ଭୁବନେଶ୍ବର : ବିଧାନସଭାରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଓ ମହିଳାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ପାଇଁ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି। ଏହାସହ ମାଲକାନଗିରିର ସ୍ଥିତିକୁ ନିୟନ୍ତ୍ରଣ କରିବା ନିମନ୍ତେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛି ଦଳ। ଏନେଇ ବିଜେଡିର ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।
ବିଜେଡି ପକ୍ଷରୁ ଦର୍ଶାଯାଇଛି, ବିଧାନସଭାର ପବିତ୍ର ଗୃହରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରୀ ଖଟୁଆଙ୍କ ଅଶୋଭନୀୟ ମନ୍ତବ୍ୟ ଦେଶବାସୀଙ୍କୁ ଆଘାତ ଦେଇଛି। ପୂର୍ବରୁ ଶ୍ରୀ ଖଟୁଆ ଗଣମାଧ୍ୟମରେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ଚରିତ୍ର ସଂହାର କରିଥିଲେ। ରାଜ୍ୟ ମହିଳା ଆୟୋଗ, ପୁଲିସ ମହାନିର୍ଦେଶକ, ଜାତୀୟ ମହିଳା ଆୟୋଗ ଏବଂ ରାଷ୍ଟ୍ରପତିଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଶ୍ରୀ ଖଟୁଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଓଡ଼ିଶା ବିଧାନସଭା ଏଥିକ୍ସ କମିଟି ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ଉତ୍ତର ମିଳିପାରି ନାହିଁ। ତୁରନ୍ତ ଶ୍ରୀ ଖଟୁଆଙ୍କୁ ବିଧାନସଭାରୁ ବହିଷ୍କାର କରିବା ପାଇଁ ରାଜ୍ୟପାଳ ପଦକ୍ଷେପ ଗ୍ରହଣ କରନ୍ତୁ। ସେହିପରି ମାଲକାନଗିରି ଘଟଣାରେ ରାଜ୍ୟପାଳ ହସ୍ତକ୍ଷେପ କରି ରାଜ୍ୟବାସୀଙ୍କୁ ଆଶ୍ବସ୍ତ ପ୍ରଦାନ କରନ୍ତୁ ବୋଲି ବିଜେଡି ପକ୍ଷରୁ ଦାବି ହୋଇଛି। ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁଙ୍କ ନେତୃତ୍ବରେ ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ, ଶର୍ମିଷ୍ଠା ସେଠୀ, ବରିଷ୍ଠ ସାଧାରଣ ସମ୍ପାଦିକା ଡ. ସାମନ୍ତସିଂହାର, ମୁଖପାତ୍ର ଡ. ଲେନିନ୍ ମହାନ୍ତି, ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ ପ୍ରମୁଖ ଲୋକଭବନରେ ରାଜ୍ୟପାଳଙ୍କ ସହ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଥିଲେ।
ସନ୍ତୋଷଙ୍କ ବିରୋଧରେ ବିଜେଡ଼ିର କାର୍ଯ୍ୟାନୁଷ୍ଠାନ ଦାବି
Popular Categories



