ବିଦ୍ୟୁତ୍‌‌ କର୍ମଚାରୀଙ୍କ ଅଂଶୁଘାତରେ ମୃତ୍ୟୁ ଅଭିଯୋଗ

କ୍ଷତିପୂରଣ ଦାବିରେ ବିକ୍ଷୋଭ

ଆଠଗଡ : ଆଠଗଡ ବିଦ୍ୟୁତ୍‌‌ ବିଭାଗ ଅଧିନ ଖୁଣ୍ଟୁଣୀ ସେକ୍ସନରେ କାର୍ଯ୍ୟରତ ଜଣେ ବିଦ୍ୟୁତ୍‌‌ କ୍ଷେତ୍ର କର୍ମଚାରୀଙ୍କର ମଙ୍ଗଳବାର ଅପରାହ୍ନରେ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କୁଲେଇଲୋ ପଞ୍ଚାୟତ ଅନ୍ତର୍ଗତ ଶିଳାପାଟ ଗ୍ରାମର ପ୍ରାଜେଶ କୁମାର ପରିଡା(୩୫) ଟାଟା ପାୱାର କମ୍ପାନୀରେ ଆଖଣ୍ଡଳମଣି ଏଜେନ୍ସି ମାଧ୍ୟମରେ କ୍ଷେତ୍ର କର୍ମଚାରୀ ଭାବେ ଖୁଣ୍ଟୁଣୀ ସେକ୍ସନରେ କାର୍ଯ୍ୟ କରୁଥିଲେ। ମଙ୍ଗଳବାର କର୍ତ୍ତବ୍ୟ କରୁଥିବା ସମୟରେ ପ୍ରାୟ ଦିନ ୧୨ଟାରୁ ୧ଟା ମଧ୍ୟରେ ସେ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ପ୍ରଥମେ ମାଧବପୁରସ୍ଥିତ ଜିମସାର ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଉଥିବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ସେଠାରୁ ଆଠଗଡ ଡାକ୍ତରଖାନାକୁ ଫେରାଇ ଅଣାଯାଇଥିଲା। ଆଠଗଡ ଡାକ୍ତରଖାନାରେ କର୍ତ୍ତବ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେଠାରେ ବିଦ୍ୟୁତ୍‌‌ କର୍ମଚାରୀମାନେ ବହୁୁସଂଖ୍ୟାରେ ଉପସ୍ଥିତ ରହିବା ସହ ପ୍ରଚଣ୍ଡ ରୌଦ୍ରତାପର ଶିକାର ହୋଇ ସେ ମୃତ୍ୟୁବରଣ କରିଥିବା ଅଭିଯୋଗ କରିଥିଲେ। ପୁଲିସ ମୃତଦେହକୁ ଜବତ କରିଥିବାବେଳେ ବୁଧବାର ସକାଳେ ତାଙ୍କର ମୃତଦେହ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ବିଦ୍ୟୁତ୍‌‌ କର୍ମଚାରୀ ସଂଘର କର୍ମକର୍ତ୍ତା ଓ ସଭ୍ୟଙ୍କ ସମେତ ଶିଳାପାଟ ଗ୍ରାମବାସୀ ମୃତହେଦକୁ ଝରଣଛକସ୍ଥିତ ଟାଟା ପାୱାର ଡିଭିଜନ କାର୍ଯ୍ୟାଳୟକୁ ଆଣି ସେଠାରେ କ୍ଷତିପୂରଣ ଦାବିକରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନିର୍ବାହୀଯନ୍ତ୍ରୀ ଇଂ ପବିତ୍ର ମୋହନ ସାହୁ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା ପରେ ମୃତକଙ୍କ ପରିବାରର ଜଣଙ୍କୁ ଏଜେନ୍ସି ମାଧ୍ୟମରେ ଚାକିରୀ ଦେବା ଏବଂ ତାଙ୍କ ବୀମାରାଶି ସହିତ ଅନ୍ୟାନ୍ୟ ପ୍ରାପ୍ୟ ଯଥାଶୀଘ୍ର ପ୍ରଦାନ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା। ଏଥିସହିତ ତାଙ୍କ ଶେଷକୃତ୍ୟ ପାଇଁ ଏଜେନ୍ସିି ପକ୍ଷରୁ ୧୫ହଜାର ଟଙ୍କା ପ୍ରଦାନ କରିବା ପରେ ଗ୍ରାମବାସୀ ମୃତଦେହକୁ ସେଠାରୁ ନେଇ ନିଜ ଗ୍ରାମରେ ଅନ୍ତିମ ସଂସ୍କାର କରିଥିଲେ।

Comments are closed.