ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ ଆମେରିକୀୟ ଡଲାର ତୁଳନାରେ ମୁଦ୍ରାର ମୂଲ୍ୟହ୍ରାସ ଅବାଧରେ ଗତିଶୀଳ ହୋଇଚାଲିଛି। ଆନ୍ତର୍ଜାତିକ ବାଣିଜ୍ୟ ଓ ବିଦେଶରୁ କଞ୍ଚାମାଲ ଆମଦାନୀ ପାଇଁ ଡଲାରର ପ୍ରଭାବ ଓ ଚାହିଦା ମଜଭୁତ ରହିଛି ଏବଂ ଆଗକୁ ରହିବାରେ କୌଣସି ପ୍ରତିବନ୍ଧକ ନାହିଁ। ବିଗତ ଦଶନ୍ଧି ପୂର୍ବ ବର୍ଷରେ ଗୋଟିଏ ଡଲାର କ୍ରୟ ପାଇଁ ଭାରତକୁ ଷାଠିଏ/ତେଷଠି ଟଙ୍କା ଦେବାକୁ ପଡ଼ୁଥିଲା; ମାତ୍ର ଏବେ ତାହା ନବେ ଟଙ୍କାକୁ ଟପିଗଲାଣି। ପ୍ରଚଳିତ ଅର୍ଥନୈତିକ ଧାରା ଅବ୍ୟାହତ ରହିଲେ ଆଉ କେଇଟା ଦିନରେ ଶହେ ଟଙ୍କାକୁ ଟପିଯିବାର ଆଶଙ୍କା ଉପୁଜିଛି। ସାମଗ୍ରିକ ଭାବେ ଦେଖିବାକୁ ଗଲେ ବିଗତ ବର୍ଷ କେଇଟାରେ ଭାରତୀୟ ମୁଦ୍ରାର ନିମ୍ନଗତି ପଚାଶ ପ୍ରତିଶତ ବଢ଼ିଯାଇଛି। ଅବମୂଲ୍ୟାୟନର ଅବାଧଗତି ବନ୍ଦ ହେବାକୁ ନାଁ ଧରୁନାହିଁ। ଏହି ଆର୍ଥିକ ନକାରାତ୍ମକ ସ୍ଥିତିର କାରଣ ବହୁବିଧ ହୋଇଥିଲେ ସୁଦ୍ଧା ବୈଦେଶିକ ବିନିମୟ ମୁଦ୍ରା ଭଣ୍ଡାରର ଦୁର୍ବଳତା ମୁଖ୍ୟ କାରଣ ହୋଇପାରେ। ଦେଶ ସ୍ବାଧୀନତା ହାସଲ କରିବାର ପରବର୍ତ୍ତୀ କାଳରେ ଆମେରିକୀୟ ଡଲାର ଓ ଭାରତୀୟ ମୁଦ୍ରାର ବିନିମୟ ଅନୁପାତ ସମ ସ୍ତରରେ ଥିଲା। ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରିବାର ସ୍ବଳ୍ପ ସମୟ ମଧ୍ୟରେ ଏହା ସର୍ବାଧିକ ସ୍ତରକୁ ପହଞ୍ଚିଯାଇ ପ୍ରଥମଥର ପାଇଁ ମୁଦ୍ରାର ଦୁର୍ବଳତା ଶୀର୍ଷରେ ପହଞ୍ଚିଛି।
ମୁଦ୍ରାର ମୂଲ୍ୟହ୍ରାସ ଯେ ଏକ ନୂଆ ପ୍ରସଙ୍ଗ ତାହା ନୁହେଁ। ସ୍ବାଧୀନତା ପରବର୍ତ୍ତୀ କାଳରେ ଗୋଟିଏ ଡଲାର ପାଇଁ ଭାରତକୁ ଗୋଟିଏ ଟଙ୍କା ଦେବାକୁ ପଡ଼ୁଥିଲା। କାରଣ ସେତେବେଳେ ଦେଶର ଅର୍ଥନୈତିକ ସ୍ଥିତି ସେତେ ମଜଭୁତ ନଥିଲେ ସୁଦ୍ଧା ଆନ୍ତର୍ଜାତିକ ବାଣିଜ୍ୟ ଅଧିକ ଗତିଶୀଳ ନଥିଲା ଓ ମୁଦ୍ରାର ସବଳତା ସୁଦୃଢ଼ ଥିଲା। ୧୯୮୫-୯୦ରେ ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ଡଲାରର ମୂଲ୍ୟ ପ୍ରାୟ ତେଇଶ ଟଙ୍କା, ପରବର୍ତ୍ତୀ ପାଞ୍ଚବର୍ଷରେ ନରସିଂହ ରାଓଙ୍କ ଶାସନରେ ତେୟାଳିଶ ଟଙ୍କା, ବାଜପେୟୀଙ୍କ ନେତୃତ୍ବ ସରକାର ଅମଳରେ ଆଉ ଟଙ୍କାଏ ବଢ଼ି ଚଉରାଳିଶ ଓ ଡକ୍ଟର ମନମୋହନ ସିଂହ ଦାୟିତ୍ବ ଛାଡ଼ିବା ବେଳକୁ ତେଷଠି ଟଙ୍କାରେ ପହଞ୍ଚିଥିଲା। ବିଶ୍ବ ବାଣିଜ୍ୟ କ୍ଷେତ୍ରରେ ଅଗ୍ରଗତି ଓ ଭିତ୍ତିଭୂମି ବିକାଶ ପ୍ରକ୍ରିୟା ଦେଶ ପାଇଁ ଜରୁରୀ ହୋଇଥିବାରୁ ଦେଶର ଆନ୍ତର୍ଜାତିକ ବାଣିଜ୍ୟରେ ସମୃଦ୍ଧି ଘଟିବା ସହିତ ମୁଦ୍ରାର ମୂଲ୍ୟହ୍ରାସ ମଧ୍ୟ ସମତାଳରେ ଗତି କରୁଥିଲା; ମାତ୍ର ବିଗତ ଏଗାର ବର୍ଷରେ ଏହା ଅବାଧ ଗତିରେ ବୃଦ୍ଧି ପାଇବାରୁ ଦେଶର ଅର୍ଥନୀତି ଏକ ପ୍ରକାର ମାନ୍ଦାବସ୍ଥା ଆଡ଼କୁ ମୁହାଁଇବାର ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ନକାରାତ୍ମକ ସ୍ଥିିତିରୁ ଅର୍ଥନୀତିକୁ ରକ୍ଷା କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଚୁପ୍ ହୋଇ ବସିନାହିଁ। ଡଲାର ଓ ଟଙ୍କାର ବିନିମୟ ମୂଲ୍ୟରେ ସ୍ଥିରତା ଆଣିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଇତି ମଧ୍ୟରେ ପ୍ରାୟ ଚାଳିଶ ବିଲିଅନ ଡଲାର କ୍ରୟ କରି ଦେଶର ବୈଦେଶିକ ବିନିମୟ ମୁଦ୍ରା ଭଣ୍ଡାରର ଶକ୍ତି ବଢ଼ାଇଛି। ହେଲେ ସେୟାର ବଜାରରୁ ବିଦେଶୀ ପୁଞ୍ଜି ନିବେଶକଙ୍କ ପୁଞ୍ଜି ପ୍ରତ୍ୟାହାର ମାତ୍ରା ଏତେ ବଢ଼ିଯାଇଛି ଯେ ପରିସ୍ଥିତି ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯିବା ଭଳି ମନେହେଉଛି। ଚଳିତ ବର୍ଷର ସ୍ବଳ୍ପ ଅବଧିରେ ବିଦେଶୀ ପୁଞ୍ଜି ପ୍ରତ୍ୟାହାର ପରିମାଣ ଏକ କୋଟି ପଞ୍ଚଷଠି ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ବିଦେଶୀ ପୁଞ୍ଜି ନିବେଶକଙ୍କଠାରୁ ଭାରତୀୟ ନିବେଶକ ପ୍ରତିଭୂତି କିଣୁଥିବାରୁ ଟଙ୍କାର ବିନିମୟ ମୂଲ୍ୟ ଦୁର୍ବଳ ହୋଇଯାଉଛି। ଅନ୍ୟପକ୍ଷରେ ପ୍ରତ୍ୟାହୃତ ବିଦେଶୀ ମୁଦ୍ରା ପଡ଼ୋଶୀ ରାଷ୍ଟ୍ର ଚୀନ୍ ଓ ଅନ୍ୟାନ୍ୟ ସମୃଦ୍ଧ ରାଷ୍ଟ୍ରରେ ନିବେଶ ହେଉଥିବାରୁ ସେ ଦେଶର ବିନିମୟ ମୁଦ୍ରା ଆଗରେ ଭାରତୀୟ ମୁଦ୍ରା ଦୁର୍ବଳ ହେବା ମଧ୍ୟ ସ୍ବାଭାବିକ। ଏହାର ବଳିଷ୍ଠ ନିଦର୍ଶନ ହେଲା ଭାରତୀୟ ପ୍ରତିଭୂତି ବଜାରରେ କେବଳ ସ୍ବଦେଶୀ ଜୀବନ ବୀମାର ପୁଞ୍ଜି ବିନିଯୋଗ ପରିମାଣ କୋଡ଼ିଏ ଶତାଂଶ।
ଆନ୍ତର୍ଜାତିକ ସ୍ତରରେ ଭାରତୀୟ ଟଙ୍କାର ମୂଲ୍ୟହ୍ରାସର କାରଣ ଯଦି ଆମେ ଖୋଜି ବସିବା, ପ୍ରଥମେ ନଜରକୁ ଆସିବ ଅଶୋଧିତ ତୈଳ ଆମଦାନୀ ଉପରେ। ରୁଷିଆ ସମେତ ଆନ୍ତର୍ଜାତିକ ବଜାରରୁ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ୍ ଆମଦାନୀ ଆଶାତୀତ ବୃଦ୍ଧି ପାଇଛି। କେତେକ କ୍ଷେତ୍ରରେ ଭାରତୀୟ କମ୍ପାନୀ ମାତ୍ରାଧିକ ତୈଳ ଶସ୍ତାରେ କିଣି ବିଶୋଧନ ପରେ ବିଭିନ୍ନ ଦେଶରେ ଚଢ଼ା ଦରରେ ବିକ୍ରି କରୁଛନ୍ତି। ତୈଳ ବ୍ୟାବସାୟିକ ଫାଇଦା ସେମାନଙ୍କ ଖାତାକୁ ଯାଉଛି ଓ ଦେଶର ବୈଦେଶିକ ବିନିମୟ ମୁଦ୍ରା ପରିମାଣ କମିବା ବନ୍ଦ ହେଉନାହିଁ। ଏଣେ ଦେଶରେ ଉପଲବ୍ଧ ପେେଟ୍ରାଲ, ଡିଜେଲ ଓ ଗ୍ୟାସ୍ ଦର ମଧ୍ୟ ନିମ୍ନମୁଖୀ ହେବାର ପ୍ରଶ୍ନନାହଁି। ଆର୍ଥିକ ତଣ୍ଡ ଭୋଗିବାକୁ ପଡ଼ୁଛି ଦେଶବାସୀଙ୍କୁ। କେନ୍ଦ୍ରୀୟ ବ୍ୟାଙ୍କରୁ ବିଦେଶୀ ପୁଞ୍ଜି ପ୍ରତ୍ୟାହାର ଚାହିଦା ବଢ଼ୁଥିବାରୁ ଭାରତୀୟ ମୁଦ୍ରା ଦୁର୍ବଳ ହେବାରେ କିଛି ନୂତନତ୍ବ ନାହିଁ। ବେଳେବେଳେ ତୈଳ ଆମଦାନୀ ମୂଲ୍ୟ ଏତେ ଊର୍ଦ୍ଧ୍ବମୁଖୀ ହୋଇଯାଉଛି ଯେ ରପ୍ତାନି ବାଣିଜ୍ୟ କ୍ଷେତ୍ରରୁ ଆୟ ବୈଦେଶିକ ମୁଦ୍ରା ସ୍ଥିତିକୁ ଭରଣା କରିବାରେ ବିଫଳ ହେଉଛି। ଏହି ସ୍ଥିତିର ପ୍ରଭାବ ପଡ଼ୁଛି ଆନ୍ତର୍ଜାତିକ ବାଣିଜ୍ୟ ଉପରେ। ଆମଦାନୀ ଓ ରପ୍ତାନି ମଧ୍ୟରେ ସୃଷ୍ଟ ବଡ଼ ପାର୍ଥକ୍ୟ ଓ ଭାରସାମ୍ୟହୀନତା ଅର୍ଥନୀତି ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରୁଛି। ବିଗତ ପାଞ୍ଚବର୍ଷ ମଧ୍ୟରେ ଦେଶରେ ଦୁଇ ଲକ୍ଷରୁ ଊର୍ଦ୍ଧ୍ବ ଛୋଟବଡ଼ କମ୍ପାନୀ ପ୍ରତିକୂଳ ଅର୍ଥନୈତିକ ବ୍ୟବସ୍ଥାର ସମ୍ମୁଖୀନ ହୋଇନପାରି ବ୍ୟାବସାୟିକ କାରବାର ବନ୍ଦକରି ଦେଇଛନ୍ତି। ଏ କଥା ଆମେ କହୁନାହୁଁ। ଦେଶର କମ୍ପାନୀ ବିଭାଗ ମନ୍ତ୍ରୀ ସଂସଦରେ ଏହାକୁ ସ୍ବୀକାର କରିଛନ୍ତି। ଏହା ଫଳରେ ଦେଶର ଶିଳ୍ପ ଉତ୍ପାଦନ ଓ ରପ୍ତାନି ବାଣିଜ୍ୟ ନିମ୍ନଗାମୀ ହେବାର କାରଣ ସ୍ପଷ୍ଟ ହୋଇଯାଇଛି। କେବଳ ସେତିକି ନୁହେଁ; ରୋଜଗାର ସୁଯୋଗ ସୃଷ୍ଟି ପରିବର୍ତ୍ତେ ଚାଳିଶ କୋଟି ଲୋକ କର୍ମ ସଂସ୍ଥାନ ହରାଇ ବେକାର ବସିଛନ୍ତି। ଚାକିରି ଫେରି ପାଇବା ଆଶା ମଧ୍ୟ ମଉଳି ଗଲାଣି। ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ ଯୋଜନା ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ବିଫଳ ହୋଇଛି। ଏହାର ବହୁମୁଖୀ ପ୍ରଭାବ ପଡ଼ିଛି ସାଧାରଣ ଲୋକଙ୍କ ଉପରେ। ଖାଦ୍ୟାଭାବ ଓ ଭୋକିଲା ଲୋକ ତାଲିକାରେ ଭାରତର ସ୍ଥାନ ଅଧିକ ସମ୍ବେଦନଶୀଳ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ଆଇନ ମାଧ୍ୟମରେ ଦେଶର ଅଶୀକୋଟି ଭୋକିଲା ପେଟକୁ ମାସିକ ପାଞ୍ଚକିଲୋ ଖାଦ୍ୟ ସାମଗ୍ରୀ ଯୋଗାଇଲେ ସୁଦ୍ଧା ପରିସ୍ଥିତିର ଉନ୍ନତି ଘଟିବାର ନାଁ ଗନ୍ଧ ନାହିଁ।
ଅର୍ଥନୀତି ପାଇଁ ଆଉ ଏକ ସମ୍ବେଦନଶୀଳ ସ୍ଥିତି ହେଲା ବିଶ୍ବବ୍ୟାଙ୍କ ଋଣ ତାଲିକାରେ ଦେଶର ସ୍ଥାନ ସର୍ବୋଚ୍ଚରେ। ବିଗତ ଏଗାର ବର୍ଷ ତଳ ସ୍ଥିତିଠାରୁ ଏବର ପରିସ୍ଥିତି ତିନି ଗୁଣରେ ପହଞ୍ଚିଛି। ପ୍ରତି ଭାରତୀୟଙ୍କ ମୁଣ୍ଡପିଛା ଋଣଭାର ପାଞ୍ଚଲକ୍ଷ ଟଙ୍କାରେ ପହଞ୍ଚିଲାଣି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ପ୍ରମାଣପତ୍ର ମଧ୍ୟ ଦେଶର ଅର୍ଥନୀତି ପାଇଁ ଅନୁକୂଳ ନୁହେଁ। ଏ କ୍ଷେତ୍ରରେ ଭାରତ ଏବେ ମୁଦ୍ରାପାଣ୍ଠି ଠାରୁ ‘ସି-ଗ୍ରେଡ’ ପାଇଛି। ଦେଶର ପ୍ରଚଳିତ ଅର୍ଥନୈତିକ ସ୍ଥିତି ବିଦେଶୀ ପୁଞ୍ଜି ନିବେଶକାରୀଙ୍କ ମନରେ ନକାରାତ୍ମକ ଭାବନା ସୃଷ୍ଟି କରୁଛି ଓ କରିବା ମଧ୍ୟ ସ୍ବାଭାବିକ। ଭାରତୀୟ କମ୍ପାନୀମାନଙ୍କରେ ବିନିଯୁକ୍ତ ବିଦେଶୀ ପୁଞ୍ଜିର ଲାଭ ତ ଦୂର କଥା ମୂଳପୁଞ୍ଜି ଫେରି ପାଇବାରେ ଆଶଙ୍କା ସୃଷ୍ଟି ହେଲେ ନିବେଶ ପ୍ରତ୍ୟାହାର ଅଧିକ ଗତିଶୀଳ ହେବ ଏବଂ ମୁଦ୍ରର ସ୍ବାସ୍ଥ୍ୟ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିବ।
ଦେଶରେ ସୁନା ଦର ଲଗାତାର ବଢ଼ିବାରେ ଲାଗିଛି। ଏହା ସତ୍ତ୍ବେ ଭାରତ ଓ ଚୀନ ସୁନା ଆମଦାନୀ କରିବାରେ ପଛକୁ ଫେରୁନାହାନ୍ତି। ମୁଦ୍ରା ଅବମୂଲ୍ୟାୟନ ସହ ଏହାର ପ୍ରେତ୍ୟକ୍ଷ ସମ୍ପର୍କ ଥିଲେ ସୁଦ୍ଧା ଭାରତ ସୁନା କିଣିବାକୁ ବାଧ୍ୟ ହେଉଛି। ଏହାର କାରଣ ହେଲା କେନ୍ଦ୍ରୀୟ ବ୍ୟାଙ୍କ ପୂର୍ବରୁ ଜାରି କରିଥିବା ସ୍ବର୍ଣ୍ଣ ବଣ୍ଡର୍ ଅବଧି ଏବେ ଶେଷ ହେବାକୁ ବସିଛି। ବଣ୍ଡ୍ଧାରୀଙ୍କୁ ଦୁଇ ଗୁଣ ସୁନା ଫେରାଇବାକୁ ବ୍ୟବସ୍ଥା ଥିବାରୁ ଅଧିକ ଦରରେ ସୁନା କିଣିବାକୁ ବାଧ୍ୟ ହେଉଛି ଭାରତ। ଯେତେ ଅଧିକ ପରିମାଣ ସୁନା ଆମଦାନୀ ହେବ ବୈଦେଶିକ ବିନିମୟ ମୁଦ୍ରା ଭଣ୍ଡାର ସମାନୁପାତିକ ଖାଲି ହେବାରେ ସମୟ ଲାଗିବ ନାହିଁ। କାରଣ ଆନ୍ତର୍ଜାତିକ ବଜାରରେ ବାଣିଜ୍ୟିକ ଦେୟ ପୈଠ ହେଉଛି ଡଲାର ମାଧ୍ୟମରେ। ଦେଶର ବାଣିଜ୍ୟିକ ନିଅଣ୍ଟ ୪୧ ବିଲିୟନ ଡଲାର ଥିବାବେଳେ ଏବେ ତାହା ବହୁଗୁଣିତ ହେବାକୁ ସମୟ ଲାଗିଲା ନାହିଁ। ଭାରତୀୟ ଟଙ୍କା ଯେତେ ଦୁର୍ବଳ ହୋଇଚାଲିବ ଆମଦାନୀ ପାଇଁ ସମାନୁପାତିକ ବୈଦେଶିକ ବିନିମୟ ମୁଦ୍ରାର ଚାହିଦା ବଢ଼ିବ। ଏହି ମୁଦ୍ରା ଭଣ୍ଡାର ଯେତେବେଳେ କମ୍ ହେବ ଆମଦାନୀ ହ୍ରାସ ପାଇବ ବୋଲି ଯୁକ୍ତି ବାଢ଼ିବା ଅର୍ଥନୀତିକ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଅସଂଗତ ନୁହେଁ ତ ଆଉ କ’ଣ ? ଦେଶର ଔଷଧ ଓ ଫାର୍ମା କମ୍ପାନୀ ଆମେରିକାରୁ କଞ୍ଚାମାଲ ଆମଦାନୀ କରୁଥିବାବେଳେ ସେ କ୍ଷେତ୍ରରେ ଚାହିଦା ମେଣ୍ଟାଇବା ଲାଗି ବୈଦେଶିକ ମୁଦ୍ରା ଅଗ୍ରାଧିକାର ଭିତ୍ତିରେ ପୈଠ କରାଯାଉଛି। କାରଣ ଏହା ଏକ ସମ୍ବେଦନଶୀଳ କ୍ଷେତ୍ର। ଭାରତୀୟ ଟଙ୍କାର ବିନିମୟ ଶକ୍ତି ଯେତେ ଦୁର୍ବଳ ହେବ ଫାର୍ମା ଶିଳ୍ପ ଅଧିକ ଆର୍ଥିକ ଚାପର ସମ୍ମୁଖୀନ ହେବା ସ୍ବାଭାବିକ।
ଟଙ୍କାର ମୂଲ୍ୟହ୍ରାସର କୁପ୍ରଭାବ ଦେଶରେ ଦରଦାମ ବୃଦ୍ଧିକୁ ଅଧିକ ଖୋରାକ ଯୋଗାଇବ। ବିଦେଶରୁ ଆମଦାନୀ ହେଉଥିବା ତୈଳ, ପ୍ରାକୃତିକ ଗ୍ୟାସ, ବୈଦ୍ୟୁତିକ ସାମଗ୍ରୀ ଓ ଔଷଧ ପ୍ରସ୍ତୁତି ସଂଲଗ୍ନ କଞ୍ଚାମାଲ ଦର ବୃଦ୍ଧି ଯୋଗୁଁ ସେ ସବୁର ଉତ୍ପାଦିତ ସାମଗ୍ରୀ ଦର ଅନାୟାସରେ ବଢ଼ିଯିବ। ଦରବୃଦ୍ଧିର ପ୍ରଭାବରେ ଯାତାୟାତ ଓ ପରିବହନ କ୍ଷେତ୍ର ପ୍ରଭାବିତ ହେବାରେ ପ୍ରତିବନ୍ଧକ ରହିବନାହିଁ। ଜିନିଷପତ୍ରର ମୂଲ୍ୟବୃଦ୍ଧି ଯୋଗୁଁ ସାଧାରଣ ଖାଉଟି ସୀମିତ କ୍ରୟଶକ୍ତିରେ ଅଧିକ ହନ୍ତସନ୍ତ ହେବା ସହିତ ଚାହିଦା କମାଇବାକୁ ବାଧ୍ୟ ହେବେ। ବଜାରରେ ସାମଗ୍ରୀର ଚାହିଦା ନିମ୍ନମୁଖୀ ହେଲେ ଶିଳ୍ପ ଉତ୍ପାଦନ ହ୍ରାସ ପାଇବ ଓ ନିଯୁକ୍ତି ସୁଯୋଗ ବାଧାପ୍ରାପ୍ତ ହେବା କିଛି ନୂଆକଥା ନୁହେଁ। ଅନ୍ୟ ପକ୍ଷରେ ଆମ ମୁଦ୍ରା ମୂଲ୍ୟହ୍ରାସ ଯୋଗୁଁୁ ବିଦେଶୀ ଋଣ ଓ ସେ ବାବଦ ସୁଧ ପୈଠ ବୋଝ ପରି ହୋଇଯିବ। ବିଦେଶରେ ଶିକ୍ଷାଲାଭ ଓ ଭ୍ରମଣ ବ୍ୟୟ ଊର୍ଦ୍ଧ୍ବମୁଖୀ ହେବାରେ ଲାଗିବ। ହଁ ଡଲାର ଅଧିକ ଶକ୍ତିଶାଳୀ ହେଲେ ପ୍ରବାସୀ ଭାରତୀୟ ଲାଭବାନ ହେବେ। ଡଲାର ବିନିମୟରେ ଅଧିକ ଟଙ୍କା ସେମାନଙ୍କୁ ସ୍ବଦେଶରେ ମିଳିବ ସତ, ତାହା ଦୀର୍ଘସ୍ଥାୟୀ ଅନୁକୂଳ ସ୍ଥିତି ସୃଷ୍ଟି କରିବାରେ ସଫଳ ହେବାଭଳି ମନେ ହେଉନାହିଁ। ସାମ୍ପ୍ରତିକ ଅର୍ଥନୈତିକ ପରିବେଶରେ ଭାରତ ସମ୍ମୁଖରେ ବିକଶିତ ରାଷ୍ଟ୍ର ମାନ୍ୟତା ହାସଲ ଜରୁରୀ ହୋଇଥିବାରୁ ଟଙ୍କାର ବିନିମୟ ମୂଲ୍ୟ ପୂର୍ବର ସବଳ ଅବସ୍ଥାକୁ ଫେରିବା ହିଁ ଏକମାତ୍ର ବିକଳ୍ପ। ସମୟ ହିଁ ଏହାକୁ ସାର୍ଥକ କରିପାରେ।
ଅରବିନ୍ଦ ରାଉତରାୟ, କଟକ
ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି
Popular Categories



