ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ନପାଇ ବୃଦ୍ଧା ହନ୍ତସନ୍ତ

ଲକ୍ଷ୍ମୀପୁର: ଦୀର୍ଘ ମାସ ହେବ ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାସ୍ଥିତ ଜଣେ ବୃଦ୍ଧାଙ୍କୁ ମିଳିନାହିଁ ବାର୍ଦ୍ଧକ୍ୟ ଭତ୍ତା। ଫଳରେ ସେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୋରାପୁଟ ଜିଲା ଲକ୍ଷ୍ମୀପୁର ପଞ୍ଚାୟତର ଘୋଡାଟିକିରି ଗ୍ରାମର ଜୁଲମେ ମିଣିଆକାଙ୍କୁ ପ୍ରାୟ ୫ ମାସରୁ ଊର୍ଦ୍ଧ୍ବ ହେବ ଭତ୍ତା ମିଳୁନଥିବା ସେ ପ୍ରକାଶ କରିଛନ୍ତି । ତେବେ କ’ଣ ପାଇଁ ସେ ତାଙ୍କର ଭତ୍ତା ଟଙ୍କା ପାଇନାହାନ୍ତି ସେ ବାବଦରେ ତାଙ୍କୁ ଜଣାନାହିଁ।

ଏଠାରେ ସୂଚନାଯୋଗ୍ୟ, ସରକାର ବୃଦ୍ଧ ବୃଦ୍ଧାମାନଙ୍କୁ ୬୦ ବର୍ଷରୁ ୭୯ ବର୍ଷ ପର୍ଯ୍ୟନ୍ତ ହିତାଧିକାରୀମାନଙ୍କୁ ୫୦୦ ଶହ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରୁଥିବା ବେଳେ ୮୦ ବର୍ଷରୁ ଊର୍ଦ୍ଧ୍ବ ହେଲେ ୭୦୦ ଶହ ଟଙ୍କା ଲେଖାଏଁ ପ୍ରଦାନ କରୁଛନ୍ତି। ତେବେ କେତେକ କାରଣରୁ ବୟସ୍କ ବୟସ୍କାମାନଙ୍କୁ ସେମାନଙ୍କ ପ୍ରତି ମାସର ପ୍ରାପ୍ୟ ମିଳିପାରୁ ନାହିଁ । ବିଡ଼ମ୍ବନାର ବିଷୟ, କେଉଁ କାରଣରୁ ସେମାନଙ୍କ ଭତ୍ତା ଟଙ୍କା ମିଳୁନାହିଁ ତାହା ସେମାନଙ୍କୁ ଜଣାନାହିଁ। କେବଳ ଜୁଲମେ ନୁହନ୍ତି, ଅନେକ ଗ୍ରାମରେ ଏହିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ହିତାଧିକାରୀମାନେ। କେଉଁଠି ଆଧାର ସଂଯୋଗ ହୋଇନଥିବା କଥା କୁହାଯାଉଥିବା ବେଳେ ଅନ୍ୟ କେଉଁଠି ଅନ୍ୟାନ୍ୟ କାରଣରୁ ଭତ୍ତା ଟଙ୍କା ମିଳୁନାହିଁ, ଯେଉଁଥିପାଇଁ ସେମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ କ’ଣ ପାଇଁ ଜୁଲମେଙ୍କୁ ଭତ୍ତା ମିଳିନାହିଁ ସେ ବିଷୟରେ ଅନୁଧ୍ୟାନ କରି ଭତ୍ତା ପ୍ରଦାନ କରିବା ପାଇଁ ସେ ନିବେଦନ କରିଛନ୍ତି।

Comments are closed.