ଫଳ ବ୍ୟବସାୟୀଙ୍କୁ ଗୋଡେଇ ଗୋଡେଇ ହାଣିଲେ: ୪ ଅଭିଯୁକ୍ତ ଗିରଫ, କଟୁରୀ ଭୂଜାଲି ଜବତ

ଖଣ୍ଡଗିରି: ଶାରଦୀୟ ଦୁର୍ଗାପୂଜାକୁ ଆଉ ମାତ୍ର ଦୁଇ ସପ୍ତାହ ବାକିଥିବା ବେଳେ ରାଜଧାନୀରେ ଅପରାଧୀମାନେ ଏବେ ସକ୍ରିୟ ହେଲେଣିି। ଚାରି ଦିନ ତଳେ କ୍ୟାପିଟାଲ ଥାନା ୟୁନିଟ୍‌-୮ ନାରାୟଣ ବସ୍ତିରେ ଚନ୍ଦୁ ନାମକ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଲୁହାରଡ ଏବଂ ଖଣ୍ଡାରେ ଗୋଡେଇ ଗୋଡେଇ ହାଣି ଅତି ବିଭତ୍ସ ଭାବେ ହତ୍ୟା କରିବା ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ଅପରାଧୀମାନଙ୍କ ଟେର ପାଇନଥିବା ବେଳେ ଭରତପୁର ଥାନା ଅଞ୍ଚଳରେ ପୁଣି ଅପରାଧୀମାନେ ସକ୍ରିୟ ହେଲେଣି। ଫଳ ବ୍ୟବସାୟୀଙ୍କୁ ସଂଘବଦ୍ଧ ଭାବେ କଟୁରୀରେ ଗୋଡେଇ ଗୋଡେଇ ହାଣିବା ଘଟଣା ପୁଲିସର ପାରିବା ପଣିଆ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଆହତ ଯୁବକ ଜଣଙ୍କ ହେଲେ ଭଦ୍ରକ ଜିଲ୍ଳା ବାସୁଦେବପୁର ଥାନା ଅଜିହ୍ୟା ଗ୍ରାମର ସୁରେଶ ମଲ୍ଲିକ।

ସୁରେଶଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ପଟେ ସୁରେଶଙ୍କୁ ଆକ୍ରମଣ ଘଟଣାରେ ଭରତପୁର ଥାନା ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଘାଟିକିଆର ବିଜୟ ବେହେରା (୪୧), ଚିତ୍ତ ନାୟକ (୪୨), ପବିତ୍ର ନାୟକ (୪୫) ଓ ଶ୍ରୀନିବାସ ମାଝୀ (୪୮)। ସମସ୍ତ ଅଭିଯୁକ୍ତମାନଙ୍କୁ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଝାରପଡା ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତମାନଙ୍କଠାରୁ ପୁଲିସ ଗୋଟିଏ କଟୁରୀ ଓ ଭୂଜାଲି ଜବତ କରାଯାଇଛି।

ସୂଚନାଯୋଗ୍ୟ ଯେ, ଭରତପୁର ଥାନା ଅନ୍ତର୍ଗତ ପଣ୍ଡା କୁଦିଆ ବସ୍ତିରେ ରହୁଥିବା ଭଦ୍ରକ ଜିଲ୍ଳା ବାସୁଦେବପୁର ଥାନା ଅଜିହ୍ୟା ଗ୍ରାମର ସୁରେଶ ମଲ୍ଲିକ କଳିଙ୍ଗନଗର କେ-୭ କଲ୍ୟାଣ ମଣ୍ଡପ ନିକଟରେ ଏକ ଫଳ ଦୋକାନ କରିଥିଲେ। ମଙ୍ଗଳବାର ଦିନ ଚିତ୍ତ ନାୟକ ତାଙ୍କ ଦୋକାନକୁ ଫଳ ନେବାକୁ ଆସି ଫଳ ନେବା ପରେ ଟଙ୍କା ଦେଇନଥିଲେ। ଯାହାକୁ ନେଇ ସୁରେଶଙ୍କ ସହ ଯୁକ୍ତିତର୍କ ହୋଇଥିଲା। ମଦ୍ୟପ ଚିତ୍ତ ଗ୍ରାମର ଆଉ ୩ ଜଣଙ୍କୁ ଡାକିଥିଲେ। ସେମାନେ ଆସିଯିବା ପରେ ସୁରେଶକୁ ସେମାନେ ଗୋଡେଇ ଗୋଡେଇ ହାଣି ପକାଇଥିଲେ। ଏଭଳି ଘଟଣା ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଥିଲା। ଗୁରୁତର ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ ୪ ଜଣଙ୍କୁ ଗିରଫ କରିଛି।

Comments are closed.