ଦୁର୍ଗନ୍ଧ କାରଣରୁ ବିମାନର ଜରୁରୀ ଅବତରଣ !

0

ଯେକୌଣସି ବିମାନର ଜରୁରୀ ଅବତରଣ ଏତେ ସହଜରେ ହୋଇନଥାଏ। ପ୍ରଥମେ ନିକଟସ୍ଥ ବିମାନବନ୍ଦର ପାଇଲଟ୍‌ଙ୍କ ନିକଟରୁ ସମ୍ପୂର୍ଣ୍ଣ ତଥ୍ୟ ନେଇ ହିଁ ଜରୁରୀ ଅବତରଣର ଅନୁମତି ମିଳିଥାଏ। ଯଦି ବିମାନର କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଯାଏ, ସେ କ୍ଷେତ୍ରରେ ତୁରନ୍ତ ନିକଟସ୍ଥ ବିମାନବନ୍ଦର ତରଫରୁ ଅନୁମତି ମିଳିଥାଏ। ନଚେତ୍ ଗର୍ଭବତୀ ମହିଳାଙ୍କ ପ୍ରସବ ପୀଡ଼ା ଅବା ବୟସ୍କ ଲୋକଙ୍କ ସ୍ବାସ୍ଥ୍ୟ ଅବନତି ହେଲେ ହିଁ ବିମାନର ଜରୁରୀ ଅବତରଣ କରାଯାଉଥିବାର ପ୍ରକାଶ। ହେଲେ ପ୍ରଥମଥର ବିମାନ ଉଡ଼ାଣ ଇତିହାସରେ ଏକ ବିଚିତ୍ର ଘଟଣା ଘଟିଛି।

ନେଦରଲ୍ୟାଣ୍ଡ-ସ୍ପେନ୍ ଯାତ୍ରା କରୁଥିବା ଟ୍ରାନ୍ସଭିଆ ଏୟାରଲାଇନ୍ସର ଏକ ଫ୍ଲାଇଟ୍ ସେଦିନ ଯଥା ସମୟରେ ଉଡ଼ାଣ ଭରିଥିଲା। ତେବେ ସମସ୍ତ ଯାତ୍ରୀ ବସିବା ପରେ ଅସହଜ ଅନୁଭବ କରିଥିଲେ। କାରଣ ଏକ ଦୁର୍ଗନ୍ଧରେ ସେମାନଙ୍କ ଅବସ୍ଥା ବେଳକୁବେଳ ଗୁରୁତର ହେଉଥାଏ। କେତେଜଣ ଯାତ୍ରୀ ଏଇ ଉତ୍କଟ ଦୁର୍ଗନ୍ଧରେ ବାନ୍ତି କରିପକାଇଲେ। ଜଣେ ଗର୍ଭବତୀ ମହିଳା ସଂଜ୍ଞାହୀନ ମଧ୍ୟ ହୋଇଗଲେ। ବିମାନ ପରିଚାରିକା ତୁରନ୍ତ ଯାଞ୍ଚ ଆରମ୍ଭ କଲେ। ଜଣେ ଯାତ୍ରୀଙ୍କ ଶରୀରରୁ ଏପରି ଉତ୍କଟ ଦୁର୍ଗନ୍ଧ ହେଉଥିବାର ଜଣାପଡ଼ିଲା।

ଅନ୍ୟ ଯାତ୍ରୀଙ୍କ ଅସହାୟ ଅବସ୍ଥା ଦେଖି ତୁରନ୍ତ ନିଷ୍ପତ୍ତି ନିଆଗଲା ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ନିକଟସ୍ଥ ପର୍ତ୍ତୁଗାଲ୍‌ ବିମାନବନ୍ଦରରେ ବିମାନର ଜରୁରୀ ଅବତରଣ କରାଯିବ। ସେଠାରେ ଅବତରଣ ପରେ ସେହି ବ୍ୟକ୍ତିଙ୍କୁ ତତକ୍ଷଣାତ୍ ବିମାନରୁ ବାହାର କରାଗଲା। ପରେ ଜେରାରୁ ଜଣାପଡ଼ିଥିଲା, ୨ ମାସ ହେବ କାମ ଚାପରୁ ସେ ଗାଧୋଇ ପାରିନଥିଲେ। ବ୍ୟକ୍ତିଜଣକ ଓହ୍ଲାଇବା ପରେ ବିମାନଟି ପୁଣି ଗନ୍ତବ୍ୟସ୍ଥଳକୁ ଉଡ଼ାଣ ଭରିଥିଲା। ମିଳିଥିବା ଖବର ଅନୁସାରେ, ଉତ୍କଟ ଗନ୍ଧ ନିମନ୍ତେ ଅନ୍ୟ ଯାତ୍ରୀଙ୍କୁ ହଇରାଣ କରିଥିବାରୁ ସେହି ବ୍ୟକ୍ତିଙ୍କୁ ୫୫ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିଲା। ବିମାନ ଯାତ୍ରା ପୂର୍ବରୁ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବା ମଧ୍ୟ ବାଧ୍ୟତାମୂଳକ।

Leave A Reply