ଲାଞ୍ଜିଗଡ : ଶିଳ୍ପର ସହର ଲାଞ୍ଜିଗଡ଼ରେ ରାସ୍ତା ଅଭାବରୁ ଆମ୍ବୁଲାନ୍ସ ଯାଇନପାରିବା ଓ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ନଦୀ ପାର କରାଇବା ଘଟଣାରେ ବ୍ଲକ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଏସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ବ୍ଲକ ପ୍ରଶାସନ ତରଫରୁ ବଂଶଧାରା ନଦୀ ଆରପାରିରେ ଥିବା ଘଡ଼େଇତୋଟା ପଡ଼ାକୁ ଆଜି ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ସହକାରୀ ଯନ୍ତ୍ରୀ ରେଣୁକା ଠାକୁର ପହଞ୍ଚିବା ସହ ପଡାବାସୀଙ୍କ ସହିତ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି। ଏହାସହିତ ପଡାକୁ ରାସ୍ତା ଓ ବଂଶଧାରା ନଦୀରେ ସୁଉଚ୍ଚ ପୋଲ ନିର୍ମାଣ ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଅନୁରୋଧ କରିବେ ବୋଲି ପ୍ରକାଶ କରିଛନ୍ତି। ସଂପୃକ୍ତ ମହିଳା ଓ ତାଙ୍କ ନବଜାତ ଶିଶୁର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। ପଡାର ସମସ୍ୟା ସଂପର୍କରେ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରଶାସକମାନେ ପ୍ରତିଶ୍ରୁତି ଦେବା ପରେ ପଡାବାସୀ ଆଶ୍ୱସ୍ତ ହେବା ସହ ପ୍ରଶାସନର ସୁଦୃଷ୍ଟି ପଡିଲେ ଗତ ୩୦ ବର୍ଷର ଦାବି ପୂରଣ ହେବ ବୋଲି ପଡାବାସିନ୍ଦା ମତ ପ୍ରକାଶ କରିଛନ୍ତି।
Popular Categories



