ଗ୍ରାହକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ
ଲଡୁଗାଁ : କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ଗ୍ରାମର ଯୁବକ ଜଗଦୀଶ ଚନ୍ଦ୍ର ସିଂ ନିଜ ନାଁରେ ଏକ ଗ୍ରାହକ ସେବାକେନ୍ଦ୍ର ବଡ଼ ପୋଡ଼ାଗୁଡା ଗ୍ରାମରେ ଖୋଲିବା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ବାରା ଅନୁମୋଦିତ । କିନ୍ତୁ ସେ ଗ୍ରାହକ ସେବାକେନ୍ଦ୍ର ବଡ଼ ପୋଡ଼ାଗୁଡା ପରିବର୍ତ୍ତେ ଆମପାଣି ଠାରେ ଦୀର୍ଘ ଦିନ ଧରି ଚଳାଇ ଆସୁଥିଲେ। ସୂଚନ ଅନୁସାରେ ଏକ ମାସ ମଧ୍ୟରେ ଗ୍ରାହକ ସେବାକେନ୍ଦ୍ରରେ ଜମାଖାତା ଖୋଲିଥିବା ଗ୍ରାହକ ଓ ହିତାଧିକାରୀଙ୍କ ଏକାଉଣ୍ଟରୁ ଜାଲିଆତି କରି ଲକ୍ଷାଧିକ ଟଙ୍କା ଉଠାଇ ଫେରାର ହୋଇଥିବାବେଳେ ଜାଲିଆତିର ଶିକାର ହୋଇଥିବା ଜମାକାରୀ ଗ୍ରାହକ ସେବାକେନ୍ଦ୍ର ବନ୍ଦ ଥିବା ଦେଖି ଜଗଦୀଶକୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲ ହେଁ ସେ ଫୋନ୍ ଉଠାଇଲେ ନାହିଁ, ପରେ ଗ୍ରାହକ ନିଜ ଜମାଖାତା ଚେକ କରିବାରୁ ସେମାନଙ୍କ ଟଙ୍କା ଉଠାଣ ହୋଇଥିବା ଜାଣି ସ୍ଥାନୀୟ ଆମପାଣି ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ପଚାରି ଥିଲେ। ନିଜ ଆକାଉଣ୍ଟରେ ଟଙ୍କା ନ ଥିବା ଓ ବ୍ୟାଙ୍କ ପକ୍ଷରୁ କୌଣସି ସମାଧାନ ନ ହେବାରୁ ଉକ୍ତ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ଟଙ୍କା ହଡପ୍ କରିଥିବା ଅଭିଯୋଗ ନେଇ ଆମପାଣି ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। କାଉଡୋଳା ପଞ୍ଚାୟତ ବଡ଼ କେନ୍ଦୁଗୁଡା ଗ୍ରାମର ଆଵାସ ଯୋଜନା ହିତାଧିକାରୀ ଗୁରୁବାରି ପାରିଙ୍କ ୩୦ ହଜାର, ନର ବେମାଲଙ୍କ କୃଷି ଋଣରୁ ୩୦ ହଜାର, ଯଶୋଦା ହଂସଙ୍କ ୫୦ ହଜାର ଫାଇନାନ୍ସ ଟଙ୍କା ହଡପ କରାଯାଇଥିବା ନେଇ ସୋମବାର ଆମପାଣି ଥାନାରେ ଅଭିଯୋଗ ହୋଇଥିବାବେଳେ ଆଉ ଏମିତି ଅନେକ ଲୋକଙ୍କ ଜମାଖାତାରୁ ଟଙ୍କା ହଡପ କରିଥିବା ନେଇ ଅଭିଯୋଗ ହୋଇଛି। ସେବାକେନ୍ଦ୍ରର ପରିଚାଳକ ଜଗଦୀଶ ଚନ୍ଦ୍ର ସିଂ ଗ୍ରାହକ ଓ ହିତାଧିକାରୀଙ୍କ ସରଳତାର ସୁଯୋଗ ନେଇ ଆଧାର ଓ ଫିଙ୍ଗର୍ ପ୍ରିଣ୍ଟ ମେସିନ୍ ସାହାଯ୍ୟରେ ସମସ୍ତ ଜମାଟଙ୍କା ଉଠାଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଆମପାଣି ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ବୈଚନ୍ଦ୍ର ବେଶ୍ରାଙ୍କୁ ପଚାରିବାରୁ ଆମ ନିକଟରେ ମଧ୍ୟ ଅଭିଯୋଗ ହୋଇଛି,ଏନେଇ ଗ୍ରାହକ ସେବାକେନ୍ଦ୍ରର ଆଇଡ଼ିକୁ ବ୍ଲକ କରାଯିବା ସହ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେଇଛୁ ବୋଲି କହିଛନ୍ତି। ଆମପାଣି ଥାନା ଏସ.ଆଇ ରାଜେଶ ପରିଡାଙ୍କ ପ୍ରତିକ୍ରିୟା ନେବାରୁ ବ୍ୟାଙ୍କ୍ ତରଫରୁ ଭେରିଫାଏ କରାଯାଇ ଗୋଟିଏ ମାମଲା ହେବ କାରଣ କେତୋଟି ହିତାଧିକାରୀଙ୍କ ଆକାଉଣ୍ଟରୁ ଜାଲିଆତି ହୋଇଛି ଆମେ ଜାଣିନୁ ବୋଲି କହିଥିଲେ ।
Comments are closed.