ବିଜେପି ନିର୍ବାଚନୀ ଗୀତ ଉପରେ କଟକଣା, କଂଗ୍ରେସ ଗୀତର ଶବ୍ଦ ବଦଳାଇବାକୁ ନିର୍ଦେଶ
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନୀ ପ୍ରଚାର ପାଇଁ ସମସ୍ତ ରାଜନୈତିକ ଦଳ ଗୀତ, ନାଚଠାରୁ ଆରମ୍ଭ କରି ବହୁ ମାଧ୍ୟମ ଆପଣାଉଛନ୍ତି। ଏହି କ୍ରମରେ ବିଜେପି, କଂଗ୍ରେସ ଓ ଅନ୍ୟ ଦଳଗୁଡ଼ିକ ନିର୍ବାଚନୀ ଗୀତ ମାଧ୍ୟମରେ ପ୍ରଚାର ଚଳାଇଛନ୍ତି। ତେବେ ଅଭିଯୋଗ କ୍ରମେ ନିର୍ବାଚନ ଆୟୋଗ ବିଜେପି ନିର୍ବାଚନୀ ପ୍ରଚାରର ଏକ ସଂଗୀତ ଉପରେ କଟକଣା ଜାରି କରିଛନ୍ତି।
ଏହାସହ ନିର୍ବାଚନ ଆୟୋଗ କଂଗ୍ରେସର ନିର୍ବାଚନୀ ପ୍ରଚାର ସଂଗୀତରେ କିଛି ଶବ୍ଦକୁ ବଦଳାଇବା ପାଇଁ ନିର୍ଦେଶ ଦେଇଛନ୍ତି। ଆୟୋଗ କଂଗ୍ରେସ ନିର୍ବାଚନୀ ପ୍ରଚାର କମିଟିକୁ ଏକ ଗୀତର ଶବ୍ଦକୁ ହଟାଇବାକୁ କହିଛନ୍ତି। କଂଗ୍ରେସର ନିର୍ବାଚନୀ ଗୀତ ‘ତୁମ ଝୁଟେ ଚାଲୋ ଚଲ କେ, ସହର କେ ନାମ ବଦଲ କେ, ନୋଟୋ କୋ କଚରା କର କେ, କହତେ ହୋ କେ ହମ କୋ ଚୁନ ଲୋ… ଅବ ତୁମ ହମାରି ସୁନ ଲୋ…’ ଗୀତର କେତେକ ଶବ୍ଦ ବଦଳାଇବାକୁ କୁହାଯାଇଛି।
ଅପରପକ୍ଷରେ ନିର୍ବାଚନ ଆୟୋଗ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଦ୍ୱାରା ନିର୍ବାଚନୀ ପ୍ରଚାର ପାଇଁ ପ୍ରସ୍ତୁତ ଗୀତକୁ ବିଜେପି ଜନସଭା ଓ ର୍ୟାଲିରେ ବଜାଇବା ପାଇଁ ଅନୁମତି ଦେବାକୁ ମନା କରିଦେଇଛନ୍ତି। ଅତିରିକ୍ତ ନିର୍ବାଚନ ଅଧିକାରୀ ସଂଜୟ ବସୁ କହିଛନ୍ତି ଯେ ନିର୍ବାଚନ ଆୟୋଗର ମିଡିଆ ସାର୍ଟିଫିକେଟ ଆଣ୍ଡ ମନିଟରିଂ କମିଟି (ଏମ୍ସିଏମ୍ସି) ଏହି ଗୀତ ବଜାଇବା ପାଇଁ ଅନୁମତି ଦେଇନାହିଁ। ସଂଶୋଧିତ ଗୀତ ଦେବାକୁ କୁହାଯାଇଛି। ହେଲେ ବିଜେପି ତରଫରୁ ଏପର୍ଯ୍ୟନ୍ତ କୌଣସି ଗୀତ ପଠାଯାଇ ନାହିଁ। ଏବେ ଏହି ଗୀତ ଉପରେ କଟକଣା ଜାରି କରାଯାଇଛି।
Comments are closed.