୪ର୍ଥ ଟେଷ୍ଟ: ଏକାଧିକ ରେକର୍ଡ ଦ୍ବାରରେ କୋହଲି
ସିଡ୍ନୀ : ଗୁରୁବାରଠାରୁ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଚଳିତ ବର୍ଡର-ଗାଭାସ୍କର ଟ୍ରଫି ସିରିଜ୍ର ୪ର୍ଥ ତଥା ଅନ୍ତିମ ଟେଷ୍ଟମ୍ୟାଚ୍ ଖେଳାଯିବ। ୩ୟ ଟେଷ୍ଟକୁ ୧୩୭ ରନ୍ରେ ଜିତିବା ପରେ ଭାରତ ସିରିଜ୍ରେ ୨-୧ରେ ଆଗୁଆ ରହିଛି। ଫଳରେ ଭାରତ ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିଛି। ଭାରତ ୪ର୍ଥ ଟେଷ୍ଟମ୍ୟାଚ୍ ଡ୍ର ରଖିଲେ କିମ୍ବା ବିଜୟୀହେଲେ ତା’ର କ୍ରିକେଟ ଇତିହାସରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ୍ ଜିତିବ। ତେବେ ୪ର୍ଥ ଟେଷ୍ଟରେ ଏକାଧିକ ରେକର୍ଡ ଅଧିନାୟକ ବିରାଟ କୋହଲିଙ୍କୁ ଅପେକ୍ଷା କରିଛି।
ଆଡିଲେଡ୍ରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟକୁ ଭାରତ ୩୧ ରନ୍ରେ ଜିତିଥିଲା। ଫଳରେ ପ୍ରଥମ ଭାରତୀୟ ଅଧିନାୟକ ଭାବେ ଅଷ୍ଟ୍ରେଲିଆ ଗସ୍ତରେ କୋହଲି ସିରିଜ୍ର ପ୍ରଥମ ଟେଷ୍ଟ ଜିତି ପାରିଥିଲେ। ପୂର୍ବରୁ ୧୧ ଥର ଅଷ୍ଟ୍ରେଲିଆ ଗସ୍ତରେ ଯାଇ ଭାରତୀୟ ଦଳ ସିରିଜ୍ର ପ୍ରଥମ ଟେଷ୍ଟ ଜିତିନଥିଲା। ଓପ୍ନର ଡେଭିଡ୍ ୱାର୍ଣ୍ଣର ଓ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ଙ୍କ ଅନୁପସ୍ଥିତିରେ ଦୁର୍ବଳ ହୋଇ ଯାଇଥିବା ଅଷ୍ଟ୍ରେଲିଆକୁ ସିଡ୍ନୀରେ ଖେଳାଯିବାକୁ ଥିବା ୪ର୍ଥ ଟେଷ୍ଟରେ ପରାସ୍ତ କରିପାରିଲେ ବିରାଟ କୋହଲିଙ୍କ ଦଳ ଅଷ୍ଟ୍ରେଲିଆ ମାଟିରେ ପ୍ରଥମଥର ପାଇଁ କେବଳ ଟେଷ୍ଟ ସିରିଜ୍ ଜିତିବ ନାହିଁ; ଅଧିନାୟକ ଭାବେ କୋହଲି ଏକାଧିକ କୀର୍ତ୍ତିମାନର ଅଧିକାରୀ ହେବେ। ପୂର୍ବରୁ ଅଷ୍ଟ୍ରେଲିଆକୁ ୧୧ଟି ଗସ୍ତରେ କୌଣସି ଭାରତୀୟ ଦଳ ଘରୋଇ ଦଳ ବିପକ୍ଷରେ ଏକ ସିରିଜ୍ରେ ୩ଟି ଟେଷ୍ଟ ଜିତିନାହିଁ। ଏଥର କୋହଲିଙ୍କ ଦଳ ଏହି କୃତିତ୍ବ ହାସଲ କରିବାର ଦ୍ବାରରେ ପହଞ୍ଚିଛି। ୧୯୭୭-୭୮ରେ ବିଶେନ ସିଂହ ବେଦିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଅେଷ୍ଟ୍ରଲିଆ ବିପକ୍ଷରେ ୨ଟି େଟଷ୍ଟ ଜିତିଥିବା ବେଳେ ୨୦୦୩-୦୪ରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ୍କୁ ୧-୧ରେ ଡ୍ର ରଖି ପାରିଥିଲା। ଭାରତ ଏହି ସିରିଜ୍କୁ ୩-୧ରେ ଜିତିଲେ ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ଭାରତୀୟ ଅଧିନାୟକ ଭାବେ ବିଦେଶରେ ଏକ ସିରିଜ୍େର ୩ଟି ଟେଷ୍ଟମ୍ୟାଚ୍ ଜିତିବାର କୃତିତ୍ବ ହାସଲ କରିବେ। ୨୦୧୭ରେ ଶ୍ରୀଲଙ୍କାରେ କୋହଲିଙ୍କ ନେତୃତ୍ବରେ ଭାରତ ୩-୦ରେ ଟେଷ୍ଟ ସିରିଜ୍ ପୋଛିଥିଲା। ପୁଣି ଭାରତ ଏହି ସିରିଜ୍କୁ ୩-୧ରେ ଜିତିଲେ ବିରାଟ କୋହଲି ପ୍ରଥମ ଭାରତୀୟ ଅଧିନାୟକ ଭାବେ ଉପମହାଦେଶ ବାହାରେ ଏକ ଟେଷ୍ଟ ସିରିଜ୍ରେ ୩ଟି କିମ୍ବା ଅଧିକ ମ୍ୟାଚ୍ ଜିତିପାରିବେ। ଏହି କୃତିତ୍ବ ହାସଲ କରିବାରେ ପ୍ରଥମ ଭାରତୀୟ ଅଧିନାୟକ ହେଉଛନ୍ତି ମନ୍ସୁର ଅଲୀ ଖାଁ ପଟୌଦି। ୧୯୬୭-୬୮ରେ ପଟୌଦିଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତ ୩-୧ରେ ଟେଷ୍ଟ ସିରିଜ୍ ଜିତିଥିଲା। ପୁଣି ୩ୟ ଏସୀୟଅଧିନାୟକ ଭାବେ ଅଷ୍ଟ୍ରେଲିଆ ମାଟିରେ ୩ଟି ଟେଷ୍ଟମ୍ୟାଚ୍ ଜିତିବାର କୃତିତ୍ବ ହାସଲ କରିବେ କୋହଲି। ପୂର୍ବରୁ ଭାରତର ବିଶେନ ସିଂହ ବେଦି ଓ ପାକିସ୍ତାନର ମୁସ୍ତାକ୍ ଅହମ୍ମଦଙ୍କ ଦଳ ଅଷ୍ଟ୍ରେଲିଆରେ ୩ଟି ଟେଷ୍ଟମ୍ୟାଚ୍ ଜିତି ପାରିଛନ୍ତି। ସିଡ୍ନୀ ଟେଷ୍ଟରେ ଭାରତ ଜିତିଲେ ଅଧିନାୟକ ଭାବେ ବିଦେଶରେ ୧୨ଟି ଟେଷ୍ଟମ୍ୟାଚ୍ ଜିତିବା ସହ ବିଦେଶରେ ସଫଳତମ ଭାରତୀୟ ଅଧିନାୟକ ହେବାର କୃତିତ୍ବ ହାସଲ କରିବେ ବିରାଟ କୋହଲି। ପୂର୍ବରୁ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ଭାରତ ବିଦେଶରେ ୧୧ଟି ଟେଷ୍ଟମ୍ୟାଚ୍ ଜିତି ପାରିଥିଲା।