ରଙ୍ଗ କାମ କରିବାକୁ ଆସି ଲୁଟିନେଲେ ୪୦ଲକ୍ଷ ଟଙ୍କା ଓ ଅଳଙ୍କାର: ୪ ଗିରଫ
ଖଣ୍ଡଗିରି: ରଙ୍ଗ କାମ କରିବାକୁ ଆସି କେହି ନଥିବାର ସୁଯୋଗ ନେଇ ଘରେ ବୁଲାଇଲେ କଳାକନା। ୪୦ ଲକ୍ଷ ଟଙ୍କା ଓ ସମସ୍ତ ସୁନା ଅଳଙ୍କାର ଲୁଟିଲେ। ଆଜି ଏଭଳି ଏକ ବଡ ଧରଣର ଚୋରିର ପର୍ଦ୍ଦାଫାଶ କରିଛି ଖଣ୍ଡଗିରି ଥାନା ପୁଲିସ। ଦୁଇ ରଙ୍ଗ ମିସ୍ତ୍ରୀଙ୍କ ସମେତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ କଟକ ବିଡାନାସୀ ଥାନା ଅନ୍ତର୍ଗତ ନୂଆସାହିର ମାନସ ଚିନେରା ଓରଫ ପ୍ରଦୀପ (୩୨), କଟକ ବିଡାନାସୀ ଗୁଡସାହିରେ ରହୁଥିବା ଜଗସିଂହପୁର ବାଲିକୁଦା ଚନ୍ଦରପୁରର ବୈଷ୍ଣବ ଓଝା ଓରଫ ସୁମନ (୨୮), ଭରତପୁର ଥାନା ଘାଟିକିଆ ନାକାଗେଟ ନିକଟରେ ରହୁଥିବା ପଦ୍ମଲୋଚନ ମଲ୍ଲିକ ଓରଫ ଟୁଟୁ (୩୭) ଓ ଜଗତସିଂହପୁର ଏରସମା ଜନକଦେଇପୁରର ଅଧିର ଓଝା (୨୭)। ପୁଲିସ ସେମାନଙ୍କ ନିକଟରୁ ୨୬ ଲକ୍ଷ ଟଙ୍କା ଜବତ କରିବା ସହ ଆଜି ଅଭିଯୁକ୍ତ ୪ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି।
ଖଣ୍ଡଗିରି ଥାନା ବରମୁଣ୍ଡା ପ୍ରକୃତି ବିହାର ଲେନ ୩ଡିରେ ହାଡିବନ୍ଧୁ ବେହେରା ତାଙ୍କ ପରିବାର ସହ ରୁହନ୍ତି। ହାଡିବନ୍ଧୁ ଜଣେ ଅବସରପ୍ରାପ୍ତ କର୍ମଚାରୀ। ହାଡିବନ୍ଧୁ ଝିଅର ବିଭାଘର ଉପଲକ୍ଷେ ତାଙ୍କ ଘରର ରଙ୍ଗକାମ କରୁଥିଲେ। ଉକ୍ତ ରଙ୍ଗକାମ କରିବା ପାଇଁ ସେ କଟକର ମାନସ ଚିନେରା ଓରଫ ପ୍ରଦୀପ ଓ ବୈଷ୍ଣବ ଓଝା ଓରଫ ସୁମନକୁ କାମ ଦେଇଥିଲେ। ଗତ କିଛି ଦିନ ହେବ ମାନସ ଓ ସୁମନ ଶ୍ରୀ ବେହେରାଙ୍କ ଘରେ ରଙ୍ଗ କାମ କରୁଥିଲେ। ଅବସର ପରେ ଶ୍ରୀ ବେହେରା ତାଙ୍କ ଝିଅର ବାହାଘର ପାଇଁ କିଛି ସୁନା ଅଳଙ୍କାର ଓ ଟଙ୍କା ଉଠାଇ ଘରେ ରଖିଥିବା କଥା ଦୁଇ ରଙ୍ଗ ମିସ୍ତ୍ରୀ ଜାଣିପାରି ଥିଲେ। ରଙ୍ଗ କାମ କରିବା ସମୟରେ ତାଙ୍କ ଘରୁ ସୁଯୋଗ ଦେଖି ଚୋରି କରିବା ପାଇଁ ଯୋଜନା କରିଥିଲେ ଦୁଇ ରଙ୍ଗ ମିସ୍ତ୍ରୀ। ତେଣୁ ଦୁଇ ରଙ୍ଗ ମିସ୍ତ୍ରୀ ଏହି ସୁଯୋଗକୁ ଅପେକ୍ଷା କରି ରହିଥିଲେ।
ଗତ ୧୫ ତାରିଖ ଦିନ ସଂଧ୍ୟା ପ୍ରାୟ ୭ଟା ବେଳେ ଶ୍ରୀ ବେହେରା ତାଙ୍କ ପରିବାର ସହ ସତ୍ୟନଗରର ସାଇ ମନ୍ଦିର ବୁଲିବାକୁ ବାହାରିଥିଲେ। ଏହାର ସୁଯୋଗ ନେଇ ରଙ୍ଗ ମିସ୍ତ୍ରୀ ମାନସ, ସୁମନ ତାଙ୍କ ଦୁଇ ସହଯୋଗୀ ଟୁଟୁ ଓ ଅଧିର ତାଙ୍କ ଘରେ ପଶିଥିଲେ। ଘରର ପଛ ପାଖରେ ଥିବା ଝରକା ତାଡି ଘର ଭିତରକୁ ପଶିବା ସହ ଶୋଇବା କୋଠରୀରେ ଥିବା ଗୋଡରେଜ ଆଲମିରା ଓ ଲକର ତାଲା ଭାଙ୍ଗି ସମସ୍ତ ସୁନା ଅଳଙ୍କାର ଓ ନଗଦ ପ୍ରାୟ ୪୦ ଲକ୍ଷ ଟଙ୍କା ଚୋରି କରି ନେଇଥିଲେ। ରାତି ପ୍ରାୟ ୯ଟା ବେଳକୁ ଶ୍ରୀ ବେହେରା ତାଙ୍କ ପରିବାର ସହ ଘରକୁ ଫେରିଥିଲେ।ଫେରିବା ବେଳକୁ ତାଙ୍କ ଘର ତାଲା ଭଙ୍ଗା ଯାଇଥିବା ସହ ଝରକା ମଧ୍ୟ ତଡ଼ା ଯାଇଥିଲା। ତେଣୁ ସେ ଉପର ଘରେ ଥିବା ଯୁବକଙ୍କୁ ଡାକି ବୁଝିଥିଲେ। ପରେ ଆଲମାରୀ ଦେଖିବା ବେଳକୁ ତାଙ୍କର ସମସ୍ତ ସୁନା ଅଳଙ୍କାର ଓ ଟଙ୍କା ଚୋରି ଯାଇଥିବା ଜାଣିବାକୁ ପାଇଥିଲେ।
ଘରୁ ଚୋରି ଯାଇଥିବା ଜଣାପଡିଲା ପରେ ଶ୍ରୀ ବେହେରା ଏନେଇ ଖଣ୍ଡଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ।ଘର ଓ ଆଖପାଖରେ ଥିବା ଚିତ୍ର ଉତ୍ତୋଳନ ଯନ୍ତ୍ର ଯାଞ୍ଚ କରିବା ପରେ କିଛି ତଥ୍ୟ ପୁଲିସ ହାତରେ ଲାଗିଥିଲା। ଏହା ସହ ଶ୍ରୀ ବେହେରାଙ୍କ ଘରେ ଦୁଇ ଜଣ ରଙ୍ଗ ମିସ୍ତ୍ରୀ ରଙ୍ଗ କାମ କରୁଥିବା କଥା ମଧ୍ୟ ସେ ପୁଲିସକୁ କହିଥିଲେ। ସେହି ତଥ୍ୟ ଆଧାରରେ ପୁଲିସ ଦୁଇ ରଙ୍ଗ ମିସ୍ତ୍ରୀଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ। ଦୁଇ ରଙ୍ଗ ମିସ୍ତ୍ରୀଙ୍କୁ ଫୋନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କ ଫୋନ ବନ୍ଦ ରହିଥିଲା। ତେଣୁ ପୁଲିସର ସନ୍ଦେହ ଉକ୍ତ ଦୁଇ ରଙ୍ଗ ମିସ୍ତ୍ରୀଙ୍କ ଉପରେ ବଢିଥିଲା। ତେଣୁ ପୁଲିସ ସେମାନଙ୍କ ଫୋନକୁ ଟ୍ରାକିଂ କରି ସେମାନଙ୍କୁ କଟକରେ ଠାବ କରିଥିଲା। ପ୍ରଥମେ ମାନସ ଓ ସୁମନକୁ ପୁଲିସ ଉଠାଇଥିଲା। ସେମାନଙ୍କ ଜରିଆରେ ପୁଲିସ ଟୁଟୁ ଓ ଅଧିରକୁ ଗିରଫ କରିବାରେ ସଫଳ ହୋଇଥିଲେ। ୪ ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ସେମାନଙ୍କ ନିକଟରୁ ୨୬ ଲକ୍ଷ ଟଙ୍କା ଜବତ କରିଥିଲା। ୧୦ ଲକ୍ଷ ଟଙ୍କା ମାନସ ନିଜ ନାମରେ ବ୍ୟାଙ୍କରେ ଜମା ରଖିଥିବା କଥା କହିବା ସହ ଅବଶିଷ୍ଟ ୪ଲକ୍ଷ ଟଙ୍କା ସେମାନେ ଦୁର୍ଗାପୂଜା ସମୟରେ ଖର୍ଚ୍ଚ କରିଥିବା ପୁଲିସ ନିକଟରେ ମାନିଥିଲେ। କିନ୍ତୁ ସେମାନଙ୍କ ନିକଟରୁ କୌଣସି ସୁନା ଅଳଙ୍କାର ପୁଲିସ ଜବତ କରିପାରିନାହିଁ। ଆଜି ୪ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି। ଏନେଇ ତଦନ୍ତ ଜାରି ରହିଛି। ଏହି ମାମଲାରେ ଆଉ କିଏ ସଂପୃକ୍ତ ଅଛି ଅଧିକ ତଦନ୍ତ ପାଇଁ ୪ଜଣ ଅଭିଯୁକ୍ତଙ୍କୁ ପୁଲିସ ପୁଣି ଜିମାରେ ଆଣିବ ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି।
Comments are closed.