ଏକ୍ସ କ୍ୟାଡର ଶିକ୍ଷକଙ୍କ ଆତ୍ମହତ୍ୟା

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ତଥା ନର୍ଲା ଥାନା ସିକେରକୁପା ଫାଣ୍ଡି ଅନ୍ତର୍ଗତ କାଉଗୁଡ଼ାରେ ଜଣେ ଏକ୍ସ କ୍ୟାଡ଼ର ଶିକ୍ଷକ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, କାଉଗୁଡ଼ା ଗାଁର ହରେକୃଷ୍ଣ ଶବର ଲାଞ୍ଜିଗଡ଼ରୋଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଏକ୍ସ କ୍ୟାଡର ଶିକ୍ଷକ ଭାବେ ଚାକିରି କରୁଥିଲେ। ତେବେ ରବିବାର ବିଳମ୍ବିତ ରାତିରେ ସେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ମୃତ ଶିକ୍ଷକଙ୍କ ପତ୍ନୀ କିଛିଦିନ ତଳେ ନିଖୋଜ ହୋଇଥିବା ନେଇ ସେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ନିଖୋଜ ପତ୍ନୀକୁ ଖୋଜି ଖୋଜି ନିରାଶ ହେବା ପରେ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ରବିବାର ରାତିରେ ଘରେ ଶୋଇଥିବାବେଳେ ସୋମବାର ସକାଳୁ ସେ ଶୋଇଥିବା କୋଠରୀକୁ ତାଙ୍କ ମାଆ ଝାଡ଼ୁ କରିବାକୁ ଯିବାବେଳେ ପୁଅର ଝୁଲନ୍ତା ମୃତଦେହ ଦେଖି କାନ୍ଦବୋବାଳି କରିଥିଲେ। ତାଙ୍କ ପାଟିଶୁଣି ପାଖପଡ଼ିଶା ଲୋକେ ଜମା ହେବା ସହିତ ସିକେରକୁପା ପୁଲିସକୁ ଖବର ଦିଆଯାଇଥିଲା। ଖବର ପାଇ ସିକେରକୁପା ଫାଣ୍ଡି ଅଧିକାରୀ ମୀନାରାଓ ଶବର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି। ଏନେଇ ନର୍ଲା ଥାନାରେ କେସ୍ ନଂ.୧୩/୨୦୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ତଦନ୍ତରେ ପୁଲିସ କର୍ମଚାରୀ ଗୋକୁଳ ସାହୁ, ବିଶ୍ବନାଥ ମହଲା ପ୍ରମୁଖ ସହଯୋଗ କରୁଛନ୍ତି।

Comments are closed.