ବୋଲରଙ୍କ ସଫଳତା; ରାଜସ୍ଥାନକୁ ୧୦ ରନ୍ରେ ପରାସ୍ତ କଲା ଲକ୍ଷ୍ନୌ
ଜୟପୁର : ଆଇପିଏଲ୍ରେ ବୁଧବାର ବିଜୟୀ ହୋଇଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ। ରାଜସ୍ଥାନ ରୟାଲ୍ସକୁ ୧୦ ରନ୍ରେ ଲକ୍ଷ୍ନୌ ପରାସ୍ତ କରିଛି। କାଏଲ୍ ମେୟର୍ସଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଲକ୍ଷ୍ନୌ ୭ ୱିକେଟରେ ୧୫୪ ରନ୍ କରିଥିଲା। ଲକ୍ଷ୍ନୌର ବୋଲର ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନକୁ ୬ ୱିକେଟରେ ୧୬୬ ରନ୍ରେ ରୋକି ପାରିଥିଲେ। ୬ଷ୍ଟ ମ୍ୟାଚ୍ରୁ ରାଜସ୍ଥାନ ୨ୟ ପରାଜୟ ଭୋଗି ଶୀର୍ଷ ସ୍ଥାନ ବଜାୟ ରଖିଛି। ଲକ୍ଷ୍ନୌ ୬ଷ୍ଠ ମ୍ୟାଚ୍ରୁ ୪ର୍ଥ ବିଜୟ ପରେ ୮ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛି।
ଘରୋଇ ରାଜସ୍ଥାନ ରୟାଲ୍ସର ଦୁଇ ଓପ୍ନର ଯଶସ୍ବୀ ଜୟସୱାଲ ଓ ଜୋସ୍ ବଟ୍ଲର ଧିମାଗତିରେ ୧୫୫ ରନ୍ର ପିଛା ଆରମ୍ଭ କରିଥିଲେ। ଦୁହେଁ ୬ ଓଭରର ପାୱରପ୍ଲେରେ ୪୭ ରନ୍ କରିଥିଲେ। ଆରମ୍ଭରୁ ଯଶସ୍ବୀ ସଟ୍ ଖେଳିଥିବା ବେଳେ ସେଟ୍ ହେବା ପରେ ବଟ୍ଲର ସଟ୍ ଖେଳିବା ଆରମ୍ଭ କରିଥିଲେ। ୧୨ଶ ଓଭରରେ ୮୭ ରନ୍ର ଓପ୍ନିଂ ଭାଗିଦାରୀ ହୋଇଥିଲା। ଯଶସ୍ବୀ ଜୟସୱାଲ ୩୫ ବଲ୍ରୁ ୨ଟି ଛକା ଓ ୪ଟି ଚୌକା ସହ ୪୫ ରନ୍ କରିଥିଲେ। ଅଧିନାୟକ ସଞ୍ଜୁ ସାମ୍ସନ ୨ ରନ୍କରି ରନ୍ଆଉଟ୍ ହୋଇଥିଲେ। ଲକ୍ଷ୍ନୌ ଓ ରାଜସ୍ଥାନର ଇନିଂସ ମଧ୍ୟରେ ସମାନତା ଥିଲା। ମଜ୍ଭୁତ ଓପ୍ନିଂ ଭାଗିଦାରୀ ପରେ ଜଲ୍ଦି ୪ଟି ୱିକେଟ ପଡ଼ିଥିଲା। ୧୫ଶ ଓଭରରେ ରାଜସ୍ଥାନ ୧୦୦ ରନ୍ ପୂରଣ କରିଥିଲା। ସିମ୍ରନ୍ ହେତ୍ମେୟର ୨ ରନ୍ କରିଥିଲେ। ୧୭ ରନ୍ରେ ରାଜସ୍ଥାନ ୪ଟି ୱିକେଟ ହରାଇଥିଲା। ଶେଷ ୫ ଓଭରରୁ ୫୧ ରନ୍ ଆବଶ୍ୟକ ଥିଲା। ଦେବଦତ୍ତ ପାଡିକଲ ୨୧ ବଲ୍ରୁ ୪ଟି ଚୌକା ସହ ୨୬ ରନ୍ କରିଥିଲେ।
ଟସ୍ ଜିତି ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ ନେଇଥିଲା। ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସର ଅଧିନାୟକ କେ.ଏଲ୍ ରାହୁଲ ଓ ୱେଷ୍ଟଇଣ୍ଡିଜ୍ର ଓପ୍ନର କାଏଲ୍ ମେୟର୍ସ ଆରମ୍ଭରୁ ଭଲ ବ୍ୟାଟିଂ କରିିଥିଲେ। ତେଣୁ ପ୍ରଥମ ୯ ଓଭରରେ ଲକ୍ଷ୍ନୌ ବିନା ୱିକେଟରେ ୭୪ ରନ୍ କରିଥିବା ବେଳେ ପରବର୍ତ୍ତୀ ୯ ଓଭରରୁ ଏହା ମାତ୍ର ୫୫ ରନ୍ କରି ପାରିଥିଲା। ଶେଷ ୨ ଓଭରରୁ ଲକ୍ଷ୍ନୌ ୨୫ ରନ୍ କରି ପାରିଥିଲା। ରାହୁଲ ଓ କାଏଲ୍ ମେୟର୍ସ ୧୦.୪ ଓଭର କ୍ରିଜ୍ରେ ରହି ୮୨ ରନ୍ ଯୋଡ଼ିଥିଲେ। ପରେ ୨୨ ରନ୍ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ୪ଟି ୱିକେଟ ହରାଇବାରୁ ଏହାର ରନ୍ଗତି ଧିମା ହୋଇ ଯାଇଥିଲା। ରାହୁଲ ୩୨ ବଲ୍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ସହ ମାତ୍ର ୩୯ ରନ୍ କରିଥିଲେ। ପରେ ଆୟୁଷ ବଦୋନି ୧ ଓ ଦୀପକ ହୁଡା ୨ ରନ୍କରି ଆଉଟ୍ ହୋଇଥିଲେ। ୧୪ଶ ଓଭର ପର୍ଯ୍ୟନ୍ତ କ୍ରିଜ୍ରେ ରହିଥିବା କାଏଲ୍ ମେୟର୍ସ ବହୁତ ଡଟ୍ ବଲ୍ ଖେଳିଥିଲେ। ମେୟର୍ସ ୪୨ ବଲ୍ରୁ ୩ଟି ଛକା ଓ ୪ଟି ଚୌକା ସହ ୫୧ ରନ୍ କରିଥିଲେ। ୧୦୪ ରନ୍ରେ ୪ଟି ୱିକେଟ ପଡ଼ିବା ପରେ ଦୁଇ ବିଦେଶୀ ଖେଳାଳି ମାର୍କସ ଷ୍ଟଇନିସ୍ ଓ ନିକୋଲାସ୍ ପୁରନ୍ ୫ମ ୱିକେଟ ପାଇଁ ୪୫ ରନ୍ ଯୋଗ କରିଥିଲେ। ଅଷ୍ଟ୍ରେଲୀୟ ଷ୍ଟଇନିସ୍ ୧୬ ବଲ୍ରୁ ୨ଟି ଚୌକା ସହ ୨୧ ରନ୍ କରିିଥିଲେ। ୱେଷ୍ଟଇଣ୍ଡିଜ୍ର ବାମହାତି ପୁରନ୍ ୨୦ ବଲ୍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୯ ରନ୍ କରିଥିଲେ। କ୍ରୁନାଲ ପାଣ୍ଡ୍ୟା ୪ ରନ୍କରି ଅପରାଜିତ ଥିଲେ। ରବିଚନ୍ଦ୍ରନ ଅଶ୍ବିନ ମାତ୍ର ୨୫ ରନ୍ଦେଇ ୨ଟି ୱିକେଟ ନେଇଥିବା ବେଳେ ସବୁଠାରୁ ଭଲ ବୋଲିଂ କରିଥିବା ଟ୍ରେଣ୍ଟ ବୋଲ୍ଟ ୪ ଓଭରରୁ ମାତ୍ର ୧୬ ରନ୍ଦେଇ ଗୋଟିଏ ୱିକେଟ ନେଇଥିଲେ। ଆଭେସ୍ ଖାଁ ୩ଟି ଓ ଷ୍ଟଇନିସ୍ ୨ଟି ୱିକେଟ ନେଇଥିଲେ।
Comments are closed.