ମସ୍‍ଜିଦ ସମ୍ମୁଖରେ ସ୍ଥାପନ ହେବ ଲକ୍ଷ୍ମଣଙ୍କ ମୂର୍ତ୍ତି

0

ଲକ୍ଷ୍ନୌ : ରାମ ମନ୍ଦିର ନିର୍ମାଣକୁ ନେଇ ଏବେ ରାଜନୀତି ପୁଣି ଜୋର ଧରିଥିବାବେଳେ ଏଠାକାର ପୁରାତନ ଏକ ମସ୍‍ଜିଦ ସମ୍ମୁଖରେ ଲକ୍ଷ୍ମଣଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଯୋଜନା ହୋଇଛି। ଏହାକୁ ନେଇ ଲକ୍ଷ୍ନୌରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇବା ସହ ରାଜନୀତି ମଧ୍ୟ ସରଗରମ ହୋଇଉଠିଛି।
ସୂଚନାନୁଯାୟୀ, ବିଜେପି ନେତା ଲାଲ୍‍ଜୀ ଟଣ୍ଡନଙ୍କ ଏକ ପୁସ୍ତକ ‘ଅନ୍‍କହା ଲକ୍ଷ୍ନୌ’ରେ ଏଠାକାର ଐତିହାସିକ ତିଲେ ୱାଲି ମସ୍‍ଜିଦ ବାସ୍ତବରେ ‘ଲକ୍ଷ୍ମନ୍‍କା ତିଲା’ ଥିଲା। ଏହାକୁ ନେଇ କିଛି କାଳ ପୂର୍ବେ ବିବାଦ ସୃଷ୍ଟି ହୋଇଥିଲା; କିନ୍ତୁ ଏବେ ଏହାରି ଆଧାରରେ ଲକ୍ଷ୍ନୌ ନଗର ନିଗମ ମସ୍‍ଜିଦ ସମ୍ମୁଖରେ ଲକ୍ଷ୍ମଣଙ୍କର ବିରାଟ ମୂର୍ତ୍ତି ସ୍ଥାପନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ମୂର୍ତ୍ତି ପ୍ରତିଷ୍ଠା ହେଲେ ସେଠାରେ ଅଯଥା ସାମ୍ପ୍ରଦାୟିକ ବିଦ୍ୱେଶ ସୃଷ୍ଟି ହେବ। ଇଦ୍‍ ସମୟରେ ଯେଉଁ ସ୍ଥାନରେ ସମୂହ ପ୍ରାର୍ଥନା ଆୟୋଜନ ହେଉଛି ସେଠାରେ ମୂର୍ତ୍ତି ନିର୍ମାଣ କରାଗଲେ ପ୍ରାର୍ଥନାରେ ବିଭ୍ରାଟ ଘଟିବ ବୋଲି ମୁସଲମାନ ଧର୍ମାଧିକାରୀମାନେ ମତ ଦେଇଛନ୍ତି।
ତେବେ ଏହି ସ୍ଥାନ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସ୍‍ଆଇ) ଅଧୀନରେ ଆସୁଥିବାରୁ ନଗର ନିଗମକୁ ମୂର୍ତ୍ତି ନିର୍ମାଣ ପୂର୍ବରୁ ଏହାର ଅନୁମତି ଆଣିବାକୁ ପଡ଼ିବ। ପୂର୍ବରୁ ୧୯୯୩-୯୪ରେ କିଛି ଲୋକଙ୍କ ପ୍ରସ୍ତାବ କ୍ରମେ ପ୍ରଶାସନ ପକ୍ଷରୁ ଏଭଳି ଉଦ୍ୟମ ଆରମ୍ଭ ହୋଇଥିଲା; କିନ୍ତୁ ମୁସଲମାନ ସମ୍ପ୍ରଦାୟର ବିରୋଧ ଯୋଗୁଁ ଏହା ଅଟକି ରହିଥିଲା। ଏବେ ପୁନର୍ବାର ସେଭଳି ପଦକ୍ଷେପ ନନେବା ପାଇଁ ମସ୍‍ଜିଦର ମୌଲାନା ସରକାରଙ୍କୁ ନିବେଦନ କରିଛନ୍ତି। ଲକ୍ଷ୍ନୌ ମେୟର ସନ୍ୟୁକ୍ତ ଭାଟିଆଙ୍କ କହିବାନୁଯାୟୀ, ଲକ୍ଷ୍ମଣଙ୍କ ମୂର୍ତ୍ତି ସ୍ଥାପନ ହେବା ନିଶ୍ଚିତ; କିନ୍ତୁ ଏ ନେଇ ସ୍ଥାନ ଧାର୍ଯ୍ୟ ହୋଇନାହିଁ। ତେବେ ବିଜେପି ନେତାମାନେ ମସ୍‍ଜିଦ ସମ୍ମୁଖରେ ମୂର୍ତ୍ତି ସ୍ଥାପନ ହେବ ଓ ଏହାକୁ କେହି ଅଟକାଇ ପାରିବେ ନାହିଁ ବୋଲି ବିବୃତ୍ତି ଦେଇଛନ୍ତି।

kalyan agarbati
Leave A Reply