- ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ
- ଦିଲ୍ଲୀରେ ସମାଧାନ ହେବ: କାଡ଼ାମ
ଭୁବନେଶ୍ବର: ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ କାର୍ଯ୍ୟଶୈଳୀକୁ ନେଇ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ଚିଠି ପରେ କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ଏବେ ସରଗରମ ହୋଇଛି। ମୋକିମ ଏହି ମାମଲାରେ ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ମୋକିମଙ୍କ ଚିଠି ସମ୍ପର୍କରେ ପ୍ରତିକ୍ରିୟା ରଖି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ଏବେ କିଛି କହିବି ନାହିଁ। ଆଗକୁ ସମୟ ଆସିବ। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ଏ ବିବାଦ ନୂଆଦିଲ୍ଲୀରେ ସମାଧାନ ହେବ। ଦଳ ଉପରକୁ ଉଠୁଥିବା ବେଳେ ଦଳ ଭିତରେ ଗୋଡ଼ ଟଣାଟଣି ହେଉଛନ୍ତି। ଏହା ନିଶ୍ଚିତ ଭାବେ ଦଳକୁ କ୍ଷତି ପହଞ୍ଚାଉଛି। ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ଅନନ୍ତ ସେଠୀ କହିଛନ୍ତି, ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ପରେ ଶୀର୍ଷ ନେତୃତ୍ବ କ’ଣ ନିଷ୍ପତ୍ତି ନେଉଛନ୍ତି ତାଙ୍କର ଅପେକ୍ଷା କରିବାର ଥିଲା। ଗଣମାଧ୍ୟମକୁ ଚିଠି ଦେଇ ବାହାରେ ଚର୍ଚ୍ଚା କରିବା ଠିକ୍ ହେଲାନାହିଁ। ଏସଂକ୍ରାନ୍ତରେ ହାଇକମାଣ୍ଡ କ’ଣ ନିଷ୍ପତ୍ତି ନେଉଛନ୍ତି ତାହା ଆସନ୍ତା ୧୪ ପରେ ଜଣାପଡ଼ିବ। ଏହି ପ୍ରସଙ୍ଗରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ଏହା ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର। ସବୁ ରାଜନୈତିକ ଦଳରେ କିଛି ବ୍ୟକ୍ତିଙ୍କ କିଛି ଅସନ୍ତୋଷ ଥାଏ। କିଏ କାହାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି, ଏଥିରେ ବିଚଳିତ ହେବାର କିଛି ନାହିଁ।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ଓପିସିସି) କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ବରୂପ ଦାସ ମୋକିମଙ୍କୁ ସମାଲୋଚନା କରି କହିଛନ୍ତି, ରାଷ୍ଟ୍ରପତି ନିର୍ବାଚନରେ ଦଳର ନିଷ୍ପତ୍ତି ବାହାରକୁ ଯାଇ ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସେ ଭୋଟ ଦେଇଥିଲେ। ଏବେ ଦଳର ନିଷ୍ପତ୍ତି ଏବଂ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଉଛନ୍ତି। ପୂର୍ବତନ ପିସିସି ମୁଖପାତ୍ର ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ମୋକିମ ବାବୁ ଯାହା ଚିଠିରେ ଲେଖିଛନ୍ତି ଓଡ଼ିଶାର ଅଗଣିତ କଂଗ୍ରେସ କର୍ମୀଙ୍କ ମନର ବେଦନାକୁ ପରିପ୍ରକାଶ କରିଛନ୍ତି। ରାଜ୍ୟରେ ୨୬ବର୍ଷ ହେଲା ଦଳ କ୍ଷମତାକୁ ଆସିନାହିଁ। ଯେଉଁମାନେ ପିସିସିର ବିଭିନ୍ନ ପଦପଦବୀ ମାଡ଼ି ବସିଛନ୍ତି, ସେମାନେ ଜନତାଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ନେତା। ବର୍ତ୍ତମାନ ସ୍ଥିତିରେ ଦଳ ସହିତ ଯୁବକଙ୍କୁ ସଂଯୋଗ କରିବାର ସମୟ ଆସିଛି; କିନ୍ତୁ ଅବସରପ୍ରାପ୍ତ ବୟସରେ ପଦପଦବୀ ମାଡ଼ି ବସିଲେ ଦଳ ଉପରକୁ ଉଠିପାରିବ ନାହିଁ। କଂଗ୍ରେସ କର୍ମୀ ତାପସ ମିଶ୍ର କହିଛନ୍ତି, ଦଳୀୟ ଶୃଙ୍ଖଳା ଭିତରେ ରହି ଦଳର ଉନ୍ନତି ପାଇଁ କଂଗ୍ରେସର ସର୍ବୋଚ୍ଚ ନେତ୍ରୀ ଶ୍ରୀମତୀ ଗାନ୍ଧୀଙ୍କୁ ମୋକିମ ବାବୁ ଚିଠି ଲେଖିଛନ୍ତି। ଏହାଦ୍ବାରା କଂଗ୍ରେସ କର୍ମୀଙ୍କ ଭାବନାକୁ ସେ ସର୍ବୋଚ୍ଚ ନେତ୍ରୀଙ୍କ ପାଖରେ ପହଞ୍ଚାଇଛନ୍ତି। ଏଥିରେ ମୋକିମ ବାବୁ କିଛି ବଡ଼ ଭୁଲ୍ କରିଥିବା ଭଳି ଲାଗୁନାହିଁ।



