ଲୋକପାଳ ଅନୁସନ୍ଧାନ କମିଟି ଗଠନରେ ବିଳମ୍ବ ନେଇ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ

0

ନୂଆଦିଲ୍ଲୀ : ଲୋକପାଳ ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ର ସରକାର ବାରମ୍ବାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ପୁନଃ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଲୋକପାଳ ନିଯୁକ୍ତି ନିମନ୍ତେ ଅନୁସନ୍ଧାନ କମିଟି ସଦସ୍ୟ ମନୋନୟନ ସମ୍ବନ୍ଧରେ ଆସନ୍ତା ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ବିଚାରପତି ରଞ୍ଜନ ଗୋଗୋଇ, ଆର୍‍. ଭାନୁମତି ଏବଂ ନବିନ ସିହ୍ନାଙ୍କ ପୀଠ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। କେନ୍ଦ୍ରର କାର୍ଯ୍ୟଧାରାରେ ଅସନ୍ତୋଷ ବ୍ୟକ୍ତ କରି ଆବେଦନକାରୀ ଅଣ-ସରକାରୀ ସଂସ୍ଥା ‘କମନକଜ୍‍’ ପକ୍ଷରୁ ଏହି କମିଟି ଗଠନରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡାଯାଇଛି। ସାମ୍ବିଧାନିକ ଧାରା ୧୪୨ ଅନୁଯାୟୀ ନିଜ କ୍ଷମତାର ଉପଯୋଗ ପୂର୍ବକ ସର୍ବୋଚ୍ଚ ଅଦାଲତ ନିଜେ ଲୋକପାଳ ନିଯୁକ୍ତି କମିଟି ଗଠନ କରନ୍ତୁ ବୋଲି ସଂସ୍ଥାର ଓକିଲ ପ୍ରଶାନ୍ତ ଭୂଷଣ ନିବେଦନ କରିଛନ୍ତି। ମଙ୍ଗଳବାର ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପାଳ କେନ୍ଦ୍ର ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରିଥିଲେ। ଇତିମଧ୍ୟରେ ମନୋନୟନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲେ ମଧ୍ୟ ଅନୁସନ୍ଧାନ କମିଟିରେ କାହାକୁ ନିଯୁକ୍ତ କରାଯିବ ତାହା ଏଯାବତ୍‍ ଚୂଡାନ୍ତ ହୋଇ ପାରି ନାହିଁ। ଏଭଳି ନିଯୁକ୍ତି ନିମନ୍ତେ ଉଦ୍ଦିଷ୍ଟ ଆଇନକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ କମିଟିର ଆଉ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ଉକ୍ତ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। କିନ୍ତୁ ଏହି ବୈଠକ କେବେ ଅନୁଷ୍ଠିତ ହେବ ତାହା କେନ୍ଦ୍ର ସରକାର ସୂଚନା ଦେଇ ନ ଥିବା ପ୍ରଶାନ୍ତ ଭୂଷଣ ଯୁକ୍ତି ବାଢିଥିଲେ। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦେଶ ସତ୍ତ୍ବେ କେନ୍ଦ୍ର ଲୋକପାଳ ନିଯୁକ୍ତି ଦେଇ ନ ଥିବା ଦର୍ଶାଇ ୨୦୧୭ ଏପ୍ରିଲ ୨୭ରେ ‘କମନକଜ୍‍’ ପକ୍ଷରୁ ହୋଇଥିବା ଆବେଦନ ଉପରେ ଏହି ଶୁଣାଣି ଜାରି ରହିଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ମନୋନୟନ କମିଟି ବୈଠକ ଡକାଯାଇ ଅନୁସନ୍ଧାନ କମିଟି ସଦସ୍ୟ ନିଯୁକ୍ତି ଉପରେ ନିଷ୍ପତ୍ତି ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବରୁ ସୁପ୍ରିମକୋର୍ଟରେ କୁହାଯାଇଥିଲା। ଏହି ଅନୁସନ୍ଧାନ କମିଟି ଏକ ଚୂଡାନ୍ତ ତାଲିକା ପ୍ରସ୍ତୁତ କରିବ ଯାହାକୁ ଭିତ୍ତି କରି ଲୋକପାଳ ନିଯୁକ୍ତି ସମ୍ବନ୍ଧରେ ମନୋନୟନ କମିଟି ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ଦର୍ଶାଯାଇଥିଲା।

Leave A Reply