ମଧ୍ୟରାତ୍ରରେ ହେବ ମା’ ମାଣିକେଶ୍ବରୀଙ୍କ ସନ୍ଧି ପୂଜା

୫ ଟା ୪୫ ମିନିଟରେ ଜେନାଖାଲରୁ ଛତର ଉଠିବାକୁ ଲଗ୍ନ ଧାର୍ଯ୍ୟ

ଭବାନୀପାଟଣା: ଆସନ୍ତାକାଲି କଳାହାଣ୍ଡିବାସୀଙ୍କ ଆରାଧ୍ୟା ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହେବ । ପୂଜା ମଣ୍ଡପ ଗୁଡ଼ିକ ରେ ଆଜି ମହା ସପ୍ତମୀ ପୂଜା କରାଯାଉଥିବା ବେଳେ ପୀଠ ସ୍ଥଳୀ ଗୁଡିକରେ ମହାଷ୍ଟମୀ ପୂଜା କରାଯାଉଛି। ଏଣୁ ବିଧି ଅନୁଯାୟୀ ଆଜି ମଧ୍ୟ ରାତ୍ରରେ ମା’ଙ୍କ ମନ୍ଦିରରେ ସନ୍ଧି ପୂଜା କରାଯିବ । ତାପରେ ନିଶାର୍ଦ୍ଧରେ ମା’ଙ୍କ ପ୍ରତୀକ ଛତରକୁ ସହର ଉପକଣ୍ଠରେ ଥିବା ଜେନାଖାଲକୁ ଅଣାଯିବ। ସେଠାରେ ଗୁପ୍ତ ପୂଜା ପରେ ଆସନ୍ତାକାଲି ଭୋର ପ୍ରାୟ ୫ ଟା ୪୫ ମିନିଟରେ ଜେନାଖାଲରୁ ଛତର ଉଠିବାକୁ ଲଗ୍ନ ଧାର୍ଯ୍ୟ ହେଇଛି । ତାପରେ ପୂଜକ କାନ୍ଧରେ ମା’ ଙ୍କ ପ୍ରତୀକ ଛତର ହଲି ଝୁଲି ଭକ୍ତଙ୍କ ଗହଣରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ପ୍ରାୟ ତିନି କିଲୋମିଟର ବ୍ୟାପି ହଜାର ହଜାର ଭକ୍ତଙ୍କୁ ଦର୍ଶନ ଦେଇ ମା’ ଏକ ବିରାଟ ପଟୁଆରରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ଯାତ୍ରାକୁ ହିଁ ଛତର ବିଜୟ ଯାତ୍ରା ବୋଲି କୁହାଯାଏ।

prayash

ଆସନ୍ତାକାଲିର ଏହି ଯାତ୍ରାରେ ଜେନାଖାଲ ରୁ ମନ୍ଦିର ଯାଏଁ ପ୍ରାୟ ୪୫ ରୁ ଅଧିକ ଘଣ୍ଟ, ଘୁମୁରା, ବାଜାଶାଲ, ନିଶାନ ଦଳ ମା’ଙ୍କୁ ପାଛୋଟି ନେବେ । ଘଣ୍ଟ , ତାଲ , ଘୁମରା , ତାଶା ଏବଂ ନିଶାନ ର ଶବ୍ଦ ରେ ପ୍ରକମ୍ପିତ ହେବ ଭବାନିପାଟଣା ସହର। ଭକ୍ତ ମାନେ ରାଜ ରାସ୍ତାରେ ମା’ଙ୍କ ଦର୍ଶନ କରି ଧୂପ , ଦୀପ ନୈବେଦ୍ୟ ସହିତ ପୂଜା କରିବେ। ସେଭଳି ମାନସିକ ଧାରୀମାନେ ପଶୁବଳି ଦିଅନ୍ତି ।

ଶାକ୍ତ ପରମ୍ପରାର ଅନନ୍ୟ ପୀଠ ମା’ ମାଣିକେଶ୍ବରୀଙ୍କ ବାର୍ଷିକ ଛତର ଯାତ୍ରା ପାଇଁ ଆଜି ଆଶା ସାଗର କୁଳ ଜେନାଖାଲରେ ପୂଜାବିଧି କରାଯାଇଥିଲା। ସେହିଭଳି ବିଧି ମୁତାବକ ମା’ଙ୍କ ମନ୍ଦିରରେ ମଧ୍ୟ ଆଜି ଦିନ ତମାମ ପୂଜା ଚାଲିବା ସହ ମନ୍ଦିରକୁ ଝୋଟି ଏବଂ ଆଲୋକ ମାଳାରେ ସଜ୍ଜିତ କରାଯାଇଛି। ଛତର ଯାତ୍ରା ପୂର୍ବରୁ ମା’ଙ୍କ ଦର୍ଶନ କରିବାକୁ ଆଜି ମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଲାଗିଛି । ମା’ଙ୍କ ବାର୍ଷିକ ଛତର ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ ପାଇଁ ପ୍ରଶାସନିକ ବ୍ୟବସ୍ଥା ହେଇଛି । ମା’ଙ୍କ ଛତରକୁ ତିନି ଥାକିଆ ସୁରକ୍ଷା ଦିଆଯାଇଥିବା ବେଳେ ୧୨ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି। ୧୦ ଜଣ ମାଜିଷ୍ଟ୍ରେଟଙ୍କୁ ମୁତୟନ କରାଯାଇଛି। ଏଥି ସହିତ କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୭ ଜଣ ଡିଏସପିଙ୍କ ସମେତ ସମସ୍ତ ୧୯ଟି ଥାନାର ଅଧିକାରୀ ଏବଂ କର୍ମଚାରୀ ଶାନ୍ତି ଶୃଙ୍ଖଳା ପାଇଁ ମୁତୟନ ହୋଇଛନ୍ତି।

Comments are closed.