୍ଧୀଜୀଙ୍କୁ ଚକିତ କରିଦେଇଥିଲା। ଯେଉଁ ହାତରେ ଜଣେ ରୁଟି କି ଅନ୍ୟ ଖାଦ୍ୟ ଖାଏ, ସେହି ହାତରେ ହିଁ ସେ ଏହାର ଉପାର୍ଜନ କରିବାକୁ ପଡ଼ିବ ବୋଲି ପାଟନାରେ ଏକ ଭାଷଣରେ ମଧୁବାବୁ ଯାହା ଉଲ୍ଲେଖ କରିଥିଲେ ତାହା ଗାନ୍ଧୀଜୀଙ୍କ ଦୃଷ୍ଟିରେ ତାଙ୍କୁ ଦ୍ୱିତୀୟ ଟଲଷ୍ଟୟରେ ପରିଣତ କରିଥିଲା।
ମଧୁବାବୁଙ୍କ ପରାମର୍ଶକ୍ରମେ ୧୯୨୦ ମସିହାରେ ବ୍ରଜସୁନ୍ଦର ଦାସ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପ୍ରସଙ୍ଗରେ ଗାନ୍ଧୀଜୀଙ୍କୁ ଯେଉଁ ଚିଠି ଲେଖିଥିଲେ ତାହା ଗାନ୍ଧୀଜୀ ୟଙ୍ଗ୍‌‌ ଇଣ୍ଡିଆରେ ‘ଏ କ୍ରାଇ ଫ୍ରମ୍‌‌ ଉତ୍କଳ’ ଶୀର୍ଷକରେ ପ୍ରକାଶ କରିଥିଲେ। ଉପଣ୍ଡିତ ଗୋପବନ୍ଧୁଙ୍କ ଅଧ୍ୟକ୍ଷତାରେ ପ୍ରଥମ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ୧୯୨୧ ମସିହାରେ ଗଢ଼ାଯାଇଥିବାବେଳେ ଏହା ପୂର୍ବରୁ ୧୮୮୬ ମସିହାରୁ ମଧୁବାବୁ ଅନେକ କଂଗ୍ରେସ ଅଧିବେଶନରେ ଯୋଗ ଦେଇଥିଲେ।
ସୂତାଖିଅରୁ ସ୍ୱରାଜ ଆସିବ ବୋଲି ଉଲ୍ଲେଖ କରି ଗାନ୍ଧୀଜୀ ଅସହଯୋଗ ଆନ୍ଦୋଳନ ସମୟରୁ ଚରଖାର ପ୍ରଚାର ପ୍ରସାର କରିଥିଲେ। ତେବେ ମଧୁବାବୁ ଢ଼େର ବର୍ଷ ପୂର୍ବରୁ ଉତ୍କଳ ସମ୍ମିଳନୀ ମଞ୍ଚରୁ ଚରଖା ଚଳାଇବା ପାଇଁ ଆହ୍ୱାନ ଦେଇଥିଲେ। ୧୯୨୫ ଅଗଷ୍ଟ ୧୯-୨୦ର ଓଡ଼ିଶା ଗସ୍ତ ପୂର୍ବରୁ ଗାନ୍ଧୀଜୀ ମଧୁବାବୁଙ୍କୁ ଲେଖିଥିଲେ ଯେ ସେ ତାଙ୍କ ପାଖରେ ହିଁ ଆଗ୍ରହର ସହ ରହିବେ ଏବଂ ଏହି ଗସ୍ତରେ ଆଉ ତିନିଜଣ ମଧ୍ୟ ତାଙ୍କ ସହ ଆସିବେ। ଆର୍ଥିକ ଦୁରବସ୍ଥା ମଧ୍ୟରୁ ଉତ୍କଳ ଟ୍ୟାନେରିକୁ ରକ୍ଷା କରିବା ପାଇଁ ଘନଶ୍ୟାମ ଦାସ ବିରଳାଙ୍କୁ ଗାନ୍ଧୀଜୀ ପ୍ରଭାବିତ କରିଥିଲେ। ତେବେ ବହୁ ପ୍ରତିକୂଳ ପରିସ୍ଥିତି ଭିତରେ ନିଜସ୍ୱ ଅର୍ଥରେ ଗଢ଼ିଥିବା ଓଡିଆ ଜାତିର ଏହି କୋଠ ସମ୍ପତ୍ତିକୁ ସେ କୌଣସି ଅଣଓଡ଼ିଆଙ୍କ ହାତରେ ଟେକି ଦେଇପାରିବେ ନାହିଁ ବୋଲି ମଧୁବାବୁଙ୍କ ଜିଦ୍‌‌ ଯୋଗୁଁଁ ଗାନ୍ଧୀଜୀ ଏ କ୍ଷେତ୍ରରେ ଆଗେଇ ପାରିନଥିଲେ।
ଉତ୍କଳ ଟ୍ୟାନେରି ପରିଦର୍ଶନ କାର୍ଯ୍ୟକ୍ରମରୁ ଅସ୍ପୃଶ୍ୟତା ନିବାରଣ, ସ୍ୱଦେଶୀ ଓ ସ୍ୱାବଲମ୍ବନ ପ୍ରସଙ୍ଗରେ ଗାନ୍ଧୀଜୀଙ୍କୁ ନୂଆ ଚେତନା ଦେଇଥିଲା। ମଧୁବାବୁଙ୍କ ଘରେ ଗାନ୍ଧୀଜୀ କଂଗ୍ରେସ ନେତାମାନଙ୍କ ବୈଠକ କରି ଖଦି ଓ ଗ୍ରାମ୍ୟ ଶିଳ୍ପର ବିକାଶ ଲାଗି ମାର୍ଗ ଦର୍ଶନ ଦେଇଥିଲେ। ଏଇଠି କଂଗ୍ରେସ କର୍ମୀମାନଙ୍କୁ ଜାତୀୟ ଶିକ୍ଷା ସମ୍ବନ୍ଧରେ ବୁଝାଉ ବୁଝାଉ ଗାନ୍ଧୀଜୀ କହିଥିଲେ, ‘ବର୍ତ୍ତମାନର ଶିକ୍ଷା ଆମର ବୁଦ୍ଧିକୁ ଆଧୁନିକ ସଭ୍ୟତାର ଚପାକାଗଜ (ବ୍ଲଟିଙ୍ଗ୍‌‌ ସିଟ୍‌‌ସ ଅଫ୍‌‌ ମଡର୍ଣ୍ଣ ସିଭିଲାଇଜେସନ୍‌‌) ଭଳି କରିଦେଇଛି। ମଧୁବାବୁ ଏହାର ସ୍ପଷ୍ଟୀକରଣ ଲୋଡିବାରୁ ଗାନ୍ଧୀ କହିଥିଲେ, ‘ଆମ ମୁଣ୍ଡରେ ପଶ୍ଚିମ ସଭ୍ୟତାର ଠିକ୍‌‌ ଠିକ୍‌‌ ଓ ସାଫ୍‌‌ ସାଫ୍‌‌ ଛାପ ଉଠୁନାହିଁ। ଚପା କାଗଜରେ ଅକ୍ଷର ଓଲଟାହୋଇ ଛପି ଉଠେ ଓ ପଢ଼଼ିହୁଏ ନାହିଁ। ସେମିତି କେତେ ଗୁଡାଏ ଗୋଳମାଳିଆ ଦାଗ ମାତ୍ର ରହିଯାଉଛି। ସୁତରାଂ ଆମ ବୁଦ୍ଧିବୃତ୍ତି ପଶ୍ଚିମୀ ଶିକ୍ଷାର କାଳିମା ଦାଗରେ ଗୋଳମାଳିଆ ଧରି ଆମକୁ ଅକର୍ମଣ୍ୟ ଓ ହୀନବୁଦ୍ଧି କରିଦେଉଛି।’
୧୯୨୭ ଡିସେମ୍ବର ମାସରେ ଗାନ୍ଧୀଜୀଙ୍କ ଦୀର୍ଘ ଓଡ଼ିଶା ଗସ୍ତବେଳେ ସେ କଟକରେ ତିନିଦିନ ଅବସ୍ଥାନ କରିଥିଲେ। ଏହି ସମୟରେ ଗାନ୍ଧୀଜୀଙ୍କ ମୌନ ଦିବସ ଥିବା ସତ୍ତ୍ବେ ସେ ମଧୁବାବୁଙ୍କ ସହ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ଗସ୍ତକାଳରେ ଗାନ୍ଧୀଜୀ ଓଡ଼ିଆ ଭାଷାକୋଷର ପ୍ରଣେତା ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଘରକୁ ଯାଇଥିଲେ। ମଧୁବାବୁଙ୍କ ପାଳିତା କନ୍ୟା ଶୈଳବାଳା ତାଙ୍କ ଆତ୍ମ ଜୀବନୀରେ ଦେଇଥିବା ବିବରଣୀ ଅନୁଯାୟୀ ଗାନ୍ଧୀଜୀ ସେ ବର୍ଷ ଡିସେମ୍ବର ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ମଧୁବାବୁଙ୍କ କଟକ ଘରେ ରହିଥିଲେ। ଏହି ସମୟରେ ଅସୁସ୍ଥ ଗାନ୍ଧୀଙ୍କ ଉପଚାର ନିଜେ ମଧୁବାବୁ କରିଥିଲେ।
୧୯୩୪ ମସିହାରେ ଗାନ୍ଧୀଜୀଙ୍କ ଓଡ଼ିଶା ଗସ୍ତବେଳକୁ ମଧୁବାବୁଙ୍କ ଦେହାନ୍ତ ହୋଇସାରିଥିଲା। ଓଡ଼ିଶାରେ ଗାନ୍ଧୀଜୀ ଅପ୍ରତ୍ୟାଶିତ ଭାବେ ପୁରୀରୁ ପଦଯାତ୍ରା ଆରମ୍ଭ କରିଥିଲେ। ପଦଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟରେ ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁର ଆସି ତାଙ୍କ ପୈତୃକ ଘରର ଛାତ ଉପରେ ମଇ ୨୩ ତାରିଖ ରାତିଟି ବିତାଇଥିଲେ। ମଧୁତୀର୍ଥକୁ ଗାନ୍ଧୀଜୀଙ୍କ ଏହି ଗସ୍ତ ଇତିହାସର କଥାବସ୍ତୁୂ। ମଧୁବାବୁଙ୍କ ନିଜ ଝିଆରୀ ରମାଦେବୀ ସପରିବାର ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇ ବାରମ୍ବାର କାରାବରଣ କରିଥିଲେ ଏବଂ ଗାନ୍ଧୀଜୀଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ବିଭିନ୍ନ ରଚନାତ୍ମକ କାର୍ଯ୍ୟକ୍ରମରେ ନିୟୋଜିତ ରହିବା ସହ ଅନେକ କର୍ମୀ ସୃଷ୍ଟି କରି ସେବା ଓ ସଂଗ୍ରାମର କ୍ଷେତ୍ରକୁ ସମୃଦ୍ଧ କରିଥିଲେ। ପ୍ରତ୍ୟେକ ଲୋକ ଦେଶ ପାଇଁ ଭାବିବା ଲାଗି ଉଭୟ ମଧୁବାବୁ ଓ ମହାତ୍ମା ବାରମ୍ବାର ଚେତାଉଥିଲେ। ଏହି ଦୁଇ ମହାପୁରୁଷଙ୍କ କଥା, ଚିନ୍ତା ଓ କାମ ଏକ ପ୍ରକାରର ଥିଲା।
ଓଡ଼ିଶା ଭିତରେ ଓ ବାହାରେ ବିଭିନ୍ନ ସଭା ସମିତିରେ ଏବଂ ପତ୍ରପତ୍ରିକାରେ ଗାନ୍ଧୀଜୀ ମଧୁବାବୁଙ୍କ ପ୍ରସଙ୍ଗରେ ବାରମ୍ବାର ଉଲ୍ଲେଖ କରିଛନ୍ତି। ଶରୀର ଶ୍ରମ, ଅସ୍ପୃଶ୍ୟତା ନିବାରଣ, ଚମଡ଼ା କଷେଇ, ମୌଳିକ ଶିକ୍ଷା ଆଦି ବିଷୟରେ ଗାନ୍ଧୀଜୀ ମଧୁବାବୁଙ୍କ ଜୀବଦଶାରେ ଓ ତାଙ୍କ ପରଲୋକ ପରେ ଅନେକ ଲେଖା ଲେଖିଛନ୍ତି। ମଧୁବାବୁ କିଭଳି ଚମଡ଼ା ଶିଳ୍ପ ସମ୍ପର୍କରେ ଅଧ୍ୟୟନ କରି ଜଣେ ଜର୍ମାନୀ ଚମଡା ବିଶାରଦଙ୍କୁ ଆଣି ଟ୍ୟାନେରି ପ୍ରତିଷ୍ଠା କରିଥିଲେ ସେ ସଂକ୍ରାନ୍ତରେ ହରିଜନ ପତ୍ରିକାରେ ଗାନ୍ଧୀଜୀଙ୍କର ଏକ ପ୍ରେରଣାଦାୟୀ ଲେଖା ପ୍ରକାଶ ପାଇଥିଲା। ୧୯୩୪ ସେପ୍ଟେମ୍ବର ୭ ତାରିଖରେ ଗାନ୍ଧୀଜୀ ଅନ୍ୟ ଏକ ଆଲେଖ୍ୟରେ ଲେଖିଥିଲେ ଯେ ଦେଶରେ ଚିନ୍ତାଶକ୍ତି ଓ ଶାରୀରିକ ଶ୍ରମର ଅଭାବ ଆମକୁ ବିଶ୍ୱରେ ସବୁଠାରୁ ଦରିଦ୍ର ଓ ସ୍ୱଳ୍ପାୟୁ ଜାତିରେ ପରିଣତ କରିଛି। ମଧୁବାବୁଙ୍କ ସ୍ମୃତି ଚାରଣ ସହ ୧୯୩୫ ମାର୍ଚ୍ଚ ୧ର ହରିଜନରେ ଗାନ୍ଧୀଜୀ ପୁଣି ଲେଖିଥିଲେ ଯେ ଆମେ ଯଦି ଗ୍ରାମବାସୀମାନଙ୍କ ପ୍ରତି କର୍ତ୍ତବ୍ୟରେ ଅବହେଳା କରୁ, ତା’ହେଲେ ଆମେ ଧ୍ୱଂସର ଗହ୍ୱର ଭିତରକୁ ଖସିପଡ଼ିବୁ। ସେବାଗ୍ରାମଠାରେ ଅନୁଷ୍ଠିତ ନିଖିଳ ଭାରତ ଶିକ୍ଷା ସମ୍ମିଳନୀରେ ଭାଷଣ ଦେଇ ୨୨.୧୦.୧୯୩୭ରେ ଗାନ୍ଧୀଜୀ ମଧୁବାବୁଙ୍କ ବକ୍ତବ୍ୟକୁ ଉଦ୍ଧାର କରି କହିଥିଲେ ଯେ ଆମମାନଙ୍କର ହାତ ଓ ପାଦ ବିଧିବଦ୍ଧ ଭାବରେ ଯଦି ନିୟୋଜିତ ନ ହୁଏ, ତେବେ ଆମମାନଙ୍କର ମସ୍ତିକ ସ୍ଥାଣୁ ଓ ନିର୍ବେଦ ପାଲଟିଯିବ। ଯଦିବା ଏହି ସ୍ଥିତିରେ ବହିଃମସ୍ତିକ କାମ କରେ ତେବେ ତାହା ସୈତାନର ଆଡ୍ଡାସ୍ଥଳୀରେ ପରିଣତ ହେବ। ଗାଁ ଗଣ୍ଡା ବୁଲି ଦେଶର ଅବସ୍ଥା ଅନୁଧ୍ୟାନ ସହ କାର୍ଯ୍ୟକ୍ରମ ଚଳାଇଲେ ବହୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ମଧୁବାବୁଙ୍କ ବକ୍ତବ୍ୟ ଗାନ୍ଧୀଜୀଙ୍କୁ ପ୍ରଭାବିତ କରୁଥିଲା। ଏ ପ୍ରସଙ୍ଗରେ ୟଙ୍ଗ୍‌‌ ଇଣ୍ଡିଆରେ ଗାନ୍ଧୀଜୀ ମଧୁବାବୁଙ୍କ ମତ ଉଦ୍ଧାର କରି ଲେଖିଥିଲେ- ଚାଷ ସହିତ ଚାଷୀମାନେ ଅନ୍ୟ କୌଣସି କୁଟୀର ଶିଳ୍ପକୁ ଆଦରିଲେ ଆର୍ଥିକ ସମୃଦ୍ଧି ଆସିପାରିବ।
ସ୍ୱାଧୀନତା ସଂଗ୍ରାମ କାଳରେ ଗାନ୍ଧୀଜୀ ମାତୃ ଜାତିର ଆଶୀର୍ବାଦ ଭିକ୍ଷା କରିବା ସହ ଜନସଂଖ୍ୟାର ଅଧା ମହିଳା ହୋଇଥିବାରୁ ସେମାନଙ୍କୁ ଉପେକ୍ଷା କରି ଆନ୍ଦୋଳନ କିମ୍ବା ଦେଶର ଅଗ୍ରଗତି ହୋଇପାରିବ ନାହିଁ ବୋଲି କହିଥିଲେ। ନାରୀମାନଙ୍କୁ ପରଦା ଆଢ଼ୁଆଳରୁ ପଦାକୁ ଆଣି ସେମାନଙ୍କ ଶିକ୍ଷାର ବିକାଶ, ନିରାପତ୍ତା ଏବଂ ସର୍ବୋପରି ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ଅଗ୍ରଗତି ଲାଗି ରଚନାତ୍ମକ କାର୍ଯ୍ୟକ୍ରମରେ ବ୍ୟାପକ ବ୍ୟବସ୍ଥା କରିଥିଲେ। ଏହାର ଢ଼େର ବର୍ଷ ପୂର୍ବରୁ ମଧୁବାବୁ ନାରୀ ଶିକ୍ଷାର ବିକାଶ ଲାଗି ପ୍ରତ୍ୟକ୍ଷ କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ଏବେ ସୁପ୍ରିମକୋର୍ଟ, ହାଇକୋର୍ଟ ଓ ଅନ୍ୟ ନ୍ୟାୟାଳୟଗୁଡ଼ିକରେ ମହିଳା ବିଚାରପତିଙ୍କ ସଂଖ୍ୟା ବଢ଼଼ୁଛି; କିନ୍ତୁ ୧୯୨୧ ପୂର୍ବରୁ ବିଚାରପତି ହେବା ତ ଦୂରର କଥା ମହିଳାମାନଙ୍କୁ ଓକିଲାତି ଲାଗି ଲାଇସେନ୍ସ ମିଳୁ ନଥଲା। ପାଳିତା କନ୍ୟା ଶୈଳବାଳାଙ୍କ ଭଉଣୀ ସୁଧାଂଶୁବାଳାଙ୍କୁ ମଧୁବାବୁ ଜିଦ୍‌‌ କରି ଓକିଲାତି ପଢ଼଼ାଇଲେ ଓ ତାଙ୍କୁ ଓକିଲାତି ଲାଇସେନ୍ସ ଲାଗି ପାଟନା ହାଇକୋର୍ଟରୁ କେନ୍ଦ୍ରୀୟ ବ୍ୟବସ୍ଥାପକ ସଭା ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଲଢ଼ିବା ପରେ ମହିଳାଙ୍କୁ ଏହି ଅଧିକାର ଭାରତରେ ମିଳିଥିଲା। ୧୯୩୦ରେ ଗାନ୍ଧୀଜୀ ଲବଣ ସତ୍ୟାଗ୍ରହ କରିଥିଲେ। ଏହାର ବହୁ ବର୍ଷ ପୂର୍ବରୁ ବିଧାନ ପରିଷଦରେ ମଧୁବାବୁ ଏ ଦାବି ଉଠାଇଥିଲେ।
ଗାନ୍ଧୀଜୀ ଅସ୍ପୃଶ୍ୟତା ପ୍ରସଙ୍ଗରେ ୧୯୩୨ ନଭେମ୍ବର ୧୪ ତାରିଖରେ ଏକ ବିବୃତି ଲେଖୁଥିବାବେଳେ ମଧୁବାବୁଙ୍କ ଦେହାନ୍ତ ହୋଇଯାଇଛି ବୋଲି ଭୁଲ ଖବର ପାଇଥିଲେ। ଏହା ଆଧାରରେ ସେ ଉକ୍ତ ବିବୃତିରେ ମଧୁବାବୁଙ୍କ ଭୂୟସୀ ପ୍ରଶଂସା କରିବା ସହ ତାଙ୍କୁ ସ୍ୱର୍ଗତ ବୋଲି ଲେଖିଦେଇଥିଲେ। ଏହା ବମ୍ବେ କ୍ରନିକିଲ୍‌‌ ସମେତ ବିଭିନ୍ନ ପତ୍ରପତ୍ରିକାରେ ପରଦିନ ପ୍ରକାଶ ପାଇଲା। ଏହି ସମ୍ବାଦ ତ୍ରୁଟିପୂର୍ଣ୍ଣ ବୋଲି ଜାଣିବାପରେ କ୍ଷମା ପ୍ରାର୍ଥନା କରି ମଧୁବାବୁଙ୍କ ନିକଟକୁ ଗାନ୍ଧିଜୀ ଏକ ଟେଲିଗ୍ରାମ ପଠାଇଥିଲେ। ଗଣମାଧ୍ୟମରେ ବି ତ୍ରୁଟି ଲାଗି ଦୁଃଖ ପ୍ରକାଶ କରି ଗାନ୍ଧୀଜୀ ବିବୃତି ଦେଇଥିଲେ। ଗାନ୍ଧୀଜୀ ଓ ମଧୁବାବୁଙ୍କ ଭିତରେ ଯେତେ ପତ୍ର ଓ ମତ ବିନିମୟ ହୋଇଛି ନିର୍ଯାସ କେବଳ ସେ ସମୟ ପାଇଁ ନୁହେଁ, ବର୍ତ୍ତମାନ ଓ ଭବିଷ୍ୟତ ଲାଗି ମଧ୍ୟ ପ୍ରାସଙ୍ଗିକ। ଯେଉଁ ମଧୁ ତୀର୍ଥ ମହାତ୍ମାଙ୍କୁ ମୋହିତ କରିଥିଲା ସେହି ପବିତ୍ର ତୀର୍ଥ ଏବେ ବି ଉତ୍କଳୀୟମାନଙ୍କୁ ଡାକି ଡାକି କହୁଛି, ‘ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ……।’

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories