ଡେସ୍କ: ଚେନ୍ନାଇର ଆନ୍ନା ବିଶ୍ୱବିଦ୍ୟାଳୟରେ ହୋଇଥିବା ଯୌନ ନିର୍ଯାତନା ଘଟଣାର ତଦନ୍ତ ପାଇଁ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା ବିଜୟା ରାହତକର ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛନ୍ତି। ଆୟୋଗ ଏକ ବିବୃତିରେ କହିଛନ୍ତି ଯେ ଦୁଇ ଜଣିଆ କମିଟି ଘଟଣାର କାରଣ ଅନୁଧ୍ୟାନ କରିବ ଏବଂ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପର ଆକଳନ କରିବ। ଏଥିରେ ସମ୍ପୃକ୍ତ ଅଧିକାରୀ, ପୀଡ଼ିତା, ତାଙ୍କ ପରିବାର, ବନ୍ଧୁ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ଆଲୋଚନା କରି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ପଦକ୍ଷେପ ନେବାକୁ ପ୍ରସ୍ତାବ ଦିଆଯିବ। ଏହି କମିଟିରେ ଜାତୀୟ ମହିଳା ଆୟୋଗର ସଦସ୍ୟା ମମତା କୁମାରୀ ଏବଂ ମହାରାଷ୍ଟ୍ରର ପୂର୍ବତନ ଡିଜିପି ପ୍ରବୀଣ ଦୀକ୍ଷିତ ଅଛନ୍ତି, ଯିଏକି ଜାତୀୟ ମାନବାଧିକାର ଆୟୋଗର ମହାରାଷ୍ଟ୍ର ଏବଂ ଗୋଆ ଜୋନର ସ୍ୱତନ୍ତ୍ର ପ୍ରତିନିଧି ମଧ୍ୟ ଅଟନ୍ତି।
ଦୁଇ ଦିନ ତଳେ ଏନସିଡବ୍ଲୁ ଏହି ମାମଲାରେ ନିଜ ଆଡୁ ପଦକ୍ଷେପ ଗ୍ରହଣ କରିଥିଲା ଏବଂ ଶ୍ରୀମତୀ ରାହତକର ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ସେବା ଏବଂ ସୁରକ୍ଷା ସୁନିଶ୍ଚିତ କରିବାକୁ ତାମିଲନାଡୁ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୀଡ଼ିତାଙ୍କ ପରିଚୟ ସାର୍ବଜନୀନ ଭାବେ ପ୍ରକାଶ କରିବା, ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଏବଂ ଭାରତୀୟ ନ୍ୟାୟ ସଂହିତାର ଧାରା ୭୨କୁ ଉଲ୍ଲଂଘନ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।



