କର୍ଣ୍ଣାଟକ ନିର୍ବାଚନ: କଂଗ୍ରେସର ଲିଙ୍ଗାୟତ ରଣନୀତି ବିଫଳ
ନୂଆଦିଲ୍ଲୀ:କର୍ଣ୍ଣଟକ ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠ ଦଳ ଭାବରେ ନିଜକୁ ପ୍ରମାଣିତ କରିଛି। ୨୦୦୮ରେ ସେଠାରେ ୟେଦୁରପ୍ପାଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ କରିଥିବା ବେଳେ ୨୦୧୩ରେ ସିଦ୍ଧରାମେୟାଙ୍କ ନେୃତ୍ୱରେ କଂଗ୍ରେସ ସରକାର ଗଠନ କରିଥିଲା। ଏଥର ପୁଣି ସେଠାରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ଏବେ ବିଜେପିର ବିଜୟ ତୁଳନାରେ କଂଗ୍ରେସର ପରାଜୟକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ତର୍ଜମା ଆରମ୍ଭ ହୋଇଛି। ଏଥର ନିର୍ବାଚନ ଜିତିବା ପାଇଁ କଂଗ୍ରେସ ଖେଳିଥିବା ଲିଙ୍ଗାୟତ କାର୍ଡ ବିଫଳ ହୋଇଥିବା ବେଳେ ବିଜେପି ଏଥିରୁ ଫାଇଦା ନେଇଛି।
ରାଜନୈତିକ ବିଶେଷଜ୍ଞଙ୍କ ମତରେ ୨୦୧୮ ବିଧାନସଭା ନିର୍ବାଚନ ଜିତିବା ପାଇଁ କଂଗ୍ରେସ ମୁଖ୍ୟତଃ ଲିଙ୍ଗାୟତ ସମ୍ପ୍ରଦାୟଙ୍କ ଭୋଟକୁ ଭରସା କରିଥିଲା। ରାଜ୍ୟର ମୋଟ ଜନସଂଖ୍ୟାର ୧୭% ପ୍ରତିନିଧିତ୍ୱ କରୁଥିବା ଲିଙ୍ଗାୟତ ସମ୍ପ୍ରଦାୟର ଭୋଟ ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ଆସନରୁ ୧୦୦ଟିରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରି ଆସୁଛି। ଏଥିପାଇଁ ଲିଙ୍ଗାୟତଙ୍କୁ ସ୍ୱତନ୍ତ୍ର ସମ୍ପ୍ରଦାୟ ମାନ୍ୟତା ଘୋଷଣା କରି ସେମାନଙ୍କ ଭୋଟ ହାତେଇବାକୁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଥିଲା। ଏହାଛଡ଼ା ୨୦୧୨ରୁ ବିଜେପି ବିରୋଧରେ ଲିଙ୍ଗାୟତ ସମ୍ପ୍ରଦାୟର ବିରୋଧାଭାସ ଲାଗି ରହିଛି। ତେଣୁ ୨୦୧୩ରେ କଂଗ୍ରେସ ଲିଙ୍ଗାୟତ ସମ୍ପ୍ରଦାୟ ବହୁଳ ଆସନରୁ ୪୭ଟି ଦଖଲ କରିଥିବା ବେଳେ ବିଜେପି ମାତ୍ର ୫ଟି ଆସନରେ ଜିତିଥିଲା। ଏଥର ମଧ୍ୟ ଲିଙ୍ଗାୟତ କାର୍ଡ ଖେଳି ବିଜେପିକୁ ପରାହତ କରିବାକୁ କଂଗ୍ରେସ ପୂର୍ଣ୍ଣ ପ୍ରୟାସ କରିଥିଲା। କିନ୍ତୁ ଏହାର ସୁଫଳ ବଦଳରେ ନକାରାତ୍ମକ ପ୍ରଭାବ କଂଗ୍ରେସ ଉପରେ ପଡ଼ିଲା। ଅପରପକ୍ଷରେ ବିଜେପି ମତ ଦେଇଥିଲା ଯେ କଂଗ୍ରେସର ନିଷ୍ପତ୍ତି ଜାତିଆଣ ବୈଷମ୍ୟକୁ ଅଧିକ ପ୍ରୋତ୍ସାହିତ କରିବ। ଭୋଟ ଗଣତି ପରେ ବିଜେପି ସପକ୍ଷରେ ଲିଙ୍ଗାୟତ ସମ୍ପ୍ରଦାୟର ଭୋଟ ଯାଇଥିବା ଜଣାପଡ଼ିଛି। ଲିଙ୍ଗାୟତ ବହୁଳ ଅଞ୍ଚଳ ଭାବେ ପରିଚିତ କେନ୍ଦ୍ର କର୍ଣ୍ଣାଟକ ଓ ଉତ୍ତର କର୍ଣ୍ଣାଟକରେ ବିଜେପି ବିପୁଳ ବିଜୟ ହାସଲ କରିଛି।
୨୦୧୩ ନିର୍ବାଚନରେ କଂଗ୍ରେସର ଲିଙ୍ଗାୟତ ଭୋଟ ପାଇବା ପଛରେ କଂଗ୍ରେସର ଉଦ୍ୟମ ନୁହେଁ ବରଂ ବିଜେପି-ୟେଦୁରପ୍ପା ବିବାଦ ଦାୟୀ ବୋଲି ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି। ସେମାନଙ୍କ ମତରେ ୟେଦୁରପ୍ପାଙ୍କୁ ବିଜେପିରୁ ବାହାର କରିଦିଆଯିବାର ଫଳ ଲିଙ୍ଗାୟତ ଭୋଟକୁ ପ୍ରଭାବିତ କରିଥିଲା। ବିଜେପି ଓ ୟେଦୁରପ୍ପାଙ୍କ ମଧ୍ୟରେ ଲିଙ୍ଗାୟତ ଭୋଟ ବିଭାଜିତ ହେବା ଫଳରେ ସେଥିରୁ କଂଗ୍ରେସକୁ ଫାଇଦା ମିଳିଥିଲା। କିନ୍ତୁ ଚଳିତ ଥର ୟେଦୁରପ୍ପା ପୁଣି ବିଜେପିକୁ ଫେରିବା ପରେ ଲିଙ୍ଗାୟତ ଭୋଟ ବିଜେପିକୁ ମିଳିଥିଲା।