www.samajalive.in
Saturday, December 13, 2025
23.1 C
Bhubaneswar

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ ସ୍ଥାପତ୍ୟ ପାଇଁ ବିଶ୍ବ ବିଦିତ। ଏହି କଳାକୃତିକୁ ଦେଖିବା ପାଇଁ ଦୈନିକ ଦେଶ ବିଦେଶରୁ ଲକ୍ଷାଧିକ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ଏହି ମନ୍ଦିର ୧୨ଶହ ଶତାବ୍ଦୀରେ ୧୨ଶହ କାରିଗରଙ୍କ ଦ୍ବାରା ନିର୍ମିତ ହୋଇଥିଲା। ୧୯୦୩ ମସିହାରେ ତତ୍କାଳୀନ ଇଂରେଜ ସରକାରଙ୍କ ଶାସନ ସମୟରେ ସୂର୍ଯ୍ୟ ମନ୍ଦିର ମୁଖଶାଳାର ଗର୍ଭଗୃହରେ ବାଲି ଓ ପ୍ରସ୍ତର ଖଣ୍ଡ ପକାଯାଇ ଆବଦ୍ଧ ପୂର୍ବକ ମୁଖଶାଳାର ଚାରି ଦ୍ବାରକୁ ବନ୍ଦକରି ଦିଆଯାଇଥିଲା। ସାମୁଦ୍ରିକ ଲୁଣା ପବନ, ଗର୍ଭଗୃହରେ ପଥର ଝୁଲନ୍ତା ଅବସ୍ଥାରେ ରହିବା ଓ ଭୂସ୍ଖଳନ ଆଦି ସମାସ୍ୟାରୁ ମନ୍ଦିରର କଳାକୃତି, କାରୁକାର୍ଯ୍ୟ, ଏହାର ବାହ୍ୟ ଓ ଆଭ୍ୟନ୍ତରୀଣ ସ୍ଥିତିର ସୁରକ୍ଷା ପାଇଁ ଇଂରେଜ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ ବୋଲି ଐତିହାସିକମାନେ ମତବ୍ୟକ୍ତ କରିଛନ୍ତି। ଇଂରେଜ ସରକାରଙ୍କ ସୁରକ୍ଷା ପାଇଁ ଗ୍ରହଣ କରିଥିବା ପଦକ୍ଷେପ ଯୋଗୁଁ ଐତିହ୍ୟ ସଂପନ୍ନ ସୂର୍ଯ୍ୟ ମନ୍ଦିର ଦୀର୍ଘ ୧୨୨ ବର୍ଷ ଧରି ସୁରକ୍ଷିତ ଭାବେ ବିଶ୍ବ ସମୂହଙ୍କୁ କାରୁକାର୍ଯ୍ୟ ଓ କଳାକୃତି ବୁଲି ଦେଖିବା ପାଇଁ ଏକ ନୂତନ ଉତ୍ସାହ ଓ ଉଦ୍ଦୀପନା ଜାଗ୍ରତ କରିବାରେ ସକ୍ଷମ ହୋଇଛି।
ସୂର୍ଯ୍ୟ ମନ୍ଦିର ମୁଖଶାଳାର ଗର୍ଭଗୃହରେ ଭର୍ତ୍ତି ହୋଇଥିବା ବାଲି କାଢିବା ପାଇଁ ଦୀର୍ଘ ୧୨୨ ବର୍ଷ ପରେ କେନ୍ଦ୍ର ସରକାରଙ୍କ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଏତେ ବ୍ୟାକୁଳ କ’ଣ ପାଇଁ ବୋଲି ଐତିହାସିକ, ବରିଷ୍ଠ ନାଗରିକ, ପର୍ଯ୍ୟଟକ ପ୍ରେମୀ ଓ କୋଣାର୍କ ଅଞ୍ଚଳର ଜନସାଧାରଣଙ୍କ ମନରେ ଉଙ୍କି ମାରୁଛି। ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କାଢିବା ପରେ ମନ୍ଦିର ଭୁଶୁଡ଼ି ପଡିବନି ତ ବୋଲି ଆଲୋଚନା ହେଉଛି। ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କାଢିବା ପଛରେ ଏଏସଆଇର ଅସଲ ଉଦ୍ଦେଶ୍ୟ କ’ଣ ଥାଇପାରେ ବୋଲି ବିଭିନ୍ନ ସ୍ତରରେ ଆଲୋଚନା ହେଉଛି। ଏଏସଆଇର ଏହି ନିଷ୍ପତ୍ତି କେତେ ଶୁଭଙ୍କର ତାହା ସମୟ ହିଁ କହିବ।
୨୦୦୯ ମସିହାରେ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ଏଏସଆଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂର୍ଯ୍ୟ ମନ୍ଦିର ମୁଖଶାଳାର ଗର୍ଭଗୃହରେ ଭର୍ତ୍ତି ବାଲିର ସ୍ଥିତି ଅନୁଧ୍ୟାନ, ବାହ୍ୟ ଓ ଆଭ୍ୟନ୍ତରୀଣ ସ୍ଥିତାବସ୍ଥା ଯାଞ୍ଚ ପାଇଁ ରୁର୍‌କି (ଉତ୍ତରାଖଣ୍ଡ)ସ୍ଥିତ ସେଣ୍ଟ୍ରାଲ ବିଲଡିଂ ଇନ୍‌ଷ୍ଟିଚ୍ୟୁଟ (ସିବିଆରଆଇ)କୁ ଦାୟିତ୍ବ ଅର୍ପଣ କରାଯାଇଥିଲା। ସଂପୃକ୍ତ ସଂସ୍ଥା ପକ୍ଷରୁ ମନ୍ଦିର ଗର୍ଭଗୃହର ବାହ୍ୟ ଓ ଆଭ୍ୟନ୍ତରୀଣ ସ୍ଥିତିର ଲେଜର ସ୍କାନିଂ, ଇଣ୍ଡୋସ୍କୋପି ସହ ବିଭିନ୍ନ ଦିଗରୁ ପରୀକ୍ଷା ନିରୀକ୍ଷା କରାଯାଇ ଏଏସଆଇ କର୍ତ୍ତୃପକ୍ଷଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରାଯାଇଥିଲା। ଏହି ରିପୋର୍ଟ ଅନୁସାରେ ୧୯୦୩ ମସିହାରେ ଭର୍ତ୍ତି କରାଯାଇଥିବା ବାଲି ୧୭ଫୁଟ ଦବିଯାଇଥିବା ଜଣାପଡିଥିଲା। ରିପୋର୍ଟ ହସ୍ତଗତ ହେବାର ୨ବର୍ଷ ଅର୍ଥାତ୍‌ ୨୦୧୧ ମସିହାରେ ଏଏସଆଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କାଢିବା ପ୍ରସଙ୍ଗ ନେଇ ଏକ ଦୁଇଦିନିଆ ଅନ୍ତର୍ଜାତୀୟ କର୍ମଶାଳା ଆୟୋଜନ କରିଥିଲା। ଏଥିରେ ବିଶ୍ବର ଖ୍ୟାତି ସମ୍ପନ୍ନ ବୈଜ୍ଞାନିକ, ସ୍ଥପତି, ଐତିହାସିକ, ବାସ୍ତୁବିତ୍‌, ଏଏସ୍‌ଆଇର ବରିଷ୍ଠ ଅଧିକାରୀ ଓ ବୁଦ୍ଧିଜୀବୀମାନେ ଯୋଗଦାନ କରିଥିଲେ। ଏହାର ଦୀର୍ଘ ୯ ବର୍ଷ ପରେ ଅର୍ଥାତ୍‌ ୨୦୨୦ ମସିହାରେ ସୂର୍ଯ୍ୟ ମନ୍ଦିର ବାଲି କାଢିବା ପାଇଁ ଏଏସଆଇ ନିଷ୍ପତ୍ତି ଗ୍ରହଣ କରିଥିଲା। ଗର୍ଭଗୃହରୁ ବାଲି କାଢିବା ଆଳରେ ଗତ ୧୬ ବର୍ଷ ମଧ୍ୟରେ ଏଏସଆଇ ପକ୍ଷରୁ ବ୍ୟାପକ ଅର୍ଥ ବ୍ୟୟ ବରାଦ କରାଯାଇଛି ସତ; କିନ୍ତୁ ବାଲି କାଢିବା ପ୍ରକ୍ରିୟା ବିଳମ୍ବିତ ହୋଇ ଏହା ଏଏସଆଇର ଲୁଚକାଳି ଖେଳ ସଦୃଶ ପ୍ରସଙ୍ଗ ପାଲଟିଛି।
୨୦୨୩ ମସିହା ନଭେମ୍ବର ମାସରେ ପୁନର୍ବାର ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ଏଏସଆଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂର୍ଯ୍ୟ ମନ୍ଦିର ପରିସରରେ ଭୂମିପୂଜା ଓ ପ୍ଲାଟଫର୍ମ ନିର୍ମାଣ କାର୍ଯ୍ୟ କରାଯାଇ ପ୍ରକ୍ରିୟା ଅଧାପନ୍ତରିଆ ଭାବେ ପଡି ରହିଥିଲା। ଏହି ସମୟରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସି ବାଲି କାଢ଼ିବା ପ୍ରକ୍ରିୟା ନିମନ୍ତେ କ’ଣ ପଦକ୍ଷେପ ନିଆଯାଉଛି ତା’ର ଅନୁଧ୍ୟାନ କରିଥିଲେ। ଏହି ପ୍ରକ୍ରିୟାରେ ମନ୍ଥରତା ନେଇ ଏଏସଆଇ ଅଧିକାରୀଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରିଥିଲେ। ମନ୍ତ୍ରୀ ଅନୁଧ୍ୟାନ କରିବାର ଦୁଇ ବର୍ଷ ପରେ ବାଲି କଢ଼ା ପ୍ରସଙ୍ଗ ଉପରେ ଏଏସଆଇର ନିଦ ଭାଙ୍ଗିଛି। ୨୦୨୫ ମସିହା ଡିସେମ୍ବର ମାସ ୭ ତାରିଖରେ ଏଏସଆଇ ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ଏକ ୧୦ ଜଣିଆ ବିଶେଷଜ୍ଞ ଦଳ ପୁନର୍ବାର ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସି ମନ୍ଦିରର ବାହ୍ୟ ଓ ଆଭ୍ୟନ୍ତରୀଣ ସ୍ଥିତିର ଅନୁଧ୍ୟାନ କରିଛନ୍ତି।
ମନ୍ଦିରର ଉଚ୍ଚତା ୧୨୭ଫୁଟ ରହିଛି। ମନ୍ଦିରର ପଶ୍ଚିମ ଦିଗରେ ୮୦ଫୁଟ ଉଚ୍ଚତା ପ୍ରଥମ ପିଢ କାନ୍ଥରେ ଏକ ଛିଦ୍ର କରାଯାଇଛି। ମନ୍ଦିର ଗର୍ଭଗୃହ ଛାତରେ ପଥର ଝୁଲନ୍ତା ଅବସ୍ଥାରେ ଥିବା ଦେଖି ତତ୍କାଳୀନ ଇଂରେଜ ସରକାର ଗର୍ଭ ଗୃହର ଚତୁଃପାର୍ଶ୍ବରେ ୧୫ ଫୁଟ ଉଚ୍ଚର ଏକ ପଥର କାନ୍ଥ ନିର୍ମାଣ କରିଥିଲେ। କୋର ଡ୍ରିଲ ମାଧ୍ୟମରେ ଛିଦ୍ର କରାଯାଇ ସଂଗୃହୀତ ବାଲି ଓ ପଥର ଖଣ୍ଡ ପରୀକ୍ଷା ନିରୀକ୍ଷା ପାଇଁ ମାଡ୍ରାସସ୍ଥିତ ଆଇଆଇଟିକୁ ପଠାଯାଇଛି। ବିଭିନ୍ନ ସମୟରେ ଏଏସଆଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂର୍ଯ୍ୟ ମନ୍ଦିର ମୁଖଶାଳାର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ବିଭିନ୍ନ ପରୀକ୍ଷା ନିରୀକ୍ଷା ଦୀର୍ଘ ୧୬ ବର୍ଷ ଧରି ଜାରି ରହିଛି। ମାତ୍ର ଫଳ ଶୂନ। ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ଏହି ପରୀକ୍ଷା ନିରୀକ୍ଷାରେ ବ୍ୟାପକ ଅର୍ଥ ବ୍ୟୟ କରାଯାଉଛି; ମାତ୍ର ବାସ୍ତବରେ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପ୍ରସଙ୍ଗ ଏକ ବିଳମ୍ବିତ ପ୍ରକ୍ରିୟା ଓ ବିଭାଗୀୟ ଲୁଚକାଳି ଖେଳ ସଦୃଶ ହୋଇଯାଇଛି।
ଭାଗୀରଥି ସ୍ବାଇଁ, କୋଣାର୍କ, ପୁରୀ

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories