ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର ଦେଉଥିବା ମନରେଗା ଯୋଜନାର ନାମ ପରିବର୍ତ୍ତନ ହୋଇପାରେ । ମିଳିଥିବା ସୂଚନା ଅନୁସାରେ ସରକାର ମନରେଗା(MGNREGS)ର ନାମ ପରିବର୍ତ୍ତନ କରି ‘ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା’ କରି ପାରନ୍ତି ସରକାର ।
ସୂଚନା ଅନୁସାରେ , ସଂଶୋଧିତ ଆଇନ ସମ୍ପର୍କରେ କୌଣସି ସରକାରୀ ଘୋଷଣା ହୋଇନାହିଁ । ସଂଶୋଧିତ ନିୟମ ଅନୁଯାୟୀ, ନିଯୁକ୍ତିକୁ ୧୦୦ ଦିନରୁ ୧୨୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ରାଜ୍ୟଗୁଡ଼ିକରେ ପାଣ୍ଠିର ଉତ୍ତମ ବ୍ୟବହାର ପାଇଁ ନିଯମରେ ପରିବର୍ତ୍ତନ ଆଣିବାର ସମ୍ଭାବନା ରହିଛି । ସୂଚନା ଅନୁସାରେ କେନ୍ଦ୍ର ସରକାର, ଡିସେମ୍ବର୧୨ ରେ ମନରେଗାର ନାମ ପରିବର୍ତ୍ତନକୁ ଅନୁମୋଦନ କରିଛନ୍ତି । ଭାରତର ପ୍ରମୁଖ ଗ୍ରାମୀଣ ନିଯୁକ୍ତି ଯୋଜନାକୁ “ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା” ଭାବରେ ନାମିତ କରିଛନ୍ତି । ସରକାର ଯୋଜନା ଅଧୀନରେ ସର୍ବନିମ୍ନ ଗ୍ୟାରେଣ୍ଟି ନିଯୁକ୍ତି ଦିବସ ସଂଖ୍ୟା ମଧ୍ୟ ୧୨୫ଦିନକୁ ବୃଦ୍ଧି କରିଛନ୍ତି । ଏହା ବ୍ୟତୀତ ସର୍ବନିମ୍ନ ମଜୁରୀ ପ୍ରତିଦିନ ୨୪୦ଟଙ୍କାକୁ ସଂଶୋଧିତ କରାଯାଇଛି ।
ଏହି ଯୋଜନା ମୂଳତଃ “ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି”(NREGA) ନାମରେ ୨୦୦୫ରେ ଆରମ୍ଭ କରାଯାଇଥିଲା । ପରେ ଏହାକୁ “ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି” ଯୋଜନା ବ ମନରେଗା (MGNREGA) ନାମରେ ନାମିତ କରାଯାଇଥିଲା । ଏହାର ପ୍ରାଥମିକ ଲକ୍ଷ୍ୟ ହେଉଛି ଗ୍ରାମୀଣ ଭାରତରେ ଅଣକୁଶଳୀ ନାଗରିକଙ୍କ ପାଇଁ ଜୀବିକା ସୁରକ୍ଷା ବୃଦ୍ଧି କରିବା । ଏହାର ନିୟମ ଅନୁଯାୟୀ, ପ୍ରତ୍ୟେକ ପରିବାରର କାମ କରିବାକୁ ଇଚ୍ଛୁକ ବୟସ୍କମାନଙ୍କୁ ଅତି କମରେ ୧୦୦ଦିନର ମଜୁରୀ ନିଯୁକ୍ତି ପ୍ରଦାନ କରିବା ।



