ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ କୁହୁଡ଼ି । ଗ୍ରେଟର ନୋଏଡା ପୂର୍ବ ପେରିଫେରାଲ୍ ହାଇୱେରେ କୁହୁଡ଼ି ଯୋଗୁଁ, ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା ହେବ ଯୋଗୁଁ ଅନେକ ଆହତ ହୋଇଛନ୍ତି ।
ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା ପୂର୍ବ ପେରିଫେରାଲ୍ ହାଇୱେରେ ଘନ କୁହୁଡ଼ି ଯୋଗୁଁ ସିରିଜ ଦୁର୍ଘଟଣା । କୁହୁଡି ଯୋଗୁଁ ୬ଟି ଗାଡି ପରସ୍ପର ମଧ୍ୟରେ ଧକ୍କା ହେବା ଯୋଗୁଁ ଦୁର୍ଘଟଣା ଘଟି ଅନେକ ଆହତ ହୋଇଛନ୍ତି । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଗାଡ଼ିଗୁଡ଼ିକୁ ହାଇୱେରୁ ହଟାଇବା ସହ ଆହତମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଦୁର୍ଘଟଣାଟି ବମ୍ବାୱାଡ ବାଦଲପୁର ଥାନା ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଅନେକ କାର ଏବଂ ଟ୍ରକ ପରସ୍ପର ସହିତ ଧକ୍କା ହେଉଥିବା ଦେଖାଯାଉଛି ।
ପୁଲିସ କହିଛି ଯେ ଘନ କୁହୁଡ଼ି ଯୋଗୁଁ ଯାନବାହାନ ଚାଳକମାନେ ଦେଖିବାରେ ଅସୁବିଧା ସମ୍ମୁଖୀନ ହୋଇଥିଲେ । ପରେ ଗୋଟିଏ ପରେ ଗୋଟିଏ ୬ରୁ ଅଧିକ ଗାଡ଼ି ଧକ୍କା ହୋଇଥିଲା । ଫଳରେ ଅନେକ ଲୋକ ଆହତ ହୋଇଥିଲେ, ଯେଉଁମାନେ ଏବେ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଜଣେ ଆହତ କହିଛନ୍ତି ଯେ, କୁହୁଡ଼ି ବହୁତ ଘନ ଥିଲା ଏବଂ ସେ କିଛି ଦେଖିପାରୁ ନଥିଲେ । ତାଙ୍କ ଗାଡ଼ି ସାମ୍ନାରେ ଥିବା ଏକ ଗାଡ଼ି ସହିତ ହଠାତ ଧକ୍କା ହୋଇଥିଲା । ପରେ ତାଙ୍କ ଗାଡ଼ି ପଛରୁ ଅନ୍ୟ ଏକ ଗାଡ଼ି ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ହାଇୱେରେ ଏକ ଲମ୍ବା ଟ୍ରାଫିକ୍ ଜାମ୍ ଦେଖାଦେଇଥିଲା । ପୁଲିସ କ୍ରେନ୍ ସାହାଯ୍ୟରେ କ୍ଷତିଗ୍ରସ୍ତ ଗାଡ଼ିଗୁଡ଼ିକୁ ଏକପାଖକୁ ଘୁଞ୍ଚାଇ ଦେଇଛି । ଦୁର୍ଘଟଣା ପରେ ଉତ୍ତର ପ୍ରଦେଶରେ କୁହୁଡ଼ି ସତର୍କତା ଜାରି କରିଛନ୍ତି ସରକାର ।



