ଏକ ମୌଳିକ ଆବଶ୍ୟକତା
ଚଳିତ ବର୍ଷର ହାଡ଼ଭଙ୍ଗା ଶୀତ ପୁଣି ଥରେ ଓଡ଼ିଶାର ସହରାଞ୍ଚଳରେ ରହୁଥିବା ଗରିବ ଓ ବାସହୀନ ଲୋକଙ୍କ ଦୁର୍ଦଶାକୁ ପଦାରେ ପକାଇ ଦେଇଛି। ଗଣମାଧ୍ୟମରେ ପାରଦ ଖସିବାର ଖବର ଓ ତାପମାତ୍ରାର ବିବରଣୀ ପ୍ରକାଶ ପାଉଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ ରାସ୍ତାକଡ଼, ଫ୍ଲାଏଓଭର ତଳ ଏବଂ ବସ୍ଷ୍ଟାଣ୍ଡରେ ଦେଖିବାକୁ ମିଳୁଛି। ମୁଣ୍ଡ ଗୁଞ୍ଜିବାକୁ ଛାତଟିଏ ନଥିବା ଏହି ମଣିଷମାନେ ଖଣ୍ଡିଏ ପତଳା ଚାଦର ଏବଂ ନିଆଁକୁ ଭରସା କରି ରାତି କାଟୁଛନ୍ତି।
ସହରରେ ବାସହୀନଙ୍କ ପାଇଁ ‘ରାତ୍ରି ଆଶ୍ରୟସ୍ଥଳୀ’ ଏକ ମୌଳିକ ଆବଶ୍ୟକତା। ବିଗତ ଦଶନ୍ଧି ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଅନେକ ସହରରେ ରାତ୍ରି ଆଶ୍ରୟସ୍ଥଳୀ ନିର୍ମାଣ ହୋଇଛି। କାଗଜପତ୍ରରେ ଦେଖିଲେ ସହରଗୁଡ଼ିକରେ ଅନେକ ସ୍ଥାୟୀ ଓ ଅସ୍ଥାୟୀ ରାତ୍ରି ଆଶ୍ରୟସ୍ଥଳୀ ଥିବାର ଦାବି କରାଯାଏ; କିନ୍ତୁ ବାସ୍ତବରେ ଚିତ୍ର ଓଲଟା। ଆବଶ୍ୟକତା ତୁଳନାରେ ଶଯ୍ୟା ସଂଖ୍ୟା କମ୍, ରକ୍ଷଣାବେକ୍ଷଣର ଅଭାବ ଏବଂ ଏଗୁଡ଼ିକ କେଉଁଠାରେ ଅଛି ସେ ସମ୍ପର୍କରେ ନିର୍ଭୁଲ ସୂଚନା ନଥିବା ଯୋଗୁଁ ଅନେକ ଲୋକ ଏହାର ସୁବିଧା ପାଇପାରୁ ନାହାନ୍ତି। ତା’ଛଡ଼ା ଆଜିକାଲି କେବଳ ଭିକାରି ବା ଦୀର୍ଘଦିନରୁ ରାସ୍ତାରେ ରହୁଥିବା ଲୋକମାନେ ଯେ ଆଶ୍ରୟହୀନ ତାହା ନୁହେଁ। ଗ୍ରାମାଞ୍ଚଳରୁ ରାଜଧାନୀ ଅଥବା ବଡ଼ ସହରକୁ କାମ ପାଇଁ ଆସୁଥିବା ଶ୍ରମିକ, ଉଠା ଦୋକାନୀ, ସଫେଇ କର୍ମଚାରୀ ଏବଂ ବଡ଼ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟମାନେ ମଧ୍ୟ ଏହି ତାଲିକାରେ ସାମିଲ। ଯଦି ରାତ୍ରି ଆଶ୍ରୟସ୍ଥଳୀ କର୍ମକ୍ଷେତ୍ର ଠାରୁ ବହୁ ଦୂରରେ ଥାଏ, ତେବେ ସେଠାକୁ ଯିବା ଏମାନଙ୍କ ପାଇଁ ସମ୍ଭବ ହୁଏନାହିଁ। ଅନ୍ୟପକ୍ଷରେ, ଅନେକ ସମୟରେ ସୁରକ୍ଷା ଅଭାବରୁ ଲୋକେ ଆଶ୍ରୟସ୍ଥଳୀକୁ ଯିବାକୁ କୁଣ୍ଠାବୋଧ କରନ୍ତି। ବିଶେଷକରି ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନଥିବା, ପର୍ଯ୍ୟାପ୍ତ ଆଲୋକର ଅଭାବ ଏବଂ ଅପରିଷ୍କାର ପରିବେଶ ଯୋଗୁଁ ମହିଳା ଓ ଏକୁଟିଆ ଯାତ୍ରା କରୁଥିବା ଶ୍ରମିକମାନେ ଏଠାରେ ଆଶ୍ରୟ ନେବାକୁ ଭୟଭୀତ ହୁଅନ୍ତି। ଏହାଛଡ଼ା ପରିଚୟ ପତ୍ର ନଥିଲେ ଆଶ୍ରୟ ମିଳିବ କି ନାହିଁ, ସେହି ଆଶଙ୍କା ମଧ୍ୟ ଏକ ବଡ଼ ପ୍ରତିବନ୍ଧକ ସାଜିଛି।
ଶୀତ ଋତୁର ଏହି ସମସ୍ୟାକୁ କେବଳ ଏକ ସାମୟିକ ବିପଦ ଭାବେ ନଦେଖି ସରକାର ଏହାକୁ ଗୁରୁତ୍ୱର ସହ ନେବା ଉଚିତ। କେବଳ କମ୍ବଳ ବାଣ୍ଟିବା କିମ୍ବା ସ୍କୁଲ ଘରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ଖୋଲିଦେଲେ କାମ ସରିଯିବ ନାହିଁ। ଆଶ୍ରୟସ୍ଥଳୀଗୁଡ଼ିକୁ ଦାନ ବା ଦୟା ନୁହେଁ, ବରଂ ସହରୀ ଭିତ୍ତିଭୂମିର ଏକ ଅତ୍ୟାବଶ୍ୟକ ଅଙ୍ଗ ଭାବେ ବିଚାର କରାଯିବା ଦରକାର। ବସ୍ଷ୍ଟାଣ୍ଡ, ରେଳଷ୍ଟେସନ ଓ କର୍ମକ୍ଷେତ୍ର ନିକଟରେ ଏ ଗୁଡ଼ିକ ନିର୍ମାଣ ହେବା ସହ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହାୟତାରେ ଆଶ୍ରୟସ୍ଥଳୀ ସଂପର୍କରେ ଲୋକଙ୍କୁ ସଚେତନ କରାଇବା ଆବଶ୍ୟକ।
ଖୋଲା ଆକାଶ ତଳେ ଶୋଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବା ଦର୍ଶାଉଛି ଯେ ସହରରେ ଶସ୍ତା ଘର, ଉଚିତ ମଜୁରି ଏବଂ ସାମାଜିକ ସୁରକ୍ଷାର ମୌଳିକ ଅଭାବ ରହିଛି। ତେଣୁ ସରକାର କେବଳ ଟିଭି କ୍ୟାମେରା ସାମ୍ନାରେ ମନ୍ତବ୍ୟ ନ ଦେଇ, ଏଭଳି ଏକ ସ୍ଥାୟୀ ବ୍ୟବସ୍ଥା ପ୍ରସ୍ତୁତ କରିବା ଦରକାର ଯେପରି ଭବିଷ୍ୟତରେ କୌଣସି ଗରିବ ଲୋକ ଶୀତରେ ଥରି ଥରି ରାତି କାଟିବାକୁ ବାଧ୍ୟ ନ ହୁଅନ୍ତି। ଶୀତ କମିଗଲେ ଯେମିତି ଆମେ ଏମାନଙ୍କୁ ଭୁଲି ନ ଯାଉ, ତାହା ହିଁ ସବୁଠାରୁ ବଡ଼ ଆହ୍ୱାନ।



